ସିଡନୀ ଟେଷ୍ଟରେ ରୋହିତ ଶର୍ମାଙ୍କ ବିଶ୍ଵ ରେକର୍ଡ, ଏମିତି କରିବାରେ ଏକ ମାତ୍ର ବ୍ୟାଟସମ୍ୟାନ

Published By : Prameya-News7 Bureau | January 10, 2021 IST

ସିଡନୀ ୧୦।୦୧: ସିଡନୀ ଟେଷ୍ଟ ମ୍ୟାଚ୍‌ର ଦ୍ଵିତୀୟ ଇନିଂସରେ ଭାରତ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୯୮ ରନ କରିଛି। ଭାରତକୁ ପଞ୍ଚମ ଦିନରେ ଜିତିବାକୁ ୩୦୯ ରନ ଦରକାର ଥିବା ବେଳେ ହାତରେ ରହିଛି ୮ ଓ୍ଵିକେଟ୍। ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ଦ୍ଵିତୀୟ ଇନିଂସରେ ରୋହିତ ଶର୍ମା ନିଜ ଟେଷ୍ଟ କ୍ୟାରିୟରରେ ୧୦ମ ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତ ୫୨ ରନ କରି ଆଉଟ୍ ହୋଇଛନ୍ତି। ୯୮ ବଲ୍ ସମ୍ମୁଖୀନ ହୋଇ ରୋହିତ ୫ ଚୌକା ଓ ୧ ଛକା ମାରିଛନ୍ତି। ରୋହିତ ସିଡନୀ ଟେଷ୍ଟର ଦ୍ଵିତୀୟ ଇନିଂସରେ ଅର୍ଦ୍ଧଶତକୀୟ ଇନିଂସରେ ଗୋଟିଏ ଛକା ମାରି ରୋହିତ ବିଶ୍ଵ ରେକର୍ଡ କରିଛନ୍ତି।

ହିଟ୍ ମ୍ୟାନ୍ ରୋହିତ ଅଷ୍ଟ୍ରେଲିଆ ମାଟିରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ୫୦ ଛକା ମାରିବାରେ ଦୁନିଆରେ ପ୍ରଥମ ଅଣ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ହୋଇଛନ୍ତି। ସେ ଏମିତି କରି ଭିଭିଆନ ରିଚାର୍ଡ୍ସଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭିଭିଆନ ରିଚାର୍ଡ୍ସ ଅଷ୍ଟ୍ରେଲିଆ ମାଟିରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ ଖେଳି ୪୫ ଛକା ମାରିଥିଲେ।

ପ୍ରଥମ ଇନିଂସରେ ରୋହିତ ଗୋଟିଏ ଛକା ମାରିଥିଲେ। ଏହାକୁ ମିଶାଇ ରୋହିତ ଗୋଟିଏ ଦେଶ ବିପକ୍ଷରେ ୧୦୦ ଅନ୍ତରାଷ୍ଟ୍ରୀୟ ଛକା ମାରିବାରେ ଦୁନିଆର ପ୍ରଥମ ବ୍ୟାଟସମ୍ୟାନ ହେବାର ରେକର୍ଡ କରିଛନ୍ତି। ରୋହିତ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏ ପର୍ଯ୍ୟନ୍ତ ୧୦୧ ଛକା ମାରି ସାରିଲେଣି।

ଏହା ବ୍ୟତୀତ  ରୋହିତ ଶର୍ମା ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଷ୍ଟ୍ରେଲିଆରେ ସର୍ବାଧିକ ଛକା ମାରିବାରେ ଭାରତୀୟ ବ୍ୟାଟସମ୍ୟାନ ହେବାର ଉପଲବ୍ଧି ହାସଲ କରିଛନ୍ତି। ରୋହିତ ଟେଷ୍ଟରେ ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ୧୦ ଛକା ମାରି ସାରିଲେଣି। ଏହି ମାମଲାରେ ଦ୍ଵିତୀୟରେ ଅଛନ୍ତି ବୀରେନ୍ଦ୍ର ସେହ୍ଵାଗ। ସେହ୍ଵାଗ ଟେଷ୍ଟରେ ଅଷ୍ଟ୍ରେଲିଆ ବିରୋଧରେ ୮ ଛକା ଲଗାଇବାରେ ସଫଳ ହୋଇଥିଲେ।

ରୋହିତ ଶର୍ମା- ୧୦ ଛକା

ବୀରେନ୍ଦ୍ର ସେହ୍ଵାଗ- ୮

ସଚିନ ତେନ୍ଦୁଲକର- ୭

ମୁରଲି ବିଜୟ- ୬

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.