ଟି-୨୦ ସିରିଜରେ ରୋହିତ ଶର୍ମାଙ୍କୁ ମିଳିବ ବିଶ୍ରାମ, ଏହି ଖେଳାଳି ହୋଇ ପାରନ୍ତି ଟିମ୍ ଇଣ୍ଡିଆର ଅଧିନାୟକ

Published By : Prameya-News7 Bureau | May 16, 2022 IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୨ ପରେ ଭାରତୀୟ ଦଳ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ଶୃଙ୍ଖଳା ଜୁନ ୯ରୁ ଆରମ୍ଭ ହେବ। ତେବେ ଏହି ସିରିଜରେ ଭାରତୀୟ ଦଳର ଅନେକ ବଡ ବଡ ଖେଳାଳି ନଜର ଆସିବେ ନାହିଁ। ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ମଧ୍ୟ ଟି-୨୦ ସିରିଜ୍ ଖେଳିବେ ନାହିଁ। ଚୟନକର୍ତ୍ତା ଇଂଲଣ୍ଡ ଗସ୍ତ, ଏସିଆ କପ୍ ଏବଂ ଟି-୨୦ ବିଶ୍ଵ କପକୁ ଦୃଷ୍ଟିରେ ରଖି ଦଳର ପ୍ରମୁଖ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ବିଚାର କରୁଛନ୍ତି। ଏମିତିର ପ୍ରଶ୍ନ ଉଠୁଛି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ଦଳର ନେତୃତ୍ଵ କିଏ ନେବ ?

ଆଇପିଏଲ ୨୦୨୨ ପରେ ଦଳର ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି, ଉପ ଅଧିନାୟକ ଲୋକେଶ ରାହୁଲ, ଋଷଭ ପନ୍ତ,  ମହମ୍ମଦ ଶାମି ଏବଂ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇପାରେ। ତେଣୁ ଦଳର ଅଧିନାୟକ ଦାୟିତ୍ଵ କିଏ ସମ୍ଭାଳିବ ତାର ଉତ୍ତର ଖୋଜି ସାରିଛନ୍ତି ଦଳ ପ୍ରବନ୍ଧକ ଏବଂ ଚୟନକର୍ତ୍ତା। କ୍ରିକବଜର ରିପୋର୍ଟ ଅନୁଯାୟୀ, ଶିଖର ଧାଓ୍ଵନଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଦଳର ଅଧିନାୟକ କରାଯାଇପାରେ।

ଦଳରେ ଆଇପିଏଲର ଯୁବ, ଅନୁଭବ ଏବଂ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ସୁଯୋଗ ମିଳିବ। ତିଳକ ବର୍ମା, ଉମରାନ ମଲିକ, ଅର୍ଶଦୀପ ସିଂହ, ଋତୁରାଜ ଗାଏକଓ୍ଵାଡ, ପ୍ରସିଦ୍ଧ କୃଷ୍ଣା ଏବଂ ଅଭେଶ ଖାନଙ୍କୁ ସୁଯୋଗ ମିଳିପାରେ। ଶିଖର ଧାଓ୍ଵନ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ ଏବଂ ଭୁବନେଶ୍ଵର କୁମାରଙ୍କ ପରି ଅଭିଜ୍ଞ ଖେଳାଳିଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିପାରେ। ଧାଓ୍ଵନଙ୍କୁ ପୁଣି ଥରେ ଦଳର ନେତୃତ୍ଵ ଦାୟିତ୍ଵ ଦିଆଯାଇପାରେ। ଏହା ପୂର୍ବରୁ ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳର ନେତୃତ୍ଵ ନେଇଥିଲେ ଶିଖର ଧାଓ୍ଵନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.