ଟୋକିଓ ଅଲିମ୍ପିକ୍ସରେ ଦେଶ ବ୍ୟାନ୍, ଆସିନି ଟିମ୍, କିନ୍ତୁ ଖେଳୁଛନ୍ତି ମସ୍କୋ ଖେଳାଳି :

Published By : Prameya-News7 Bureau | July 29, 2021 IST

ନୂଆଦିଲ୍ଲୀ, ୨୯/୦୭ :   ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାଗ ନେଇନାହିଁ ଋଷ୍ । କିନ୍ତୁ ଋଷ୍ ଆଥଲେଟମାନେ ଏବେସୁଦ୍ଧା ୨୨ଟି ପଦକ ଜିତି ସାରିଲେଣି । ଏହାମଧ୍ୟରୁ ୭ଟି ସୁନା ରହିଛି ।

ଋଷକୁ ଅଲିମ୍ପିକ୍ସ ଖେଳିବା ଉପରେ ୨୦୨୨ ଯାଏଁ କଟକଣା ଲାଗିଛି । କିନ୍ତୁ ୩୩୫ ଜଣ ଋଷ ଆଥଲେଟ୍ ଚଳିତ ଅଲିମ୍ପିକ୍ସରେ ଖେଳୁଛନ୍ତି । ସେମାନେ ଆରଓସି ଅଧିନରେ ଖେଳୁଥିବା ବେଳେ ଦଳ ମେଡାଲ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି ।

କାହିଁକି ଋଷ ଆଥଲେଟଙ୍କ ଉପରେ କଟକଣା ?

୨୦୧୯ରେ ଆଣ୍ଟି ଡୋପିଂ ଏଜେନ୍ସି କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣକୁ ନେଇ ଋଷ ଉପରେ ବ୍ୟାନ୍ ଲଗାଇଥିଲା । ଏହି କଟକଣା ୪ ବର୍ଷ ପାଇଁ ଲାଗୁ ହୋଇଥିଲା । କାରଣ ବହୁ ଖେଳାଳିଙ୍କ ବିରୋଧରେ ନିଶା ସେବନ ନେଇ ଅଭିଯୋଗ ହୋଇଥିଲା । ତେବେ ୨୦୨୦ରେ କୋର୍ଟ ଅଫ୍ ଅର୍ବିରେସନ୍ ଏହାକୁ ୨ ବର୍ଷ କୋହଳ କରିଥିଲା । ଦେଶର ଖେଳାଳିମାନେ ଟୋକିଓ ସହ ଆଗକୁ ଥିବା ପାରା ଅଲିମ୍ପିକ୍ କିମ୍ବା ବେଜିଂରେ ଓ୍ୱିଣ୍ଟର ଅଲିମ୍ପିକ୍ସରେ ଖେଳିପାରିବେ ନାହିଁ । ଏପରିକି ୨୦୨୦ ଫୁଟବଲ ବିଶ୍ୱକପରେ ମଧ୍ୟ ସେମାନଙ୍କୁ ଖେଳିବାକୁ ଅନୁମତି ନାହିଁ ।

ଏଥିପାଇଁ ଋଷ ଆଥଲେଟ୍ ମାନେ ଆରଓସି ବ୍ୟାନରରେ ଖେଳୁଛନ୍ତି । ଆରଓସିର ଅର୍ଥ ହେଉଛି ଋଷିଆନ ଅଲିମ୍ପିକ୍ସ କମିଟି । ଅର୍ଥାତ ସେମାନେ ଦେଶ ବଦଳରେ କମିଟି ବ୍ୟାନରରେ ପ୍ରତିଯୋଗିତା କରୁଛନ୍ତି । ଏଥିରେ କେବଳ ବ୍ୟାନ୍ ହୋଇନଥିବା ଆଥଲେଟ୍ ମାନେ ଖେଳିପାରିବେ ।

କାହିଁକି ଋଷିଆକୁ କରାଯାଇଛି ବ୍ୟାନ୍ ?

୨୦୧୪ ଓ ୨୦୧୫ରେ ଅନେକ ଷ୍ଟାର୍ ଖେଳାଳି ଡୋପିଂ ଟେଷ୍ଟରେ ବିଫଳ ହୋଇଥିଲେ । ସେମାନେ ବେଆଇନ ଶକ୍ତି ବର୍ଦ୍ଧକ ଓ ନିଶା ସେବନ କରୁଥିବା ଜଣାପଡିଥିଲା । ଏହାପରେ ଏକ କିମିଟି ଗଠନ କରି ଓ୍ୱାଡା ତଦନ୍ତ ଆରମ୍ଭ କରିଥିଲା । ପ୍ରମାଣ ମିଳିବା ପରେ ୩୮୯ ଆଥଲେଟଙ୍କ ମଧ୍ୟରୁ ୧୧୧ ଜଣଙ୍କୁ ରିଓ ଅଲିମ୍ପିକ୍ସରେ ଭାଗ ନେବା ଉପରେ କଟକଣା ଲାଗିଥିଲା । ପରେ ବିଭିନ୍ନ ୩୦ଟି କ୍ରୀଡାର ୧୦୦୦ରୁ ଅଧିକ ଖେଳାଳିଙ୍କ ଡୋପିଂ ଟେଷ୍ଟ କରାଯାଇଥିଲା । ଏହାର ରିପୋର୍ଟକୁ ଋଷ ଟ୍ୟାମ୍ପରିଂ କରିଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ବିଭିନ୍ନ ଅଭିଯୋଗ ଭିତ୍ତିରେ ଋଷ ଉପରେ କଟକଣା ଲାଗୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.