ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ: ୪ ବୋମା ସମେତ ମାରଣାସ୍ତ୍ର ଜବତ କଲା ପୋଲିସ, ୫ ଗିରଫ

Published By : Prameya-News7 Bureau | June 28, 2021 IST

ଗଞ୍ଜାମ ୨୮/୬:  ବଡ଼ ଡକାୟତ ଗ୍ୟାଙ୍ଗକୁ କାବୁ କଲା ଦିଗପହଣ୍ଡି ଥାନା ପୋଲିସ। ଏହା ସହ ବଡ଼ ଧରଣର ଡାକାୟତି ଯେଜନାକୁ ପଣ୍ଡ କରି ପୋଲିସ ୫ କୁଖ୍ୟାତ ଡକାୟତଙ୍କୁ ଗିରଫ ମଧ୍ୟ କରିଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଅସାମାଜିକ ଯୁବକଙ୍କ ଦ୍ବାରା ବିଭିନ୍ନ ସମୟରେ ଚୋରି , ଡକାୟତି, ଲୁଟ୍ ଆଦି ଲୋକଙ୍କୁ ଭୟଭୀତ କରି ରଖିଛି। କିନ୍ତୁ ରବିବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା କାଶି ବିଶ୍ବନାଥ ମନ୍ଦିର ଯିବା ରାସ୍ତାରେ କମଳାପୁର ଛକ ନିକଟରେ ଏକ ବଡ଼ ଡକାୟତି ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ ୫ ଜଣକୁ ଗିରଫ ମଧ୍ୟ କରିଛି । ତେବେ ପୋଲିସ ଅଭିଯୁକ୍ତ ମାନଙ୍କ ନିକଟରୁ ୪ଟି ବୋମା ସମେତ ବହୁ ମାରଣାସ୍ତ୍ର ଜବତ କରିଥିବା ସୂଚନା ମିଳିଛି ।

ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ କାଳିଆ ସାହୁ (୨୯) , ସନ୍ତୋଷ ସାହୁ (୩୨) ବିକାଶ ମହାପାତ୍ର (୩୪) , ବାଦଲ ନାଇକ (୧୯) , ପିଣ୍ଟୁ ବେହେରା (୨୮) ରହିଥିବା ବେଳେ ସମସ୍ତ ଅଭିଯୁକ୍ତ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳର । ଖବର ଅନୁଯାୟୀ , ଗତକାଲି ସଟଡାଉନ କଟକଣା ଜାରି ରହିଥିବା ବେଳେ ରାତି ପ୍ରାୟ ସାଢେ଼ ଗୋଟାଏ ସମୟରେ ଦିଗପହଣ୍ଡି ପୋଲିସ ଏସ୍ ଆଇ ମାଧବ ଚନ୍ଦ୍ର ଟାକିରୀ ଓ କର୍ମଚାରୀମାନେ କଇଠଖଣ୍ଡି , ତଲାସିଙ୍ଗି , ଭୂଷୁଣ୍ଡା ଆଦି ଗ୍ରାମରେ ପାଟ୍ରୋଲିଂ ସାରି ଫେରୁଥିବା ସମୟରେ କମଳାପୁର ଛକ ନିକଟବର୍ତ୍ତୀ ଏକ ଗଛ ମୂଳରେ ଅଭିଯୁକ୍ତମାନେ ତଲାସିଙ୍ଗି ଏସବିଆଇ ବ୍ୟାଙ୍କକୁ ଲୁଟିବା ପାଇଁ ଯୋଜନା କରୁଥିଲେ ।

ତେବେ ଦିଗପହଣ୍ଡି ପୋଲିସ ଏହି ବାଟରେ ଯିବା ସମୟରେ ଡକାୟତି ଗ୍ୟାଙ୍ଗଙ୍କ କଥା ଶୁଣିଥିଲେ । ଏହାପରେ ପୋଲିସ ଚାରିପଟେ ନାକାବନ୍ଦୀ କରି ଅଭିଯୁକ୍ତଙ୍କୁ ଘେରାଉ କରିଥିଲା । ଅଭିଯୁକ୍ତ ମାନେ ପୋଲିସକୁ ଚକମା ଦେବାକୁ ଚେଷ୍ଟା ଚଳାଇଥିଲେ ମଧ୍ୟ ପୋଲିସ କବଜାରୁ ବର୍ତ୍ତି ପାରିନଥିଲେ । ତେବେ ପୋଲିସ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଡକାୟତି ଯୋଜନା ନିମନ୍ତେ ବ୍ୟବହାର କରିଥିବା ବୋମା , ଲୁହାରଡ , ଲୁହା ପାଇପ , ୫ ଗୋଟି ମୋବାଇଲ ସମେତ କିଛି ମାରଣାସ୍ତ୍ର ମଧ୍ୟ ଜବତ କରିଥିଲା ।

ଏନେଇ ଦିଗପହଣ୍ଡି ପୋଲିସ ଥାନା କେସ୍ ନଂ ୧୬୨/୨୧ ଧାରା ୩୯୯/୪୦୨ ଆଇପିସି ଏବଂ ବିସ୍ଫୋରକ ନିୟନ୍ତ୍ରଣ ଆଇନ ଧାରା ୪ ଓ ୫ ଅନୁସାରେ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯାଇ ସୋମବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା  ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.