ଭିଡ ବଢୁଛି, ଦୁର୍ଘଟଣା ବଢୁଛି : ଟ୍ୱିନସିଟିରେ ୯ବର୍ଷରେ ଗଲାଣି ୨,୬୯୩ ଜୀବନ

Published By : Prameya-News7 Bureau | August 27, 2020 IST

ଭୁବନେଶ୍ୱର ୨୭।୦୮: ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ନାଲ୍‌କୋ ଛକରେ ଦୁଇଟି କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣା କିପରି ହେଲା , ତାହା ସ୍ପଷ୍ଟ ହୋଇନାହିଁ । ତେବେ ଦେଖିବାକୁ ଗଲେ କେବଳ ଭୁବନେଶ୍ୱର ନୁହେଁ ବରଂ କଟକରେ ମଧ୍ୟ ଅନେକ ପ୍ରାଣ ଯାଇଛି ।

 ଟ୍ୱିନ୍‌ ସିଟିର ରାଜପଥ ଓ ଜନପଥ ସବୁ ରାସ୍ତା ଅସୁରକ୍ଷିତ। ପ୍ରତିଦିନ ଦୁର୍ଘଟଣାରେ ଜୀବନ ଯାଉଛି । କମିଶନ୍‌ରେଟ୍‌ ପୁଲିସ୍‌ର ରିପୋର୍ଟ କହୁଛି, ଗତ ୯ ବର୍ଷ ମଧ୍ୟରେ ଏହି ୨ ସହରରେ ଦୁର୍ଘଟଣା ଯୋଗୁ ୨,୬୯୩ ଲୋକଙ୍କ ମୃତ୍ୟୁ ହୋଇଛି । ପିତାପଲ୍ଲୀରୁ କଟକ ଓଏମ୍‌ପି ଛକ ଭିତରେ ସର୍ବାଧିକ ଜୀବନ ଯାଇଛି। ଏନେଇ ପୁଲିସ୍‌ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୀର୍ଘ ୯ ବର୍ଷ ହେବ କାରଣ ଖୋଜୁଛନ୍ତି। ହେଲେ କିଛି ପାଉନାହାନ୍ତି । ବିଶେଷ କରି ରସୁଲଗଡ଼ ଠାରୁ ଫାୟାର ଷ୍ଟେସନ ପର୍ଯ୍ୟନ୍ତ ଲମ୍ବିଥିବା ଫ୍ଲାଏଓଭର ଦୁର୍ଘଟଣା ସମସ୍ୟାକୁ ବଢାଇ ଦେଇଛି । ବାଇକ୍‌ ହେଉକି ଟ୍ରକ୍‌, ଏହି ଫ୍ଲାଏ ଓଭରରେ ସମସ୍ତଙ୍କ ଗାଡ଼ି ବେଗ ୧୦୦ ଉପରେ ରହୁଛି ।

ସେହିଭଳି ଡେଥ୍‌ ଜୋନ୍‌ ପାଲଟିଛି ବରମୁଣ୍ଡା କାଳି ମନ୍ଦିର ସମ୍ମୁଖ ଫ୍ଲାଏ ଓଭର। ଏଠି ଦିନରାତି କେବେ ବି ନିସ୍ତାର ନାହିଁ। ଦୁର୍ଘଟଣାରେ ଜୀବନ ଯିବା ଆଉ ଗୁରୁତର ଆହତ ହେବା ଏଠି ସ୍ୱାଭାବିକ ଘଟଣା । ତା’ଛଡା ରସୁଲଗଡ଼ ଫ୍ଲାଏ ଓଭରରେ ୨ ବର୍ଷ ଭିତରେ ୧୧ ଜଣଙ୍କ ଜୀବନ ଗଲାଣି । ଗୋହିରିଆ ଛକ, କଟକ ଫୁଲନଖରା ଓ ଗୋପାଳପୁର ଛକ ଅବସ୍ଥା ଆହୁରି ସାଂଘାତିକ । ରାତି ହେଲେ ଅଧିକ ଭୟଙ୍କର ହୋଇଯାଉଛି ଏସବୁ ଛକ । ରାତିରେ ଟ୍ରକ୍‌ ଚାଳକମାନେ ରକ୍ତ ମୁଖା ହୋଇ ମାଡି ଚାଲୁଛନ୍ତି । ସବୁ ଦେଖି ସ୍ଥାଣୁ ପାଲଟି ଯାଇଛନ୍ତି ପୁଲିସ୍‌, ଜାତୀୟ ରାଜପଥ କର୍ତ୍ତୃପକ୍ଷ ।

ଖଣ୍ଡଗିରି ଛକରେ ୨୦୧୩ ଡିସେମ୍ୱର ୧ ତାରିଖରେ ଘାତକ ହାଇୱା ୧୧ଗାଡିକୁ ମାଡ଼ିମକଚି ଦେଇଥିଲା। ଏଥିରେ ୩ଜଣଙ୍କ ଜୀବନ ଯାଇଥିଲା । ୧୫ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାର ପ୍ରାୟ ମାସକ ପରେ ଏକ ବାଲି ବୋଝେଇ ଟ୍ରକ୍‌ ଟ୍ରାଫିକ ସିଗନାଲ୍‌ ଭାଙ୍ଗି ଜଣେ ବାଇକ ଆରୋହୀଙ୍କ ଉପରେ ମାଡି ଯାଇ ପୁଣି ଏକ ଟ୍ରେଲରକୁ ଧକ୍କା ଦେଇଥିଲା। ୨୦୧୪ ମାର୍ଚ୍ଚ ୩୦ ତାରିଖ ରାତିରେ ଘଟିଥିଲା ଆଉ ଏକ ମର୍ମନ୍ତୁଦ ଛାତି ଥରା ସଡ଼କ ଦୁର୍ଘଟଣା । ଟ୍ରକ୍‌ ଧକ୍କାରେ ଗୋଟିଏ କାର୍‌ରେ ଯାଉଥିବା ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ୨୦୧୧ ଅକ୍ଟୋବର ୧୭ ତାରିଖରେ ଖଣ୍ଡଗିରି ମୁଣ୍ଡିଆରୁ ଏକ ପଥର ବୋଝେଇ ଦ୍ରୁତ ଗତିରେ ଆସି ଫୁଟ୍‌ପାଥରେ ଥିବା ଦୋକାନ ଉପରେ ମାଡି ଯାଇଥିଲା । ଏଥିରେ ୨ ଜୀବନ ଯାଇଥିଲା । ଏ ଥିଲା ଖଣ୍ଡଗିରି କଥା । ଗୋହିରା ଓ ପିତାପଲ୍ଲୀ ଛକ ପାଲଟିଛି ମୃତ୍ୟୁଯନ୍ତା । ଏହି ୨ଟି ସ୍ଥାନକୁ ‘ବ୍ଲାକ୍‌ ସ୍ପଟ୍‌’ କୁହାଯାଉଛି । ସେଠାରେ ‘ବ୍ଲାକ୍‌ ସ୍ପଟ୍‌’ ବୋଲି ଏକ ଫଳକ ମାରି ଦେଇ ପୁଲିସ୍‌ ତା’କାମ ସାରି ଦେଇଛି । ନୂଆପଲ୍ଳୀ ଓ ବାଣୀବିହାର ଫ୍ଲାଏ ଓଭର ଉପରେ ମଧ୍ୟ ‘ବ୍ଲାକ୍‌ ସ୍ପଟ୍‌’ ବୋଲି ଫଳକ ଲାଗିଛି । ହେଲେ ଦୁର୍ଘଟଣା ଯେମିତି ହେବା କଥା ହେଉଛି । ଦୁର୍ଘଟଣାରେ କଟକ ଅପେକ୍ଷା ଭୁବନେଶ୍ୱରରେ ଅଧିକ ଜୀବନ ଯାଉଛି ।

ରାତି ହେଲେ ୮୦ ପ୍ରତିଶତ ଜାତୀୟ ରାଜପଥ ପୂରା ଅନ୍ଧାର ହୋଇଯାଉଛି । ଟ୍ରକ୍‌, ହାଇୱା, ଡମ୍ପର, ଚାରି ଚକିଆ ଦ୍ରୁତ ଗତିରେ ଛକ ଅତିକ୍ରମ କରୁଛନ୍ତି । କେଉଁ ଠାରେ ସ୍ପିଡ୍‌ ବ୍ରେକର ନାହିଁ । ଫଳରେ ଗାଡି ବେଗ କମୁନି । ଦୁର୍ଘଟଣା ଘଟିଲେ ଅବସ୍ଥା ସାଂଘାତିକ ହୋଇ ପଡୁଛି । ରାତି ୧୦ଟା ବାଜିଲେ ଟ୍ରାଫିକ୍‌ ପୁଲିସର ଡ୍ୟୁଟି ସରିଯାଉଛି । ଜାତୀୟ ରାଜପଥରେ ସମ୍ୱେଦନଶୀଳ ଛକ ଭାବେ ଗଣା ଯାଉଥିବା ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟବିହାର, ସିଆରପି, ଫାୟାର ଷ୍ଟେସନ, ଖଣ୍ଡଗିରି, ପଳାଶୁଣି, ଫୁଲନଖରା, ଗୋପାଳପୁରରେ ଟ୍ରାଫିକ ନିୟନ୍ତ୍ରଣ କରିବାକୁ କେହି ରହୁ ନାହାନ୍ତି । ଯାହା ଦୁର୍ଘଟଣା ବଢ଼ିବାର ଅନ୍ୟତମ କାରଣ ବୋଲି କୁହାଯାଉଛି । ଜାତୀୟ ରାଜପଥରେ ପାଟ୍ରୋଲିଂ ବି ଠପ୍‌ । ଏପଟେ କମିଶନରେଟ୍‌ ପୁଲିସ୍‌ ଦୁର୍ଘଟଣା ରୋକିବା ଦିଗରେ ଅନେକ ଯୋଜନା କରିଛନ୍ତି । ହେଲେ ସେ ସବୁ ଫେଲ୍‌ ମାରିଥିବା ସ୍ପଷ୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.