Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

କରୋନା କାଳରେ ଆସନ୍ତାକାଲି ବାଜିବ ଆଇପିଏଲ ବିଗୁଲ, ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ରୋହିତ ଓ ଧୋନୀ ବାହିନୀ

18/09/2020 at 5:06 PM

ଆବୁଧାବି ୧୮।୦୯: ଘାତକ କରୋନା ଭାଇରସ୍ ମହାମାରୀ କାଳରେ ସମଗ୍ର ଦୁନିଆରେ କ୍ରିକେଟ୍ ପ୍ରେମୀଙ୍କ ଚେହେରାରେ ହସ ଫୁଟାଇବା ପାଇଁ ଶନିବାରଠୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)। କ୍ରିକେଟ୍ ପ୍ରଶଂସକ ପୁଣି ଥରେ ମହାନ  ଖେଳାଳି ମହେନ୍ଦ୍ର ସିଂହ ଧୋନୀଙ୍କ ଶାନ୍ତ ସ୍ଵଭାବ, ବିରାଟ କୋହଲିଙ୍କ ଆକ୍ରାମକ ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ଵ ଦେଖିବାକୁ ମିଳିବ। ଡିଫେଣ୍ଡିଂ ଚମ୍ପିଆନ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ଗତ ବର୍ଷର ଉପ ବିଜେତା ମହେନ୍ଦ୍ର ସିଂହଙ୍କ ଚେନ୍ନାଇ ସୁପର କିଙ୍ଗ୍ସଙ୍କ ମଧ୍ୟରେ ଆସନ୍ତାକାଲି ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍‌ ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ।

ଭାରତରେ ଲଗାତାର ବଢି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆଇପିଏଲର ୧୩ତମ ସଂସ୍କରଣ ୟୁଏଇରେ ଖେଳାଯାଉଛି। ସବୁଠୁ ବଡ କଥା ପ୍ରଥମ ଥର ବିନା ଦର୍ଶକରେ ଆଇପିଏଲ ଆୟୋଜିତ ହେବ। କଠିନ ପରିସ୍ଥିତିରେ ସିନେମା ଓ କ୍ରିକେଟ୍‌ ଦେଖିବାକୁ ଚାହିଁ ରହିଥିବା ଦର୍ଶକଙ୍କ ପାଇଁ ଏବଂ ଖେଳାଳିଙ୍କ ପାଇଁ ମଧ୍ୟ ଏଥର ଆଇପିଏଲ ଖାସ୍ ରହିବ।

ଆଇପିଏଲ ପୂର୍ବରୁ ମଧ୍ୟ ବିଦେଶରେ ଆୟୋଜିତ ହୋଇଛି।  ହେଲେ କୋଟି କୋଟି ଡଲାରର ବିଶ୍ଵର ଧନଶାଳୀ କ୍ରିକେଟ୍ ଲିଗ୍‌ ଜୈବ ବିବିଧତା ମାହୋଲରେ ଖେଳାଯିବ। ଏଥର କ୍ରିସ୍ ଗେଲ୍ ଓ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଗଗନଭେଦି ଛକା ଉପରେ ତାଳିମାଡ କରିବାକୁ ପଡିଆରେ କେହିନଥିବେ ଏବଂ ନା ସୁପର ଓଭରରେ କୌଣସି ହୋ ହାଲ୍ଲା ପଡିଆରେ ଶୁଣିବାକୁ ମିଳିବ।

କାଗଜ କଲମରେ ଆକଳନ କଲେ ମୁମ୍ବାଇ ଟିମ୍ ସବୁଠୁ ମଜବୁତ ନଜର ଆସୁଛି।। ଏହି ଦଳରେ ରୋହିତ ଶର୍ମାଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ଓ କୃଣାଲ ପାଣ୍ଡ୍ୟା, କିରନ ପୋଲାର୍ଡଙ୍କ ସହିତ ଡେଥ୍‌ ଓଭରର ବାଦଶାହା ବୋଲର ଯଶପ୍ରୀତ ବୁମରା ଅଛନ୍ତି।

ଚେନ୍ନାଇରେ ଅଛନ୍ତି ଅନୁଭବୀ କ୍ରିକେଟ୍‌ର

ଚେନ୍ନାଇ ଟିମ୍‌ ବୟସ୍କ ଖେଳାଳି ଥିଲେ ମଧ୍ୟ ଏହି ଟିମ୍ ସାବ୍ୟସ୍ତ କରି ସାରିଛି ଯେ, ସଫଳତା ଓ ପ୍ରତିଭା ଉପରେ ବୟସର ମହତ୍ଵ ନଥାଏ। ବରିଷ୍ଠ ଖେଳାଳି ସେନ ଓ୍ଵାଟସନ, ଡ୍ଵେନ ବ୍ରାଭୋ, ଫାଫ୍ ଡୁପ୍ଲେସି୍‌ ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଶତ ପ୍ରତିଶତ ଦଳକୁ ଦେଇଛନ୍ତି ଏବଂ ଏଥର ମଧ୍ୟ ଦେବାକୁ ଯଥା ସମ୍ଭବ ଉଦ୍ୟମ କରିବେ।

ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇର ପଲ୍ଲା ଭାରି

ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ପଲ୍ଲା ଭାରି ଲାଗୁଛି। ରୋହିତ, କ୍ଵିଣ୍ଟନ ଡିକକ୍‌, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ପାଣ୍ଡ୍ୟା ଭ୍ରାତା, କିରଣ ପୋଲାର୍ଡ ବ୍ୟାଟିଂ ଭାର ସମ୍ଭାଳିବେ। ଟ୍ରେଣ୍ଟ ବୋଲ୍ଡ ଓ ନାଥନ କୁଲଟର ନାଇଲ୍‌ ମଧ୍ୟ ଦଳରେ ଅଛନ୍ତି। ଅନ୍ୟପଟେ ଚେନ୍ନାଇ ଦଳରେ ଦୀର୍ଘ ବର୍ଷ ହେବ କୌଣସି ବିଶେଷ ପରିବର୍ତ୍ତନ ହୋଇ ନାହିଁ। ଧୋନୀଙ୍କ ସବୁଠୁ ବିଶ୍ଵସ୍ତ ସିପାହୀ ସୁରେଶ ରୈନା ଚଳିତ ଆଇପିଏଲରେ ନଜର ଆସିବେ ନାହିଁ। ତାଙ୍କ ସ୍ଥାନରେ ଋତୁରାଜ ଗାଏକୋଓ୍ଵାଡ ମଧ୍ୟ ଉପଲବ୍ଧ ନାହାନ୍ତି। ସେ ପାଞ୍ଚ ଥର କରୋନା ପଜିଟିଭ୍ ଆସିଲେଣି। ମାତ୍ର ଚେନ୍ନାଇ ପାଖରେ ସେନ ଓ୍ଵାଟସନ, ଅମ୍ବତି ରାୟୁଡୁ, କେଦାର ଯାଦବ, ଜାଡେଜା ଓ ବ୍ରାଭୋଙ୍କ ପରି ମ୍ୟାଚ୍‌ ବିଜେତା ଅଛନ୍ତି। ମିସେଲ ସାଣ୍ଟନର ଓ ଲୁଙ୍ଗି ଗିଡି ମଧ୍ୟ ଚୟନ ପାଇଁ ଉପଲବ୍ଧ ଅଛନ୍ତି।

ଏମିତି ରହିଛି ଚେନ୍ନାଇର ରେକର୍ଡ

ଚେନ୍ନାଇ ସୁପରକିଙ୍ଗ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ସବୁଠୁ ବଡ ଅନୁଭବୀ ଦଳ। ଏହି ଦଳର ଖେଳାଳି ମୋଟ୍ ୩୮୪୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏହି ଅନୁଭବ ଦଳକୁ ବହୁତ ଫାଇଦା ଦେଇଛି। ହେଲେ ଏଥିରୁ ଅନେକ ଖେଳାଳି ବହୁତ ସମୟ ହେବ ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳି ନାହାନ୍ତି। ସାତ ଖେଳାଳି ତ ୨୦୨୦ରେ କୌଣସି ପ୍ରତିଯୋଗିତାମୂଳକ ମ୍ୟାଚ୍ ଖେଳି ନାହାନ୍ତି। ୨୦୧୪ରେ ଯେବେ ଆଇପିଏଲର ପ୍ରଥମ ପର୍ଯ୍ୟାୟ ୟୁଏଇରେ ଖେଳା ଯାଇଥିଲା, ଚେନ୍ନାଇ ୫ଟିରୁ ୪ଟି ମ୍ୟାଚ୍‌ ଜିତିଥିଲା।

ସଫଳ ହେବାକୁ ଚେଷ୍ଟା କରିବ ମୁମ୍ବାଇ

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୟୁଏଇରେ ରେକର୍ଡ ସେତେଟା ସନ୍ତୋଷଜନକ ନୁହେଁ। ୨୦୧୪ରେ ଆଇପିଏଲର ପ୍ରାରମ୍ଭିକ ପର୍ଯ୍ୟାୟରେ ମୁମ୍ବାଇ କ୍ରମାଗତ ୫ଟି ମ୍ୟାଚ୍ ହାରିଥିଲା। ଟିମ୍ ସର୍ବଦା ଧିମା ଆରମ୍ଭ ପାଇଁ ପରିଚିତ। ହେଲେ ଏହି ଦଳର ମଧ୍ୟକ୍ରମ ଦମଦାର। ଦଳରେ ସୂର୍ଯ୍ୟକୁମାର ଯାଦବ(ଷ୍ଟ୍ରାଇକ୍‌ ରେଟ୍ ୧୩୧.୯୬), କିରଣ ପୋଲାର୍ଡ(ଷ୍ଟ୍ରାଇକ୍‌ ରେଟ୍ ୧୪୬.୭୭), କୃଣାଲ ପାଣ୍ଡ୍ୟା(ଷ୍ଟ୍ରାଇକ୍‌ ରେଟ୍ ୧୫୪.୭୮) ଓ ହାର୍ଦ୍ଦିକ ପାଣ୍ଡ୍ୟା(ଷ୍ଟ୍ରାଇକ୍‌ ରେଟ୍ ୧୪୬.୦୬)ଙ୍କ ପରି ବ୍ୟାଟସମ୍ୟାନ୍ ଅଛନ୍ତି।

   Related Posts