ଏକ କୋଟିରୁ ଅଧିକ ଟଙ୍କାର ରାସ୍ତା କାମ ସପ୍ତାହେ ଗଲାନି, ହାତ ମାରିଲେ ଉଠିଯାଉଛି ଖଣ୍ଡ ଖଣ୍ଡ ପିଚୁ, ଆଉ ତାପରେ...

Published By : Prameya-News7 Bureau | January 21, 2021 IST

ଭଦ୍ରକ ୨୧।୦୧: ରାସ୍ତା ଉପରେ ନିର୍ଭର କରନ୍ତି ୮ଟି ପଞ୍ଚାୟତ ୪୦ହଜାରୁ ଲୋକ । ଦୀର୍ଘଦିନର ଦୁରାବ୍ୟସ୍ଥା ପରେ ଅନୁଦାନ ଆସିଛି ଓ ମରାମତି କାର୍ଯ୍ୟ ମଧ୍ୟ ଚାଲିଛି । ଏକ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମରାମତିକରଣ କାର୍ଯ୍ୟ ସମ୍ପୂର୍ଣ ହୋଇନି,  କିନ୍ତୁ ରାସ୍ତାରୁ ପରସ୍ତ ପରେ ପରସ୍ତ ଉଠିଯାଉଛି ପିଚୁ। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଆନ୍ଦୋଳନର ଧମକ ଦେଲେଣି ।

wp:html /wp:html

ଧାମନଗର-ଫଳପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କର ବିକଳ ଚିତ୍ର । ପ୍ରାୟ ୧କୋଟି ରୁ ଅଧିକ ଟଙ୍କା ବ୍ୟୟରେ ରାସ୍ତା ମରାମତି ହେଉଥିଲେ ବି ତାହା ଆରମ୍ଭରୁ ନଷ୍ଟ ହେଇଗଲାଣି । ଏହି ରାସ୍ତା ୨୦୦୬ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନକୁ ଯାଇଥିଲା । ୮ଟି ପଞ୍ଚାୟତର ୪୦ହଜାରରୁ ଅଧିକ ଲୋକଙ୍କ ଲାଇଫ ଲାଇନ କୁହାଯାଉଥିବା ଏହି ରାସ୍ତାକୁ ୨୦୧୫ରେ ପିଏମଜିଏସୱାଇରେ କଂକ୍ରିଟ ଓ ପିଚୁ ମିଶା ରାସ୍ତା କରାଯାଇଥିଲା । ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏହି ରାସ୍ତାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ବେଶ ଟଣା ଓଟରା ହୋଇଥିଲେ । ଏପିରକି ଫଳକ ରାଜନୀତି ମଧ୍ୟ ଦେଖାଦେଇଥିଲା ।

ଧାମନଗର ହାଟ ପାଖରୁ ଫଳପୁର ଯାଏ ୬ କିଲୋମିଟର ରୁ ଅଧିକ ଲମ୍ବର ରାସ୍ତା ପାଇଁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ  ୧କୋଟି ୩୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ୧ କୋଟି ୧୮ଲକ୍ଷ ୫୮ହଜାର ଟଙ୍କାର ଟେଣ୍ଡର ହୋଇଥିଲା । ଏହାପରେ ଜନୈକ ଠିକାଦାର ୧୪ପ୍ରତିଶତ କମରେ ଧରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧ କୋଟି ୮୦ହଜାର ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା । ମୋଟ ମରାମତି ହେବାକୁ ଥିବା ରାସ୍ତା ଭିତରୁ ୫.୦୭୫ କିଲୋମିଟର ପିଚୁ ଓ ୦.୫୯୪ କିଲୋମିଟର ଯାଏ ଲୁହା ରଡ ଦିଆଯାଇ କଂକ୍ରିଟ କରିବାକୁ ନିର୍ଦ୍ଦେଶ ଥିଲା ।

ପିଚୁ ରାସ୍ତାର ତଳେ ମୋରମ, ପାଣି, ବାଲି ଓ ଗେଟି ଦେଇ ଗୋଟିଏ ମୋଟା ଆସ୍ତରଣ କରାଯାଇ, ତା ଉପରେ ପ୍ରଥମେ ବଡ଼ ଚିପ୍ସ ଓ ପିଚୁର ଆସ୍ତରଣ ପଡ଼ିଥାନ୍ତା । ଏହା ପରେ ବଜୁରି ଓ ପିଚୁର ଆସ୍ତରଣ ଦିଆଯିବା କଥା । ପ୍ରତ୍ୟେକ ଆସ୍ତରଣ ପରେ ଭଲ ଭାବେ ରୋଲିଂ କରାଯିବାକୁ ରାସ୍ତାର ପ୍ଲାନ୍ ଆଣ୍ଡ ଏଷ୍ଟିମେଟରେ ରହିଛି । କିନ୍ତୁ ରାସ୍ତାରେ ଯେତିକି କାମ ହୋଇଛି , ତାହା ସାମାନ୍ୟ ଗାଡି ଗଲେ ପିଚୁ ଉଠିଯାଉଛି । ରାସ୍ତାରେ ହାତ ମାରିଲେ ମଧ୍ୟ ପିଚୁ ଉଠିଯାଉଛି । ଗୋଟିଏ ସପ୍ତାହ ମଧ୍ୟରେ କାମ ସରିଥିଲା । ଯଦି ଗୋଟିଏ ସପ୍ତାହ ମଧ୍ୟରେ ରାସ୍ତାର ଅବସ୍ଥା ଏପରି, ତେବେ ଦୋଷ କାହାର । ଉପରସ୍ଥି ଅଧିକାରୀମାନେ ଯଦି ସଠିକ୍‌ ଭାବେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.