ନୂଆଦିଲ୍ଲୀ ୧୭/୦୯: କରୋନା ମହାମାରୀ ସାରା ବିଶ୍ବରେ କାୟା ବିସ୍ତାର କରିଛି। କରୋନା ଭୂତାଣୁ ସଂହାରଲୀଳା ରଚିଥିବା ବେଳେ ଆକ୍ରାନ୍ତଙ୍କ ପାଖ ମାଡ଼ିବା ବି ବିପଦ ଜନକ ଭଳି ମନେ ହେଉଛି । ଜଣେ କରୋନା ଆକ୍ରାନ୍ତଙ୍କ ପକ୍ଷରେ ନିଜ ପ୍ରିୟ ପରିଜନଙ୍କ ସହ ସାକ୍ଷାତ କରିବା ଏକଦମ କଷ୍ଟ । ତେବେ ଏହାକୁ ଦୃଷ୍ଟିରେ ରଖି ଭାରତରେ ଏହି ସମସ୍ୟାର ଏକ ସରଳ ସମାଧାନ ବାହାର କରାଯାଇଛି । କରୋନା ଆକ୍ରାନ୍ତଙ୍କ ସୁଖ ଦୁଃଖର ସାଥି ପାଲଟୁଛି ରୋବଟ୍ । ସେଥିପାଇଁ ରୋବଟ୍ର ନାଁ ରହିଛି ‘ମିତ୍ର’।
ନୋଏଡା ସ୍ଥିତ ଯଥାର୍ଥ ସୁପର ସ୍ପେସାଲିଟି ହସ୍ପିଟାଲରେ ‘ମିତ୍ର’ ନିଜର କାର୍ଯ୍ୟ ଜାରି ରଖିଛି। ରୋବଟ୍ର ଆଖିରେ ‘ଫେସ୍ ରେକଗ୍ନିସନ୍ ଟେକ୍ନୋଲୋଜି’ ଖଞ୍ଜାଯାଇଛି। ଚେହେରା ଦେଖି ଲୋକଙ୍କୁ ଚିହ୍ନି ପାରୁଛି ମିତ୍ର। ଏହାଦ୍ବାରା କେଉଁ ଲୋକଙ୍କ ସହ କଥାବାର୍ତ୍ତା କରୁଛି ତାହା ମଧ୍ୟ ମନେ ରଖିପାରୁଛି ରୋବଟ୍।
କରୋନାରୁ ଭଲ ହେବାକୁ ସମୟ ଲାଗୁଛି । ଏହି ସମୟରେ ରୋଗୀଙ୍କୁ ଦେଖିବାକୁ କେହି ପରିବାର ଲୋକ ଆସିବା ସମ୍ଭବ ବି ନୁହେଁ। ତେଣୁ ‘ମିତ୍ର’ର ମୁଖ୍ୟ ଲକ୍ଷ୍ୟ ଯେଉଁ ରୋଗୀ ମୋବଇଲ୍ ଫୋନ୍ ବ୍ୟବହାର ଜାଣିନଥିବେ ସେମାନେ ଏହା ଜରିଆରେ ପରିବାର ଲୋକଙ୍କ ସହ କାଥା ହୋଇପାରିବେ। ଏନେଇ ଯଥାର୍ଥ ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି। ସେପଟେ ରୋଗୀମାନେ ‘ମିତ୍ର’ ସହାୟତାରେ ପରିବାର ଲୋକଙ୍କ ସହ ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିପାରୁଥିବାରୁ ବହୁତ ଖୁସିଥିବା ପ୍ରକାଶ କରିଛନ୍ତି।
ରୋବଟ୍ ‘ମିତ୍ର’ ବାଙ୍ଗାଲୋରର ଇନ୍ଭେଣ୍ଟୋ ରୋବୋଟିକ୍ସ ଦ୍ବାରା ବିକଶିତ କରାଯାଇଛି। ତେବେ‘ମିତ୍ର’ ପାଇଁ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ପଡ଼ିଛି ବୋଲି ଯଥାର୍ଥ ତ୍ୟାଗି କହିଛନ୍ତି। ‘ମିତ୍ର’କୁ ବି ରିମୋଟ୍ ସାହାଯ୍ୟରେ ଚଳାଇବା ପାଇଁ ବ୍ୟବସ୍ଥା ରହିଛି । ଏହାଦ୍ବାରା କରୋନା ସଂକ୍ରମଣ ବୃଦ୍ଧି ପାଇବ ନାହିଁ ବୋଲି ହସ୍ପିଟାଲ୍ ମୁଖ୍ୟ ଯଥାର୍ଥ ତ୍ୟାଗି କହିଛନ୍ତି ।