ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଖେଳିବେ ନାହିଁ ରୋହିତ ଶର୍ମା, ଋଷଭ ପନ୍ତ ଓ ଓ୍ଵାଶିଂଟନ ସୁନ୍ଦର !

Published By : Prameya-News7 Bureau | March 01, 2021 IST

ନୂଆଦିଲ୍ଲୀ ୦୧।୦୩: ଟେଷ୍ଟ ସିରିଜ୍ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଭାରତୀୟ ଦଳ ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କରି ସାରିଛି। ମାତ୍ର ଏହା ମଧ୍ୟରେ ବଡ ଖବର ଆସିଛି ଯେ ଭାରତର ୩ ବଡ ଖେଳାଳି ଦିନିକିଆ ସିରିଜ୍‌ ଖେଳିବେ ନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ ଉପ ଅଧିନାୟକ ରୋହିତ ଶର୍ମା, ଓ୍ଵିକେଟ୍ କିପର ଋଷଭ ପନ୍ତ ଓ ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦରଙ୍କୁ ଦିନିକିଆ ସିରିଜ୍‌ରୁ ବିଶ୍ରାମ ଦିଆଯାଇପାରେ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ। ଏହି ସବୁ ମୁକାବିଲା ପୁଣେରେ ଖେଳାଯିବ। ପୁଣେରେ କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିନିକିଆ ସିରିଜ୍ ଖାଲି ଷ୍ଟାଡିୟମରେ ଖେଳାଯିବ। ତେବେ ଖବର ଆସୁଛି ଯେ ରୋହିତ ଶର୍ମା, ଋଷଭ ପନ୍ତଙ୍କ ପରି ବିସ୍ଫୋରକ ବ୍ୟାସଟମ୍ୟାନଙ୍କୁ ପ୍ରଶଂସକ ଟିଭିରେ ଦେଖି ପାରିବେ ନାହିଁ।

କଣ ପାଇଁ ଦିଆଯିବ ବିଶ୍ରାମ

ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା, ଋଭଷ ପନ୍ତ ଓ ଓ୍ଵାଶିଂଟନ ସୁନ୍ଦର ଆଇପିଏଲରୁ କ୍ରମାଗତ କ୍ରିକେଟ୍ ଖେଳି ଆସୁଛନ୍ତି। ଏହି ଖେଳାଳି ଅଷ୍ଟ୍ରେଲିଆ ଗସ୍ତ ପରେ ଇଂଲଣ୍ଡ ବିପକ୍ଷ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛନ୍ତି। ପୁଣି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳିବେ। ଏତେ ସମୟ ଧରି ଜୈବ ନିରାପତ୍ତା ବଳୟରେ ରହିବା ଖେଳାଳିଙ୍କୁ ମାନସିକ ଭାବେ ଭାରାକ୍ରାନ୍ତ କରିପାରେ। ପୁଣି ଏପ୍ରିଲରେ ଆଇପିଏଲ ଆରମ୍ଭ ହେବାକୁ ଯାଉଛି। ତେଣୁ ବ୍ୟସ୍ତବହୁଳ କ୍ରୀଡାସୂଚୀକୁ ଦୃଷ୍ଟିରେ ରଖି ଖେଳାଳିଙ୍କୁ ବିଶ୍ରାମ ଦିଆଯାଉଛି। ଏହି ତିନି ଖେଳାଳି ନଖେଳିଲେ, ଟି ୨୦ସିରିଜ୍‌ରେ ଭଲ ପ୍ରଦର୍ଶନ କରିବାକୁ ଥିବା ଖେଳାଳିଙ୍କୁ ଦିନିକିଆ ସିରିଜ୍‌ରେ ସୁଯୋଗ ମିଳିପାରେ।

ଇଂଲଣ୍ଡ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, କେଏଲ ରାହୁଲ, ଶିଖର ଧାଓ୍ଵନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ଇଶାନ କିଶନ, ୟୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ୍, ଓ୍ଵାଶିଂଟନ ସୁନ୍ଦର, ରାହୁଲ ତେଓ୍ଵତିଆ, ଟି ନଟରାଜନ, ଭୁବନେଶ୍ଵର କୁମାର, ଦୀପକ ଚହର, ନବଦୀପ ସାଇନି ଓ ଶାର୍ଦ୍ଦୁଳ ଠାକୁର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.