ତିନିବର୍ଷ ପରେ ବି ସରିଲା ନାହିଁ ରାସ୍ତା କାମ, ଦାବି ପୂରଣ ନହେଲେ ରାସ୍ତାକୁ ଓହ୍ଲାଇବେ ଗ୍ରାମବାସୀ
23/12/2020 at 2:50 PM

ରାଇରଙ୍ଗପୁର ୨୩।୧୨ : ଗ୍ରାମଞ୍ଚଳ ଲୋକଙ୍କ ଗମନାଗମନ ସୁବିଧା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ତା ମଧ୍ୟରେ ଅନ୍ୟତମ ରହିଛି । କୋଟି କୋଟି ଟଙ୍କାର ରାସ୍ତା କାର୍ଯ୍ୟ ନିର୍ଦ୍ଦାରିତ ସମୟରେ ସରିବା ବଦଳରେ ବର୍ଷ ବର୍ଷ ଧରି ଅସମ୍ପୁର୍ଣ ହୋଇପଡିରହୁଛି। ଠିକାଦାର ଓ ଅସାଧୁ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ପାଇଁ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି ନିରୀହ ଲୋକେ। ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ବିଜାତଳା ବ୍ଲକର ବଣକାଟି ଠାରୁ ଭରଣ୍ଡିଆ ରାସ୍ତାର ଅବସ୍ଥା ଅତି ଶୋଚନୀୟ ।

ରାଇରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧିନରେ PMGSY ଯୋଜନାରେ ନିର୍ମାଣଧୀନ ରାସ୍ତା ତିନି ବର୍ଷ ପରେ ବି ହୋଇପାରୁନାହିଁ ସମ୍ପୂର୍ଣ୍ଣ। ସେପଟେ ଠିକାଦାର ନିଜର ସମସ୍ତ ନିର୍ମାଣ ସାମଗ୍ରୀ ଧରି କେବେ ଠାରୁ ପଳାୟନ କରି ସାରିଲେଣି। ଯେତିକି ବି ନିର୍ମାଣ ହୋଇଥିଲା, ତାହା ଅତି ନିମ୍ନ ମାନର ସାମଗ୍ରୀରେ , ଯାହାଫଳରେ ଅଳ୍ପ ଦିନରେ ରାସ୍ତାରୁ ପିଚୁ ଉଠି ଯିବା ସହିତ ଗାତ ମାନ ସୃଷ୍ଟି ହୋଇଗଲାଣି ।

ରାସ୍ତାର ଅବସ୍ଥା ଖରାପ ଯୋଗୁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି ବିଶୋଇ, କୁସୁମୀ ଓ ବିଜାତଳାର ପରି ଆଠ ଟି ଗାଁର ଲୋକେ। ବିଶୋଇ ବ୍ଲକ ଅସନା ଗ୍ରାମ ରୁ ରାଇରଙ୍ଗପୁର କୁ ପ୍ରାୟ ୨୫ କି.ମି. ହ୍ରାସ କରିଥାଏ ଏହି ରାସ୍ତା। ତେଣୁ ରାସ୍ତାର ଦୂରାବସ୍ଥା ପାଇଁ ଆମ୍ବୁଲାନ୍ସ ପରି ଜରୁରୀ ସେବାରୁ ବଂଚିତ ହୋଉଛନ୍ତି ଲୋକେ। ବାରମ୍ବାର ବିଭାଗୀୟ ଅଧିକାରଙ୍କୁ ଗୁହାରି କରିବା ପରେ ବି କୌଣସି ସୁଫଳ ପାଇ ନାହାଁନ୍ତି । ତେଣୁ ଏହାର ଶୀଘ୍ର ସମାଧାନ ନକଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।