ସ୍କୁଲ ବନ୍ଦ ହେବ ବୋଲି ଜିଲ୍ଲାପାଳଙ୍କ ଘୋଷଣା ଜାଣିଥିଲେ ହୁଏତ ଦୁର୍ଘଟଣାର ସମ୍ମୁଖୀନ ହୋଇନଥାନ୍ତେ ଦୁଇଭାଇ

Published By : Prameya-News7 Bureau | September 07, 2018 IST

ରାଉରକେଲା ୭/୯ : ଏଇ ଫୋଟୋ ଦେଖନ୍ତୁ | ଦୀର୍ଷ ଛକସ୍ଥିତ ସିଆଇଏସଏଫ ପରିସରରେ ଥିବା ଅଂକୁର ପବ୍ଲିକ ସ୍କୁଲରେ ଏ ଦୁଇ ଛାତ୍ର,ଦୁଇ ଭାଇ | ବଡ ଭାଇ ଆର୍ଯ୍ୟନ ପ୍ରଜାପତି ୟୁକେଜିରେ ପଢୁଥିଲେ ଆଉ ସାନ ଭାଇ ଅନୁରାଗ ପ୍ରଜାପତିର ବୟସ ୩ ବର୍ଷ | ସେ ସ୍କୁଲରେ ଆଡ଼ମିସନ ନେଇନଥିଲେ ମଧ୍ୟ ବଡ ଭାଇ ସହ ସ୍କୁଲକୁ ଯାଆନ୍ତି | ସ୍କୁଲ ଆରମ୍ଭ ହୁଏ ସକାଳ ୮ଟା ୩୦ ମିନିଟରେ | ପ୍ରାୟ ପ୍ରତ୍ୟେକ ଦିନ ସକାଳ ୮ଟା ୧୫ ମିନିଟରେ କୋଇଲା ଛକକୁ ଏମାନଙ୍କୁନେଇ ମା ପୂଜା ଆସନ୍ତି | ବନ୍ଧମୁଣ୍ଡା ପଟୁ ସ୍କୁଲ ବସ ଆସେ | ସ୍କୁଲ ବସରେ ବସେଇଦେବା ପରେ ମା ଫେରିଯାଆନ୍ତି ଘରକୁ | କିନ୍ତୁ ସବୁଦିନ ଭଳି ଆଜିର ଦିନ ନଥିଲା | ସ୍କୁଲ ବସ ଆସିବା ପୂର୍ବରୁ ବିଶ୍ରା ପଟୁ ଆସିଲା ଏକ ମିନି ଯାତ୍ରୀବାହୀ ବସ ରାଜହଂସ | ଆଉ ଚଢ଼ିଗଲା ମା ପୁଅ ତିନିଜଣଙ୍କ ଉପରେ | ସାନପୁଅ ଅନୁରାଗ ଓ ମା ପୂଜା ଛିଟିକି ପଡିଲେ ଦୁରକୁ କିନ୍ତୁ ଆର୍ଯ୍ୟନଙ୍କ ଗୋଡ ଉପରକୁ ଚଢ଼ିଗଲା ବସ | ବର୍ଷା ଯୋଗୁଁ ସ୍କୁଲ ବନ୍ଦ ରହିବ ବୋଲି ଗତକାଲି ସନ୍ଧ୍ୟାରୁ ବିଭିନ୍ନ ଜିଲ୍ଲାପାଳ ଘୋଷଣା କରିଛନ୍ତି | କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାପାଳ ଆଜି ସକାଳୁ ଘୋଷଣା କଲେ ଯେ, ସ୍କୁଲ ଛୁଟି ରହିବ | ଏ ଖବର ପୂଜା ପ୍ରଜାପତି ବା ତାଙ୍କ ସ୍ୱାମୀ ଅନୁପ ପ୍ରଜାପତି ଜାଣିନଥିଲେ | ସେମାନେ ଯଦି ଏକଥା ଜାଣିଥାନ୍ତେ ତାହେଲେ ହୁଏତ ଏକ ବଡ ଦୁର୍ଘଟଣାରୁ ମଧ୍ୟ ବର୍ତ୍ତୀ ଯାଇଥାନ୍ତେ | ଆହତ ଦୁଇ ଭାଇଙ୍କ ପିତା ଅନୁପ ପ୍ରଜାପତି ଜଣେ ମୂର୍ତ୍ତି କାରିଗର | ଗଣେଶ ପୂଜା, ସରସ୍ବତୀ ପୂଜା ସମୟରେ ମୂର୍ତ୍ତି ତିଆରି କରି ଗୁଜୁରାଣ ମେଣ୍ଟାନ୍ତି | ନିଜ ଘର ବିହାର ରାଜ୍ୟରେ ହେଲେ ମଧ୍ୟ କୋଇଲା ବସ୍ତିରେ ଦୀର୍ଘ ଦିନ ହେଲା ସପରିବାର ରହନ୍ତି | ଆଇଜିଏଚରେ ଚିକିତ୍ସିତ ହେଉଥିବା ୩ ଜଣଙ୍କ ମଧ୍ୟରୁ ଆର୍ଯ୍ୟନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି | ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାଂତର କରିବା ପାଇଁ ଡାକ୍ତରମାନେ ନିଷ୍ପତ୍ତି ନେଇଛନ୍ତି | ଆର୍ଯ୍ୟନଙ୍କ ଡାହାଣ ଗୋଡରେ ଆଘାତ ଲାଗିଛି | ଅସ୍ତ୍ରୋପଚାର ଆବଶ୍ୟକ ବୋଲି ଡାକ୍ତରମାନେ ମତ ଦେଇଛନ୍ତି | ଯଦିଓ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ରାଉରକେଲା ତହସିଲଦାର ପ୍ରତିଶୃତି ଦେଇଛନ୍ତି ତଥାପି ଆହତଙ୍କ ପିତା ଅନୁପ ପ୍ରଜାପତି ଅତ୍ୟନ୍ତ ମ୍ରିୟମାଣ ହୋଇପଡିଛନ୍ତି | ଏହି ଦୁର୍ଘଟଣା ପରେ କୋଇଲା ଛକରେ ଉତ୍ତେଜନା ଦେଖାଦେଇଥିଲା | ସ୍ଥାନୀୟ ଲୋକେ ଟାୟାର ଜାଳି ଦୀର୍ଘ ୩ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ | ଏହି ରାସ୍ତା ଦେଇ ଯାଇଥିବା ଗାଡି ଗୁଡିକର ବେଗ ଉପରେ କଟକଣା ଲାଗୁ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.