ରାଜନୀତିରେ ପ୍ରବେଶ କରିବେ ରବର୍ଟ ଭଦ୍ରା, କହିଲେ- 'ଜନତାଙ୍କ କଷ୍ଟକୁ ବୁଝିଛି'

Published By : Prameya-News7 Bureau | February 26, 2021 IST

ନୂଆଦିଲ୍ଲୀ, ୨୬/୦୨ ରାଜସ୍ଥାନରେ ପହଁଚିବା ପରେ ଗାନ୍ଧୀ ପରିବାରର ଜ୍ୱାଇଁ ରବର୍ଟ ଭଦ୍ରା ରାଜନୀତିରେ ପ୍ରବେଶ କରିବେ ବୋଲି କହିଛନ୍ତି । ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ କହିଛନ୍ତି ଯେ, ସେ ରାଜନୀତିକୁ ଆସନ୍ତୁ ବୋଲି ସମସ୍ତେ ଚାହୁଁଛନ୍ତି । କିନ୍ତୁ ସଠିକ ସମୟକୁ ଅପେକ୍ଷା କରିବାକୁ ହେବ । ଏହାପୂର୍ବରୁ ଶୁକ୍ରବାର ସକାଳେ ରବର୍ଟ ଜୟପୁରରେ ପ୍ରସିଦ୍ଧ ମୋତି ଡୁଙ୍ଗରୀ ଗଣେଶଙ୍କ ଦର୍ଶନ କରିବା ସହ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।

ଭଗବାନଙ୍କୁ ଦର୍ଶନ କରିବା ପରେ ହୋଟେଲରେ ଗଣମାଧ୍ୟମ ସହ ଆଲୋଚନା କରିଥିଲେ ରବର୍ଟ ଭଦ୍ରା । ଏହି ସମୟରେ ସେ କହିଥିଲେ ଯେ, ସେ ରାଜନୀତିକୁ ଆସିବେ । ଲୋକମାନଙ୍କ ପାଇଁ ସେ ରାଜନୀତିକୁ ଆସିବାକୁ ଚାହୁଁଛନ୍ତି । ଲୋକମାନେ ସେ ମୁରାଦାବାଦ କିମ୍ବା ଗାଜିଆବାଦରୁ ରାଜନୀତିରେ ପାଦ ରଖନ୍ତୁ ବୋଲି ଚାହୁଁଛନ୍ତି । ଦେଶରେ ଏବେ ଦରଦାମ ଅହେତୁକ ବୃଦ୍ଧି ପାଇଛି । ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ପେଟ୍ରୋଲ-ଡିଜେଲ ଓ ରୋଷେଇ ଗ୍ୟାସ୍ ଦର ବଢିଛି । ସେ ସାଧାରଣ ଲୋକଙ୍କ କଷ୍ଟକୁ ବୁଝିଛନ୍ତି । ଲୋକମାନେ ନିଜ ପାଇଁ ଔଷଧ ନେବେ ନା ଗାଡ଼ିରେ ପେଟ୍ରୋଲ ଭରିବେ ତାହା ବିଚାର କରି ପାରୁନାହାଁନ୍ତି ।

ମନ୍ଦିର ଦର୍ଶନ ବେଳେ ରବର୍ଟ ଦେଶବାସୀଙ୍କୁ ସୁଖ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି । ଇଡି ସହ ଜଡିତ ମାମଲାକୁ ନେଇ ସେ କହିଛନ୍ତି ଯେ, ସେ ବାରତରେ ଅଛନ୍ତି । ଜେରାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି । ଜେରା ପାଇଁ କୌଣସି କାରଣ ନାହିଁ । ତାଙ୍କୁ ବ୍ୟବହାର କରାଯାଉଛି । ଏହାସହ ଭାରତର ଲୋକ ଶିକିତ । କାହାର ବାକ୍ ଅଧିକାର କେହି ହନନ କରିପାରିବେ ନାହିଁ ବୋଲି ରବର୍ଟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.