ଥାନା ଆଗରେ ସରକାରୀ ଗାଡି, ଭିତରେ ଚାଲିଥିଲା ରୋମାନ୍ସ: ଯୁବତୀଙ୍କ ସହ ୪ ଯୁବକଙ୍କ ପ୍ରେମ ନିଶା ଉତାରି ଦେଲା ପୋଲିସ୍

Published By : Prameya-News7 Bureau | December 01, 2020 IST

ପୁରୀ୧/୧୨: ସରକାରୀ ଗାଡିରେ ଚାଲିଥିଲା ରୋମାନ୍ସ। ଧଳା କାରରେ ଲେଖାଅଛି ଭାରତ ସରକାର। ଭୁବନେଶ୍ବରରୁ ବାହାରିଥିଲା ସରକାରୀ ଗାଡି, ଆଉ ପୁରୀ ଷ୍ଟେସନରେ ପହଞ୍ଚିଥିଲା। ସରକାରୀ ଗାଡି ସାଙ୍ଗକୁ ପୁଣି ସୁରକ୍ଷାବଳୟ ଭିତରେ ରୋମାନ୍ସ ଚଳାଇଥିଲେ ୪ ଜଣ ଯୁବକ ଏବଂ ଜଣେ ଯୁବତୀ। କାର ଭିତରେ ରୋମାନ୍ସ କରି ମନ ବୁଝିଲା ନାହିଁ। ଯୁବତୀଙ୍କୁ ସାଙ୍ଗରେ ଧରି ବାହାରକୁ ବାହାରି ଆସିଥିଲେ ୪ ଜଣ ଯୁବକ। ପୁରୀ ଆର୍‌ପିଏଫ୍‌ ଥାନା ସମ୍ମୁଖରେ ଏମାନେ ଉତ୍ପାତ ଆରମ୍ଭ କରିଥିଲେ। ଯେଉଁ ଚାରିଜଣ ରୋମିଓ ହେଲେ, ଜଣେ ରେଳ ଅଧିକାରୀଙ୍କ ବଙ୍ଗଳା ପିଅନ, ୨ ଜଣ ଡ୍ରାଇଭର ଏବଂ ଆଉ ଜଣେ ସେମାନଙ୍କ ସାଙ୍ଗ।  

ରବିବାର ରାତିରୁ ସୋମବାର ଦିନ ତମାମ ପୁରୀରେ ଏହି ଚର୍ଚ୍ଚା ଲାଗି ରହିଥିଲା। ଗାଡି ନମ୍ବର (ଓଡି-୦୫ଜେଡ୍‌-୦୩୧୨)ରେ ସେମାନେ ରୋମାନ୍ସ କରୁଥିଲେ। ଡ୍ରାଇଭର୍‌ ସିଟ୍‌ରେ ଜଣେ ବସିଥିବା ବେଳେ ପଛ ସିଟ୍‌ରେ ୩ ଯୁବକଙ୍କ ମଝିରେ ଥିଲେ ଯୁବତୀ । ଏହି ଦୃଶ୍ୟ ଦେଖି ଷ୍ଟେସନ୍‌ ପରିସରରେ ବୁଲୁଥିବା କିଛି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ ଖବର ବାହାରେ ପ୍ରଚାରିତ ହୋଇଥିଲା ।

ଦୀର୍ଘ ସମୟ ପରେ କାର୍‌ ଭିତରୁ ବଙ୍ଗଳା ପିଅନ ଓ ଯୁବତୀ ବାହାରିଥିଲେ। ଷ୍ଟେସନ୍‌ ପରିସରରେ ଥିବା ବରଗଛ ମୂଳରେ ବସି ରୋମାନ୍ସରେ ମଜ୍ଜି ଯାଇଥିଲେ ଉଭୟ। ଠିକ୍‌ ସେହି ସମୟରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିିଥିଲେ ଆର୍‌ପିଏଫ୍‌ ଏଏସ୍‌ଆଇ କେ.ପି ପାଣି । ସେ ଏହି ଦୁହିଁଙ୍କୁ ବାରଣ କରିଥିଲେ। ହେଲେ ପିଅନ ଜଣକ କହିଥିଲେ ଯେ, ସେମାନେ ରେଳ ବିଭାଗ କର୍ମଚାରୀ । ଓଲଟା ସେମାନଙ୍କୁ ଡିଷ୍ଟର୍ବ ନକରିବାକୁ କହିଥିଲେ। କାର୍‌ରେ ଥିବା ଅନ୍ୟମାନେ ମଧ୍ୟ ବାହାରକୁ ଆସି ଅଧିକାରୀଙ୍କୁ ଘେରି ପରିଚୟ ଦେଇ ପକାଇଥିଲେ। ଘଟଣାସ୍ଥଳରେ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି।

ପୂର୍ବତଟ ରେଳବାଇର ଡେପୁଟି ସିଇଏନ୍‌ଏଚ୍‌ଏମ୍‌ ଜେ.କେ ସାହୁଙ୍କ ପାଇଁ ମଞ୍ଜୁର ହୋଇଛି ଏହି କାର୍‌। କାର୍‌ରେ ୨ ଜଣ ଡ୍ରାଇଭର୍‌ ନିୟୋଜିତ ହୋଇଛନ୍ତି । ରବିବାର ଛୁଟି ଥିବାରୁ ଅଫିସର୍‌ ଶ୍ରୀ ସାହୁଙ୍କ ବଙ୍ଗଳା ପିଅନ, ୨ ଡ୍ରାଇଭର୍‌ ଓ ଜଣେ ସାଙ୍ଗ ମିଶି କରିଥିଲେ ଯୋଜନା। ଯୋଜନା ଅନୁଯାୟୀ ସେମାନଙ୍କ ପାଖରେ ପହଞ୍ଚିଥିଲେ ବଙ୍ଗୀୟ ଯୁବତୀ । ଡ୍ରାଇଭର୍‌ଙ୍କ କହିବା ଅନୁସାରେ ଭୁବନେଶ୍ୱରରେ ପ୍ରଥମେ ସେମାନେ ମଦ ପିଇଥିଲେ। ପରେ ପୁରୀ ଆସିଥିଲେ । ରେଳ କର୍ମଚାରୀ ବୋଲି ଷ୍ଟେସନ୍‌ ପରିସର କୁଆଡେ ସେମାନଙ୍କ ପାଇଁ ସୁରକ୍ଷିତ। ତେଣୁ ଏଠାରେ ରହି ସକାଳେ ଚନ୍ଦ୍ରଭାଗାରେ ସୂର୍ଯୋଦୟ ଦେଖି ପଳାଇଥାଆନ୍ତେ। ଅଧିକାରୀଙ୍କ ଅଫିସ୍‌ ଡ୍ୟୁଟି ପୂର୍ବରୁ ପହଞ୍ଚିବାକୁ ଏମାନଙ୍କର ଯୋଜନା ଥିଲା ବୋଲି ଜଣେ ଡ୍ରାଇଭର କହିଛନ୍ତି। କମର୍ସିଆଲ୍‌ ମ୍ୟାନେଜର୍‌ଙ୍କ ଝିଅ ବାହାଘରରେ ଏହି ସରକାରୀ ଗାଡି ସବୁ ନିୟୋଜିତ ହେଉଛି। ତେଣୁ ସେହି ମଉକାରେ ଟିକେ ମଉଜ କରିବାକୁ ଚାଲି ଆସିଥିଲୁ ବୋଲି କହିଥିଲେ।

ସେମାନଙ୍କୁ ପଚରାଉଚରା କରିବା ପରେ ଜଣାପଡିଥିଲା ଯେ, ଅଧିକାରୀଙ୍କ ଅଜାଣତରେ ଏମାନେ ଏଭଳି କାଣ୍ଡ କରିଛନ୍ତି। ଅଧିକାରୀଙ୍କ ସହ କଥା ହେବାକୁ ଆର୍‌ପିଏଫ୍‌ ଏଏସ୍‌ଆଇ ଶ୍ରୀ ପାଣି ନମ୍ବର ମାଗିଥିଲେ । ହେଲେ ଚତୁରତାର ସହ ବଙ୍ଗଳା ପିଅନ ନିଜ ମାମୁଙ୍କ ଫୋନ୍‌ ନମ୍ବର ଦେଇଥିଲେ । ପ୍ରଥମେ ଏସବୁ ଜାଣିନଥିବା କହିଥିଲେ ପିଅନଙ୍କ ମାମୁ । ପରେ ପିଅନ ଜଣକ ମାମୁଙ୍କ ସହ କଥା ହୋଇ ଏଭଳି ଘଟଣା ସମ୍ପର୍କରେ ଠାରି ଦେଇଥିଲେ । ଏହା ପରେ ମାମୁ ନିଜକୁ ଅଫିସର୍‌ ଶ୍ରୀ ସାହୁ ବୋଲି ପରିଚୟ ଦେଇ ଆର୍‌ପିଏଫ୍‌ ଅଧିକାରୀଙ୍କ ସହ କଥା ହୋଇଥିଲେ। ସେମାନେ ଭୁଲ୍‌ କରିଦେଇଛନ୍ତି, ଏହି ଥର ତାଙ୍କୁ ଛାଡି ଦିଅନ୍ତୁ ବୋଲି ସେ କହିଥିଲେ । କିନ୍ତୁ ଟ୍ରୁ କଲର୍‌ରୁ ନାଁ ଜଣାପଡିବା ପରେ ସମସ୍ତେ ଫସିଥିଲେ। ସମସ୍ତଙ୍କୁ ଆର୍‌ପିଏଫ୍‌ ଥାନାକୁ ନିଆଯାଇଥିଲା । ଥାନାରେ ସେମାନେ ଏସବୁ ଭୁଲ୍‌ କରିଥିବା ସ୍ୱୀକାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.