ଚୌଦ୍ୱାର ନିକଟ ଗୋପାଳପୁର ଛକରେ ବାଇକ୍‌କୁ ପିଟିଲା ବସ୍ ; ୨ ମୃତ ଜଣେ ଆହତ

Published By : Prameya-News7 Bureau | October 24, 2018 IST

ଚୌଦ୍ୱାର ୨୪/୧୦ : ଚୌଦ୍ୱାର ନିକଟ ଗୋପାଳପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ମଟର ସାଇକଲକୁ ପଛପଟୁ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି | ଜଣେ ଆହତ ହୋଇଛନ୍ତି | ଏହାର ପ୍ରତିବାଦ କରି ଉତ୍ୟକ୍ତ ଲୋକେ ଗୋପାଳପୁର ଠାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି | ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଗୋପାଳପୁର ଛକରେ ହମ୍ପସ ନିର୍ମାଣ ଦାବିରେ ଏହି ରାସ୍ତାରୋକ ହୋଇଛି | ସୂଚନାଯୋଗ୍ୟ ଯେ, ଆଜି ଦିନ ପ୍ରାୟ ୧୨ ବେଳକୁ ପ୍ରଦୀପ ଦାସ ନିଜ ମା ସାବିତ୍ରୀ ଦାସ ଓ ସାଙ୍ଗ ଟୁନାଙ୍କୁ ଗୋଟିଏ ମଟର ସାଇକେଲରେ ନେଇ ଜଗତପୁରରୁ ଚୌଦ୍ୱାର ନିକଟସ୍ଥ ଗୋପାଳପୁର ଗାଁରେ ରହୁଥିବା ନିଜ ଭଉଣୀ ଘରକୁ ଯାଉଥିଲେ | ଗୋପାଳପୁର ଛକରୁ ଡାହାଣକୁ ବିକେଟର ଦେଇ ଗୋପାଳପୁର ଗାଁ ରାସ୍ତା ଆଡକୁ ବୁଲିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ରାଜଲକ୍ଷ୍ମୀ ବସ ବାଇକକୁ ଧକ୍କା ଦେଇଥିଲା | ଫଳରେ ପ୍ରଦୀପ ଦାସ ବାଇକରୁ ଦୁରକୁ ଛିଟିକି ପଡିଥିବା ବେଳେ ତାଙ୍କ ମା ସାବିତ୍ରୀ ଦାସ ଓ ସାଙ୍ଗ ଟୁନା ବସ ଚକା ତଳେ ପଡିଯାଇଥିଲେ | ଏ ଦୁଇ ଜଣଙ୍କ ଉପରେ ବସ ଚକ ମାଡ଼ିଯିବା ଯୋଗୁଁ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା | ଅପରପକ୍ଷରେ ବାଇକ ଚାଳକ ପ୍ରଦୀପ ସାମାନ୍ୟ ଆହତ ହୋଇଛନ୍ତି | ଦୁର୍ଘଟଣା ପରେ ସମ୍ପୃକ୍ତ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି | ଲୋକମାନେ ରାସ୍ତାରୋକ କରିଛନ୍ତି | ପୋଲିସ ଓ ପ୍ରଶାସନ ଲୋକଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇବା ପାଇଁ ଉଦ୍ୟମ କରୁଛନ୍ତି | ସୂଚନାଯୋଗ୍ୟ ଯେ, ମୃତ ଟୁନା ଯୋବ୍ରାର ହୋଇଥିବା ବେଳେ ସେ ପ୍ରଦୀପଙ୍କ ଗ୍ୟାରେଜରେ କାମ କରୁଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.