Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଶୋକନଗରରେ ଡମ୍ପିଂ ୟାର୍ଡକୁ ବିରୋଧ କଲେ କମିଟି, ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଦେଲେ ସ୍ମାରକପତ୍ର

7/02/2020 at 8:16 PM

ଭୁବନେଶ୍ୱର ୭/୨: ପ୍ରସ୍ତାବିତ ଶିଶୁ ଉଦ୍ୟାନ ସ୍ଥାନରେ ଆବର୍ଜନା ଡମ୍ପିଂ ର୍ୟାଡ୍ ବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରକୁ ବିରୋଧ କରି ଅଶୋକନଗର ନାଗରିକ କମିଟି ପକ୍ଷରୁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଶୁକ୍ରବାର ପୂର୍ବାହ୍ନରେ ଏକ ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ସ୍ମାରକପତ୍ର ମୁୁତାବାକ ଅଶୋକନଗର ଅଞ୍ଚଳରେ ସିପିଆଇର ରାଜ୍ୟ ଅଫିସ ଭଗବତୀ ଭବନ ସମ୍ମୁଖରେ ୧ ଏକରର ଏକ ସରକାରୀ ଜାଗା ରହିଛି । ଏହାର ଅନ୍ୟ ପାର୍ଶ୍ୱରେ ସିପିଆଇ(ଏମ.ଏଲ.) ଲିବରେସନର ରାଜ୍ୟ ଅଫିସ ଓ ଏକ କାଳୀମନ୍ଦିର ଏବଂ ୨ ଶହ ମିଟର ଦୂରରେ ସିପିଆଇ(ଏମ)ର ଜିଲ୍ଲା ଅଫିସ ଅବସ୍ଥିତ । ଭୁବନେଶ୍ୱର ମାଷ୍ଟର ପ୍ଲାନରେ ଏହାକୁ ଶିଶୁ ଉଦ୍ୟାନ ପାଇଁ ରଖାଯାଇଥିଲା ।

ତେଣୁ ଏହି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଉଦ୍ୟମକୁ ବନ୍ଦ କରି, ପଡିଆରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ସ୍ମାର୍ଟ ସିଟିର ଯୋଜନା ମୁତାବକ ଅନ୍ୟତ୍ର ସ୍ଥାୟୀ ଜାଗା ପ୍ରଦାନ ପୂର୍ବକ ସ୍ଥାନାନ୍ତରିତ କରି, ଏହି ପଡିଆରେ ପୂର୍ବ ପ୍ରସ୍ତାବିତ ଶିଶୁ ଉଦ୍ୟାନ ପ୍ରତିଷ୍ଠା କରାଯାଉ ବୋଲି ଦାବି କରାଯାଇଛି ।

୧୯୯୦ରେ ଓଡିଶାର ବିଶିଷ୍ଟ ଜନନେତା ତଥା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ପଡିଆ ନିକଟରେ ୩ଟି ବାମପନ୍ଥୀ ଦଳର ଅଫିସ୍ ଥିବାରୁ ଓଡିଶାରେ କମ୍ୟୁନିଷ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ଭଗବତୀ ଚରଣ ପାଣିଗ୍ରାହୀଙ୍କ ନାମରେ ଶିଶୁ ଉଦ୍ୟାନ ନାମିତ ହେବ ବୋଲି ଘୋଷଣା କରିଥିଲେ ଏବଂ ଉକ୍ତ ଜମିକୁ ମ୍ୟୁନିସିପାଲିଟିକୁ ହସ୍ତାନ୍ତର କରାଯାଇଥିଲା । ମାତ୍ର ଗତ ୩୦ ବର୍ଷ ଭିତରେ ମ୍ୟୁନିସିପାଲିଟି କିମ୍ବା ବିଏମସି ଶିଶୁ ଉଦ୍ୟାନ ପ୍ରତିଷ୍ଠା କଲେ ନାହିଁ । ଏହି ଅଞ୍ଚଳଟି ସ୍ମାର୍ଟସିଟିର ଆବାସିକ ଅଞ୍ଚଳ । ବର୍ତ୍ତମାନ ବିଏମସି ଏଠାରେ ଆବର୍ଜ୍ଜନା ଭଣ୍ଡାର କରିବା ଏକ ଜନ ବିରୋଧୀ କାର୍ଯ୍ୟ ବୋଲି କମିଟି କହିଛି । ଏହା ଫଳରେ ଏହି ଅଞ୍ଚଳରେ ଶାନ୍ତି ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ନଷ୍ଟ ହେବ ବୋଲି ଲିଖିତ ଭାବେ ଜଣାଇଛି କମିଟି ।

   Related Posts