ରାଜପଥରେ ଖୋଲିବ ଢାବା ଓ ଗ୍ୟାରେଜ୍, କିନ୍ତୁ ଚାଲିବ ନିର୍ଦ୍ଦିଷ୍ଟ ନିୟମରେ

Published By : Prameya-News7 Bureau | March 26, 2020 IST

ଭୁବନେଶ୍ୱର ୨୬।୦୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟ ଏବେ ଲକ୍‌ଡାଉନ୍‌ । ଏଭଳି ସମୟରେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ । ଏଥିରେ ଯେଭଳି ସାମାନ୍ୟତମ ସମସ୍ୟା ନ ହେବ ସେଥପାଇଁ ଏନ୍‌ଏଚ୍‌ ବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପାଶ୍ୱରେ ଥିବା ଢାବାଗୁଡିକ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ପ୍ରତି ୨୦ କିଲୋମିଟର ଭିତରେ ଗୋଟିଏ ଢାବା ସହ ଗାଡ଼ି ମରାମତି ଓ ଯନ୍ତ୍ରାଂଶ ଦୋକାନ ଖୋଲା ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ଆନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ସୁବିଧାରେ ପରିବହନକୁ ସରକାର ଗୁରୁତ୍ୱ ଦେଉଛନ୍ତି ।

ଏହି ସାମଗ୍ରୀ ବୋହୁଥିବା ଡ୍ରାଇଭରଙ୍କ ସୁବିଧାକୁ ମଧ୍ୟ ସରକାର ଗୁରୁତ୍ୱ ଦେଇ ଢାବା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଏ ନେଇ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ୨୦ କିଲୋମିଟର ଭିତରେ କେଉଁ ଢାବା ଖୋଲିବ ତାହା ଆରଟିଓ ଓ ସିଏସଓଙ୍କ ମାଧ୍ୟମରେ ଚୟନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଯେଭଳି କୌଣସି ମାଲ୍‌ ପରିବହନ ଗାଡିକୁ ଅଟକିବନି ତାକୁ ନିଶ୍ଚିତ କରିବାକୁ ଏସ୍‌ପିଙ୍କୁ କୁହାଯାଇଛି । ତେବେ ଏନ୍‌ଏଚ୍‌ ପାର୍ଶ୍ୱରେ ଯେଉଁ ଢାବା ଖୋଲିବ ସେଥିରେ ଯେଭଳି ଭିଡ଼ ନ ହେବ ତା ଉପରେ ନଜର ରଖିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.