ଫିଲ୍ମ ଷ୍ଟାଇଲରେ ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସରୁ ଚୋରି, ‘ପାର୍ସଲ ଭ୍ୟାନ’କୁ ଟାର୍ଗେଟ କରିଥିଲେ ଚୋର

Published By : Prameya-News7 Bureau | October 03, 2019 IST

ନୂଆଦିଲ୍ଲୀ୩|୧୦:ବୁଧବାର ସନ୍ଧ୍ୟାରେ ଚୋରମାନେ ଫିଲ୍ମ ଷ୍ଟାଇଲରେ ଚଳନ୍ତା ଟ୍ରେନରୁ ପାର୍ସଲ ବଗିକୁ ଲୁଟିବା ପାଇଁ  ଚେଷ୍ଟା କରିଥିଲେ। ଟୁଣ୍ଡଲା ନିକଟରେ ଚୋରମାନେ ଟ୍ରେନରେ ଯାଉଥିବା ‘ପାର୍ସଲ ବଗି’ର ସିଲ ଭାଙ୍ଗି ୪ଟି ପାର୍ସଲକୁ ଚଳନ୍ତା ଟ୍ରେନରୁ ତଳକୁ ପିଙ୍ଗି ଦେଇଥିଲେ। ଚୋରମାନେ ଅତି ଚତୁରତାର ସହ ଚୋରି କରିବା ଲାଗି ଷଡ଼ଯନ୍ତ୍ର ରଚିଥିଲେ। ଚଳନ୍ତା ଟ୍ରେନରେ ଚୋରମାନେ ଚଢ଼ି ପାର୍ସଲ ଗୁଡିକୁ ତଳକୁ ପିଙ୍ଗି ଦେଇଥିଲେ। ଟ୍ରେନ ଉପରୁ ପାର୍ସଲ ପଡ଼ୁଥିବା ଦେଖି ଟ୍ରେନର ଗାର୍ଡ ତୁରନ୍ତ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଟ୍ରେନରୁ ପାର୍ସଲ ଚୋରି କରୁଥିବା ଚୋରମାନଙ୍କୁ  ଆରପିଏଫ ଖୋଜୁଛି।

ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟା ୮ଟାରେ ଦିଲ୍ଲୀରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ୨୨୮୨୪ ଭୁବବେଶ୍ବର ରାଜଧାନୀ ଏକ୍ସପ୍ରେସ ଟୁଣ୍ଡଲାର ପଶ୍ଚିମ ଆଉଟରରେ ପହଞ୍ଚି ଥିଲା। ଏହି ସମୟରେ ଚଳନ୍ତା ଟ୍ରେନରୁ ଚୋରମାନେ ୪ଟି ପାର୍ସଲକୁ ତଳକୁ ପିଙ୍ଗି ଦେଇଥିଲେ। ଟ୍ରେନ ଉପରୁ ପାର୍ସଲ ପଡ଼ୁଥିବା  ଦେଖି ରେଳଗାର୍ଡ ଟୁଣ୍ଡଲାର ନିୟନ୍ତ୍ରଣ କକ୍ଷକୁ ଘଟଣା ସଂପର୍କରେ ସୂଚନା ଦେଇଥିଲେ।

ରେଳ ବିଭାଗର ବରିଷ୍ଠ ଅଧିକାରୀ ଘଟଣା ସଂପର୍କରେ ଜାଣିବା ପରେ ତୁରନ୍ତୁ ରେଳ ସୁରକ୍ଷା କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ।  ସେତେବେଳେକୁ ଚୋରମାନେ ଫେରାର ହୋଇସାରିଥିଲେ। ଆରପିଏଫର ଆସିଷ୍ଟାଣ୍ଟ କମାଣ୍ଡର ଯୋଗେନ୍ଦ୍ର ପାଲ  ଓ କମ୍ପାନୀ କମାଣ୍ଡର ଅମିତ ଯାଦବ ଉଭୟ ନେତୃତ୍ବରେ ରେଳବାଇ ସୁରକ୍ଷା ବଳ ଚୋରମାନଙ୍କୁ ଖୋଜୁଛନ୍ତି। ଅମିତ ଯାଦବଙ୍କ ସୂଚନା ଅନୁସାରେ ଘଟଣାସ୍ଥଳରୁ ପାର୍ସଲଗୁଡିକୁ ଉଦ୍ଧାର କରାଯାଇଛି। ଅତି ଶୀଘ୍ର ଚୋରମାନଙ୍କୁ ଗିରଫ କରାଯିବ ବୋଲି ଅମିତ ଯାଦବ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.