ରୋହିତଙ୍କୁ ନେଇ ହଟୁନି ଦ୍ୱନ୍ଦ୍ୱ : ୨୬ରେ ସରିବ କ୍ୱାରେଣ୍ଟାଇନ୍, ଜାନୁଆରୀ ୩ରୁ କରିବେ ଅଭ୍ୟାସ !

Published By : Prameya-News7 Bureau | December 22, 2020 IST

ସିଡନୀ,୨୨/୧୨ : ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ୍ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଶିପାରିବେ ନା ନାହିଁ ସେନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । ବିଳମ୍ବରେ ଅଷ୍ଟ୍ରେଲିଆ ଗସ୍ତ କରିଥିବା ରୋହିତଙ୍କ ଖେଳିବା ନେଇ ପୁଣି ଥରେ ଆଶଙ୍କା ଦେଖା ଦେଇଛି । ଶେଷ ୨ଟି ଟେଷ୍ଟ ପାଇଁ ରୋହିତ ଦଳରେ ସ୍ଥାନ ପାଇଛନ୍ତି । ଏବେ ସେ ସିଡନୀର ଏକ ୨ କକ୍ଷ ବିଶିଷ୍ଟ ଆପାର୍ଟମେଣ୍ଟ ମଧ୍ୟରେ କ୍ୱାରେଣ୍ଟାଇନରେ ରହିଛନ୍ତି ।

ଅଷ୍ଟ୍ରେଲିଆର କ୍ୱାରେଣ୍ଟାଉନ ନିୟମ ଅନୁସାରେ, ୨୬ ତାରିଖରେ ରୋହିତଙ୍କ ସଙ୍ଗରୋଧ ଅବଧି ଶେଷ ହେବା କଥା। କିନ୍ତୁ ରୋହିତ ଏତେ ଶୀଘ୍ର ଅଭ୍ୟାସ ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇ ପାରିବେ ନାହିଁ । ଜାନୁଆୀ ୩ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡିବ ।

ଏତତ୍ ବ୍ୟତୀତ ସିଡନୀରେ ପୁଣିଥରେ କରୋନା ଲହରି ଆରମ୍ଭ ହୋଇଥିବାରୁ ନ୍ୟୁ ସାଉଥ୍‌ ୱେଲ୍ସ ସରକାର କଟକଣାକୁ ଆହୁରି କଡ଼ା କଡ଼ି କରିଛନ୍ତି । ଜାନୁଆରୀ ମାସ ୭ ତାରିଖରୁ ସିଡନୀରେ ତୃତୀୟ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି । ମେଲ୍‌ବୋର୍ଣ୍ଣରେ ଦ୍ୱିତୀୟ ଟେଷ୍ଟ ଖେଳିସାରି ଭାରତୀୟ ଦଳ ସିଡନୀ ଫେରିବ । ରୋହିତ ତୃତୀୟ ଓ ଚତୁର୍ଥ ଟେଷ୍ଟ ପାଇଁ ମନୋନୀତ ହୋଇଥିବାରୁ ମେଲବୋର୍ଣ୍ଣ ଗସ୍ତ କରିବାର ଆବଶ୍ୟକତା ନାହିଁ ବୋଲି ବିସିସିଆଇ କହିଛି। ତେଣୁ ଭାରତୀୟ ଦଳ ସିଡନୀ ଫେରିବା ପରେ ରୋହିତ ଦଳରେ ଯୋଗ ଦେବେ । ଅନ୍ୟ ପଟରେ ଦେଖିବାକୁ ଗଲେ କ୍ୱାରେଣ୍ଟାଇନ୍ ଅବଧି ଅଧାରୁ ରୋହିତଙ୍କୁ ସ୍ଥାନାନ୍ତରିତ କରିବା ଅସମ୍ଭବ ।

ସୂଚନାଯୋଗ୍ୟ, ଜାନୁଆରୀ ୭ରୁ ସିଡନୀ ଟେଷ୍ଟ ଆରମ୍ଭ ହେବ । କରୋନା ଲହରୀ ଯୋଗୁ ତୃତୀୟ ଟେଷ୍ଟ ସ୍ଥାନାନ୍ତର ହେବାର ଆଶଙ୍କା ରହିଛି । କିନ୍ତୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବ ନାହିଁ । ଯଦି ସିଡନୀ ଟେଷ୍ଟ ସ୍ଥାନାନ୍ତରିତ ହୁଏ ତେବେ ରୋହିତଙ୍କୁ ସେଠାକୁ ନେବା ପାଇଁ ବିସିସିଆଇ ଯୋଜନା କରିବ । ନହେଲେ ତାଙ୍କର ଅଭ୍ୟାସ ଉପରେ ପ୍ରଭାବ ପଡିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.