ରୋହିତ ଅଷ୍ଟ୍ରେଲିଆ ଗସ୍ତରେ ନଯିବା ହିଁ ଭଲ, ଏମିତି କ'ଣ ପାଇଁ କହିଲେ କୋଚ୍ ରବି ଶାସ୍ତ୍ରୀ, ଅଭ୍ୟାସ୍‌କୁ ନେଇ ମଧ୍ୟ ରଖିଲେ ଉତ୍ତର

Published By : Prameya-News7 Bureau | November 01, 2020 IST

ନୂଆଦିଲ୍ଲୀ ୦୧।୧୧:  ଭାରତୀୟ କ୍ରିକେଟ୍ ଦଳର ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ଶର୍ମାଙ୍କୁ ବାଦ୍‌ ଦିଆଯିବା ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଏହା ମଧ୍ୟରେ ପ୍ରମୁଖ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଛନ୍ତି ରୋହିତ ଶର୍ମାଙ୍କୁ ବିନା ଫିଟ୍‌ରେ ଅଷ୍ଟ୍ରେଲିଆ ଗସ୍ତରେ ଯିବା ଉଚିତ୍ ନୁହେଁ। ତାଙ୍କୁ ଦଳରେ ଚୟନ ନକରାଯିବା ପ୍ରଶ୍ନର ଉତ୍ତରରେ କହିଛନ୍ତି, କେଉଁ ଖେଳାଳିଙ୍କୁ ଦଳରେ ସାମିଲ କରାଯିବ କି ନାହିଁ ତାର ପୂରା ଦାୟିତ୍ଵ ଡାକ୍ତରୀ ଦଳର ରିପୋର୍ଟ ଏବଂ ଫିଜିଓଥେରାପିଷ୍ଟଙ୍କ ଉପରେ ରହିଥାଏ। ସେ କହିଛନ୍ତି ରୋହିତ ଶର୍ମା ଦଳରେ ନାହାନ୍ତି, ଏହି ବିଷୟରେ ମୋତେ ଜଣା ନାହିଁ। ମୁଁ ଜାଣି ନାହିଁ ଯେ ଡାକ୍ତରୀ ଦଳ ରିପୋର୍ଟରେ କଣ ଲେଖିଛନ୍ତି।

ଉଲ୍ଲେଖନୀୟ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଚୟନ ହୋଇଥିବା ଭାରତୀୟ ଦଳର ତିନୋଟି ଫର୍ମାଟରେ ରୋହିତ ଶର୍ମାଙ୍କ ନାଁ ନାହିଁ। ନିକଟରେ ଆଇପିଏଲର ଏକ ମ୍ୟାଚ୍‌ରେ ହାମଷ୍ଟ୍ରିଙ୍ଗ କାରଣରୁ ପଡିଆରୁ ବାହାରକୁ ଯିବାକୁ ପଡିଥିଲା। ଏହା ପରଠୁ ସେ ମୁମ୍ବାଇ ପକ୍ଷରୁ ଖେଳି ନାହାନ୍ତି। କିନ୍ତୁ ଯେଉଁ ଦିନ ବିସିସିଆଇ ଦଳ ଘୋଷଣା କଲା ସେହି ଦିନ ଏବଂ ଏହାର ପରବର୍ତ୍ତୀ ଦିନ ରୋହିତଙ୍କୁ ନେଟ୍‌ରେ ଅଭ୍ୟାସ୍ କରୁଥିବା ଦେଖିବାକୁ ମିଳିଥିଲା। ଉଲ୍ଲେଖନୀୟ ସୀମିତ ଓଭର କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ଉପ ଅଧିନାୟକ କରାଯାଇଛି।

ଏକ ସାକ୍ଷାତକାରରେ ଶାସ୍ତ୍ରୀ ରୋହିତଙ୍କ ଅଭ୍ୟାସ୍‌ ଉପରେ କହିଛନ୍ତି, ଆହତ ହେବା ଜଣେ ଖେଳାଳି ପାଇଁ ନିରାଶର କଥା। ଖେଳାଳି ଏଥିରୁ ବାହାରିବାକୁ ଚେଷ୍ଟା କରନ୍ତି ଏବଂ ଏହା ଦେଖିବାକୁ ପଡେ ଯେ ଖେଳାଳି କେତେ ଶୀଘ୍ର ଏଥିରୁ ମୁକୁଳିଥାନ୍ତି। ହୁଏତ ଖେଳାଳି ସମସ୍ୟାକୁ ଲୁଚାଇ ପାରନ୍ତି ଏବଂ ଖେଳିବାକୁ ଚାହାନ୍ତି। ମାତ୍ର କେବଳ ନିଜେ ହିଁ ଜାଣି ପାରିବେ ଯେ ଆପଣ ୧୦୦ ପ୍ରତିଶତ ଫିଟ୍ ଅଛନ୍ତି ନା ନାହିଁ।

ସେ କହିଛନ୍ତି ମୁଁ ନିଜେ ଜଣେ କ୍ରିକେଟର। ମୁଁ ୧୯୯୧ରେ ନିଜର କ୍ୟାରିୟର ତେବେ ପୂରା କଲି ଯେତେବେଳେ ମୁଁ ଅଷ୍ଟ୍ରେଲିଆ ଯାଇଥିଲି, ଯାହା ମୋତେ ଯିବାର ନଥିଲା। ଯଦି ମୁଁ ୩-୪ ମାସ ବିରତି ନେଇଥାନ୍ତି ତେବେ ଫିଟ୍ ହୋଇ ପୁଣି ଥରେ ଭାରତ ପାଇଁ ଆଉ ୫ ବର୍ଷ  କ୍ରିକେଟ୍ ଖେଳି ପାରିଥାନ୍ତି। ଏସବୁ ମୁଁ ନିଜର ଅନୁଭବରୁ ହିଁ କହୁଛି। ରୋହିତ ଶର୍ମାଙ୍କ କ୍ଷେତ୍ରରେ ମଧ୍ୟ ସମାନ ମାମଲା ରହିଛି। ରୋହିତ ଶର୍ମା ଜଣେ ଗୁରୁତ୍ଵପୂର୍ଣ୍ଣ ଖେଳାଳି ଏବଂ ତାଙ୍କୁ ସଂପୂର୍ଣ୍ଣ ଫିଟ୍ ବିନା ଗସ୍ତରେ ଯିବା ଉଚିତ୍ ନୁହେଁ  ବୋଲି ଶାସ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.