ଦିବାରାତ୍ର ଟେଷ୍ଟ ପୂର୍ବରୁ ରୋହିତଙ୍କ ଚେତାବନୀ, କହିଲେ- ବ୍ୟାଟସମ୍ୟାନଙ୍କ ପାଇଁ କେଉଁ ସମୟ ଘାତକ

Published By : Prameya-News7 Bureau | February 21, 2021 IST

ଅହମ୍ମଦାବାଦ ୨୧।୦୨: ଦ୍ଵିତୀୟ ଗୋଲାପୀ ବଲ୍‌ ଟେଷ୍ଟ ଖେଳିବାକୁ ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛି। ଏହି କ୍ରମରେ ଭାରତର ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା ରବିବାର କହିଛନ୍ତି, ଇଂଲଣ୍ଡ ବିପକ୍ଷ ଦିବାରାତ୍ର ଟେଷ୍ଟରେ ବ୍ୟାଟସମ୍ୟାନଙ୍କୁ ଅତିରିକ୍ତ ସତର୍କତା ଏବଂ ଏକାଗ୍ରତା ଦେଖାଇବାକୁ ପଡିବ। ଚେନ୍ନାଇରେ ଦ୍ଵିତୀୟ ଟେଷ୍ଟରେ ୧୬୧ ରନର ଆକ୍ରମଣାତ୍ମକ ଇନିଂସ ଖେଳିଥିବା ରୋହିତ ୨୦୧୯ ନଭେମ୍ବରରେ ବାଂଲାଦେଶ ବିପକ୍ଷରେ କୋଲକାତାରେ ଆୟୋଜିତ ପ୍ରଥମ ଦିବାରାତ୍ର ଟେଷ୍ଟ ଖେଳିଥିଲେ।

ରୋହିତ କହିଛନ୍ତି, ଦିବାରାତ୍ର ଟେଷ୍ଟରେ ସନ୍ଧ୍ୟା ସମୟରେ ବ୍ୟାଟସମ୍ୟାନଙ୍କୁ ଅତିରିକ୍ତ ସତର୍କ ହେବାକୁ ପଡିବ। ବୁଧବାରଠୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟ ପୂର୍ବରୁ ରୋହିତ କହିଛନ୍ତି ମୁଁ ବାଂଲାଦେଶ ବିପକ୍ଷରେ କେବଳ ଏକ ମାତ୍ର ଗୋଲାପୀ ବଲ୍‌ରେ ଟେଷ୍ଟ ମ୍ୟାଚ୍ ଖେଳିଛି। ସେହି ସମୟରେ ବ୍ୟାଟସମ୍ୟାନଙ୍କୁ ସନ୍ଧ୍ୟା ସମୟରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିନାହିଁ।

ସେ କହିଛନ୍ତି, ସୂର୍ଯ୍ୟ ଅସ୍ତ  ହେଉଥିବା ସମୟରେ ବ୍ୟାଟିଂ କରିବା କିଛିଟା ଚ୍ୟାଲେଞ୍ଜିଂ ରହିଥାଏ। ଆଲୋକ ଅଚାନକ ବଦଳି ଯାଏ। ସମସ୍ତ ବ୍ୟାଟସମ୍ୟାନ ଏହି ପ୍ରକାରର ସ୍ଥିତି ବିଷୟରେ ଅବଗତ ଅଛନ୍ତି। ଆମକୁ କେବଳ ସ୍ଥିତିକୁ ଧ୍ୟାନରେ ରଖି ସେହି ଅନୁସାରେ ଖେଳିବାକୁ ପଡିବ ବୋଲି ରୋହିତ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.