ବାଇକ ପାର୍କିଂ ଘଟଣାକୁ ନେଇ ସଂଘବଦ୍ଧ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟଣା, ରାସ୍ତାରେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | November 04, 2021 IST

ଆଠଗଡ ୦୪/୧୧ : କଟକ ଜିଲ୍ଲା ବଡମ୍ବା ଥାନା ସମ୍ମୁଖରେ ୬୫ନଂ ରାଜ୍ୟ ରାଜପଥ ଅବରୋଧ କରାଯାଇଥିଲା । ମୁଗଗହୀର ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ । ସୂଚନା ଅନୁଯାୟୀ ସେହି ଗାଁର ଦିଲ୍ଲୀପ ଖଟୁଆ (୩୬) କଟକରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି ଓ ଦୀପାବଳି ଛୁଟିରେ ନିଜ ଘରକୁ ଫେରି ତାଙ୍କ ଘର ପାଖରେ ଥିବା ବାସେଳି ମନ୍ଦିର ନିକଟରେ ନିଜର ମଟରସାଇକେଲ ଥୋଇ ଘରକୁ ଯିବା ସମୟରେ ସେହି ଗ୍ରାମର ଚରଣ ରାଉତ, ଦିଲ୍ଲୀପଙ୍କୁ ବାସେଳି ଠାକୁରାଣୀଙ୍କ ମନ୍ଦିର ନିକଟରେ ଗାଡି ରଖିବାକୁ ବାରଣ କରିଥିଲେ । ଦିଲ୍ଲୀପ ଖଟୁଆ ତାଙ୍କ କଥା ନଶୁଣିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ପରେ ଦିଲ୍ଲୀପ ତାଙ୍କ ଘରକୁ ଚାଲି ଆସିଥିଲେ ।

କିଛି ସମୟ ପରେ ଚରଣ ଓ ତାଙ୍କ ପରିବାର ଦିଲ୍ଲୀପଙ୍କ ଘରକୁ ଆସି ମାଡ଼ପିଟ କରିଥିଲେ । ଦିଲ୍ଲୀପଙ୍କ ସମେତ ତାଙ୍କ ସାନ ଭାଇ,ବାପା , ମା’ ଓ ଭଉଣୀଙ୍କୁ ଚରଣ ରାଉତଙ୍କ ପରିବାର ଦିଲ୍ଲୀପଙ୍କ ପରିବାର ଲୋକଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।  । ଯାହାଫଳରେ ଦିଲୀପଙ୍କ ପରିବାରର ୪ଜଣ ଗୁରୁତର ହୋଇ ପ୍ରଥମେ ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ସେଠାରେ ଡାକ୍ତର ଦିଲ୍ଲୀପଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଦୋଷୀଙ୍କୁ ଗିରଫ ଏବଂ କଡା କାର୍ଯ୍ୟାନୁଷ୍ଠାନ ଦାବିରେ, ରାସ୍ତାରେ ଦିଲ୍ଲୀପଙ୍କ ଶବ ରଖି ଗ୍ରାମବାସୀ ଓ ପରିବାର ଲୋକଙ୍କ ତରଫରୁ ଏହି ରାସ୍ତା ଅବରୋଧ କରାଯାଇଥିଲା । ଆଠଗଡ଼ SDPO ଦେବେନ୍ଦ୍ର ମଲ୍ଲିକ ଲୋକମାନଙ୍କୁ ବୁଝାସୁଝା କରି ଅଭିଯୁକ୍ତ ମାନଙ୍କୁ ୭ ଦିନ ଭିତରେ ଗିରଫ କରିବକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.