କୋହଲି ଓ ଚହଲଙ୍କ କମାଲ, ଆଇପିଏଲରେ ୩୬ମ ଥର ଭୁଲ୍ ଦୋହରାଇଲେ ରୋହିତ ଶର୍ମା

Published By : Prameya-News7 Bureau | April 09, 2021 IST

ଚେନ୍ନାଇ ୦୯।୦୪: ରୟାଲ  ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୨୦୨୧ ସଂସ୍କରଣର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଶଂସକ ଆଶା ରଖିଥିଲେ ଯେ, ରୋହିତ ଶର୍ମା ବଡ ଇନିଂସ ଖେଳିବେ।  ହେଲେ ଭଲ ଆରମ୍ଭ ପରେ ମଧ୍ୟ ରୋହିତ ନିଜର ଇନିଂସକୁ ଆଗକୁ  ବଢାଇ ପାରିନଥିଲେ। ସେ ମାତ୍ର ୧୯ ରନ କରି ରନଆଉଟ୍ ହୋଇଛନ୍ତି। କେବଳ ଏତିକି ନୁହେଁ ଆଇପିଏଲ ଇତିହାସରେ ରେକର୍ଡ ୩୬ଥର ରୋହିତ ଶର୍ମା ରନ ଆଉଟ୍ ହୋଇଛନ୍ତି।

ରେକର୍ଡ ତାଲିକା ଉପରେ ନଜର ପକାଇଲେ ରୋହିତ ୧୧ ଥର ନିଜର ଭୁଲ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ ରନ୍ ଆଉଟ୍ ହୋଇଥିବା ବେଳେ ୨୫ ଥର ସାଥୀ ଖେଳାଳିଙ୍କ ରନ ଆଉଟ୍‌ର ଶିକାର ହୋଇଛନ୍ତି। ମ୍ୟାଚ୍‌ର ଚତୁର୍ଥ ଓଭରରେ ୟୁଜବେନ୍ଦ୍ର ଚହଲଙ୍କୁ କଭର ଏବଂ କଭର ପଏଣ୍ଟରେ ସଟ୍ ଖେଳି କ୍ରିସ୍ ଲିନ୍ ଦ୍ରୁତ ଗତିରେ ରନ ନେବାକୁ ଚାହୁଁଥିଲେ, ମାତ୍ର ଫିଲ୍ଡିଂ ପୋଜିସନରେ ବିରାଟ କୋହଲିଙ୍କୁ ଦେଖିବା ପରେ ସେ କ୍ରିଜକୁ ଫେରି ଯାଇଥିଲେ।

ଅନ୍ୟପଟେ ଅଧା ପିଚ୍ ଆସି ସାରିଥିବା ରୋହିତଙ୍କ ପାଖରେ କୌଣସି ବିକଳ୍ପ ନଥିଲା। ବିରାଟ କୋହଲିଙ୍କ ସଠିକ୍ ଥ୍ରୋରେ ୟୁଜବେନ୍ଦ୍ର ଚହଲ ରୋହିତଙ୍କୁ ରନ ଆଉଟ୍ କରିଥିଲେ। ରୋହିତ ୧୫ ବଲ୍‌ରୁ ଏକ ଚୌକା ଓ ଏକ ଛକା ଜରିଆରେ ୧୯ ରନ କରି  ପାଭିଲିୟନ ଫେରିଥିଲେ।

ଏହା ପୂର୍ବରୁ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ମୁକାବିଲାରେ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.