ତୃତୀୟ ଟେଷ୍ଟରେ ଓପନିଂ କରିବେ ରୋହିତ ଶର୍ମା, ଏହି ଖେଳାଳିଙ୍କ ନେବେ ସ୍ଥାନ, ଦୁଇ ବୋଲରଙ୍କୁ ନେଇ ଦ୍ଵନ୍ଦ୍ଵରେ ଟିମ୍ ମ୍ୟାନେଜମେଣ୍ଟ !
5/01/2021 at 9:16 PM

ନୂଆଦିଲ୍ଲୀ ୦୫।୦୧: ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ ସମାନ ସ୍ଥିତିରେ ରହିଛି। ଦୁଇ ଦଳ ମଧ୍ୟରେ ଜାନୁଆରୀ ୭ରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜିତି ସିରିଜ୍ରେ ଅଗ୍ରଣୀ ହାସଲ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି। ଏହି ମ୍ୟାଚ୍ରେ ରୋହିତ ଶର୍ମା ପଡିଆକୁ ଫେରିବେ। ଆଇପିଏଲରେ ଆହତ ହେବା ପରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ରୁ ବାଦ୍ ପଡିଥିଲେ। ଏଥିସହ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳି ପାରିନଥିଲେ। ଅପରପକ୍ଷେ ଉମେଶ ଯାଦବଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁର ନା ନବଦୀପ ସାଇନିଙ୍କୁ ଦଳରେ ସୁଯୋଗ ଦିଆଯିବ ତାକୁ ନେଇ ପେଞ୍ଚ ରହିଛି।
ତୃତୀୟ ଟେଷ୍ଟ ପୂର୍ବରୁ ରୋହିତଙ୍କୁ ଟେଷ୍ଟ ଦଳର ଉପ ଅଧିନାୟକ କରାଯାଇଛି। ଏଥିରୁ ସ୍ପଷ୍ଟ ହୋଇ ସାରିଛି ଯେ, ତୃତୀୟ ଟେଷ୍ଟରେ ରୋହିତ ପଡିଆକୁ ଓହ୍ଲାଇବେ। ହେଲେ ପ୍ରଶ୍ନ ଉଠୁଛି ଯେ, ସେ ଓପନିଂ କରିବେ ନା ମଧ୍ୟ କ୍ରମରେ ବ୍ୟାଟିଂ କରିବେ। ସ୍ପୋର୍ଟ୍ସ ଟୁଡେର ଖବର ଅନୁଯାୟୀ ସିଡନୀରେ ରୋହିତ ଶର୍ମା ଓପନିଂ କରିବେ ଏବଂ ସେ ଖରାପ ଫର୍ମ ଦେଇ ଗତି କରୁଥିବା ମୟଙ୍କ ଅଗ୍ରଓ୍ଵାଲଙ୍କ ସ୍ଥାନ ନେବେ।
ଖବର ଅନୁଯାୟୀ ରୋହିତ ଗତ ମ୍ୟାଚ୍ରେ ଟେଷ୍ଟ କ୍ରିକେଟ୍ରେ ପଦାର୍ପଣ କରିଥିବା ଶୁବମାନ ଗିଲ୍ଙ୍କ ସହିତ ଇନିଂସ ଓପନ କରିବେ। ମୟଙ୍କ ଅଗ୍ରଓ୍ଵାଲ ଗତ ଦୁଇଟି ମ୍ୟାଚ୍ରେ ୧୭, ୦୯, ୦୦ ଓ ୦୫ ରନ କରିଥିଲେ। ଗିଲ୍ ପଦାପର୍ଣ ମ୍ୟାଚ୍ରେ ପ୍ରଥମ ଇନିଂସରେ ୪୫ ରନ ଏବଂ ଦ୍ଵିତୀୟ ଇନିଂସରେ ୩୫ ରନର ଅପରାଜିତ ଇନିଂସ ଖେଳିଥିଲେ।
ଅନ୍ୟପଟେ ଦଳ ପ୍ରବନ୍ଧକ ସାଇନି ଓ ଶାର୍ଦ୍ଦୁଳଙ୍କ ମଧ୍ୟରୁ କାହାକୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦେବେ ଏ ନେଇ ସ୍ଥିର କରି ପାରି ନାହାନ୍ତି। କିଛି ଦିନ ପର୍ଯ୍ୟନ୍ତ ଦ୍ରୁତ ବୋଲର ଏବଂ ନିମ୍ନକ୍ରମରେ ଉପଯୋଗ୍ୟ ବ୍ୟାଟସମ୍ୟାନ ଶାର୍ଦ୍ଦୁଳ ଠାକୁର ଏଥିପାଇଁ ପ୍ରଥମ ପସନ୍ଦ ଥିଲେ। ହେଲେ କିଛି ବରିଷ୍ଠ ଖେଳାଳିଙ୍କ ମତରେ ଭାରତର ସବୁଠୁ ଦ୍ରୁତ ବୋଲର ନବଦୀପ ସାଇନି ନିଜର ଗତିରେ ଅଷ୍ଟ୍ରେଲିଆ ଦଳକୁ ଅସୁବିଧାରେ ପକାଇ ପାରନ୍ତି।
ରୋହିତ ଶର୍ମା ସିଡନୀରେ ୧୪ ଦିନିଆ କ୍ଵାରେଣ୍ଟାଇନ୍ ପୂରା କରିବା ପରେ ମେଲବୋର୍ଣ୍ଣ ଟେଷ୍ଟ ପରେ ଭାରତୀୟ ଦଳ ସହିତ ଯୋଗ ଦେଇଥିଲେ। ଆଇପିଏଲ ସମୟରେ ରୋହିତ ଆହତ ହୋଇଥିଲେ। ଏହା ପରେ ସେ ବେଙ୍ଗାଲୁରୁରେ ଏନସିଏରେ ରିହାବ୍ ପ୍ରକ୍ରିୟା ଦେଇ ଗତି କରୁଥିଲେ। ଗତ ମାସରେ ସେ ଅଷ୍ଟ୍ରେଲିଆ ପହଞ୍ଚିଥିଲେ।