ଟ୍ରକକୁ ପଛପଟୁ ପିଟିଲା ବାଇକ, ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର
18/07/2020 at 2:56 PM

ନୂଆପଡା ୧୮।୦୭: ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡାମୁଣ୍ଡା ବସଷ୍ଟାଣ୍ଡ କେନାଲ ନିକଟରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ବାଇକ୍ ପିଟିବାରୁ ଘଟଣାସ୍ଥଳରେ ସ୍ଵାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତ ସ୍ଵାମୀଙ୍କ ନାମ ଚୂଡାମଣି ମାଝି(୨୮) ଓ ଆହତ ପତ୍ନୀଙ୍କ ନାମ ପ୍ରେମଶିଲା ମାଝି(୨୪)।
ସୂଚନା ଅନୁଯାୟୀ ଆଜି ସକାଳେ କୋମନା ଥାନା ଭେଲା ଭରତପଡା ଗାଁର ଚୂଡାମଣି ଓ ସ୍ତ୍ରୀ ପ୍ରେମଶିଲା ମେଡିକାଲ କାମରେ ନୂଆପଡା ଆସିଥିଲେ। ଏଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିସ୍ତ୍ରିତ ହୋଇ ଏକ ବାଇକ ହିରୋହୋଣ୍ଡା ଗ୍ଲେମର( ଓଡି ୨୬ ଡି ୪୪୨୬)ରେ ଘରକୁ ଫେରୁଥିଲେ । ମଧ୍ୟାହ୍ନରେ ଜାତୀୟ ରାଜପଥ ୩୫୩ ଜଡାମୁଣ୍ଡା ବସଷ୍ଟାଣ୍ଡ କେନାଲ ନିକଟରେ ଛିଡା ହୋଇଥିବା( ଆରଜେ ଜିବି୧୦୬୯) ଟ୍ରକକୁ ପଛପଟେ ପିଟି ହୋଇଥିଲା । ଏଥିରେ ଚୂଡାମଣିଙ୍କ ମୁଣ୍ଡରେ ଗଭୀର କ୍ଷତ ଲାଗିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ପ୍ରେମଶିଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ କୋମନା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।