ଜଗତସିଂହପୁର ମହାକାଳେଶ୍ବର ମନ୍ଦିରରୁ ମୂର୍ତ୍ତି ଚୋରୀ ନେଇ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
30/08/2018 at 9:42 PM

ଜଗତସିଂହପୁର ୩୧|୮: ଜଗତସିଂହପୁର ଜିଲ୍ଲା ସଦର ଥାନା ପଲ୍ଲୀ-ସିଙ୍ଗିପୁର ନିକଟରେ ଥିବା ମହାକାଳେଶ୍ବର ମହାଦେବ ମନ୍ଦିରରୁ ଗତ ୨୧ ତାରଖ ବିଳମ୍ବିତ ରାତିରେ ମା ପାର୍ବତୀ ଓ ଗଣେଷଙ୍କର ଦୁଇଟି ୩ଫୁଟ ଉଚ୍ଚତାର ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିବାର ଘଟଣାକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇ ପାରି ନାହିଁ । ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଗ୍ରାମବାସୀ ମାନେ ଏବାବଦରେ ଆଜି ଜଗତସିଂହପୁର ଏସପିଙ୍କୁ ଅବଗତ କରାଇଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଗ୍ରାମବାସୀ ମାନେ ଆଜି ସକାଳୁ ଅଭିଯୁକ୍ତକୁ ଗିରଫ ଓ ମୂର୍ତ୍ତି ଉଦ୍ଧାର ଦାବିରେ ଜଗତସିଂହପୁର-ନାଉଗାଁ ମୁଖ୍ୟ ରାସ୍ତାକୁ ସିଙ୍ଗିପୁର ଛକ ନିକଟରେ ଅବରୋଧ କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି । ଗତ ୨୧ତାରିଖ ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ମନ୍ଦିର ଚଟାଣରେ ବସି ମଦ୍ୟପାନ କରିବା ସହିତ ମନ୍ଦିର ଗ୍ରୀଲ ଭାଙ୍ଗି ମନ୍ଦିର ମଧ୍ୟରେ ଥିବା ଅଷ୍ଟଧାତୁର ମୂଲ୍ୟବାନ ଗଣେଶ ଓ ପାର୍ବତୀ ମୂର୍ତ୍ତି ଚୋରି କରି ନେଇଯାଇଥିଲେ ।ପରଦିନ ସକାଳେ ସକାଳେ ଜଣେ ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ ପାଇଁ ଆସି ମୂର୍ତ୍ତି ଚୋରି ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକମାନଙ୍କୁ ଖବର ଦେଇଥିଲେ ।ଦୁର୍ବୁତ୍ତମାନେ ମୂର୍ତ୍ତି ଚୋରି କରିଥିବା ବେଳେ ଘଟଣା ସ୍ଥଳରେ ଏକ ହଳ ଚପଲ, ମଦ୍ୟପାନ କରୁଥିବା ସ୍ଥଳରେ କିଛି ଖବର କାଗଜ,ବୋତଲ,ମିକଶ୍ଚର୍ ଆଦି ପଡିଥିବା ଦେଖାଯାଇଥିଲା ।