ହାତୀପଲଙ୍କ ଉପଦ୍ରବରେ ଭାଙ୍ଗୁଛି ଘର, ଉଜୁଡୁଛି ଫସଲ ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ
14/01/2021 at 10:04 AM

ଢେଙ୍କାନାଳ ୧୪।୦୧ : ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବାଙ୍ଗୁରିସିଂହା ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଘର ଭାଙ୍ଗିବା ସହ ଚାଷ ଉଜାଡିଦେଉଛନ୍ତି ହାତୀପଲ । ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ବିରୋଧ କରି ୫୫ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ ।
ଖବର ଅନୁଯାୟୀ, ଗାଁରେ ହାତୀପଲ ବାରମ୍ବାର ଘର ଭାଙ୍ଗିବା ସହ ବାଡ଼ି ବଗିଚା ଉଜାଡି ଦେଉଛନ୍ତି । ଯାହାଫଳରେ ଗ୍ରାମବାସୀମାନେ ଅସୁରକ୍ଷିତ ହୋଇପଡୁଛନ୍ତି । ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ର ବାଙ୍ଗୁରିସିଂହା ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ବୁଧବାର ବିଲମ୍ବିତ ରାତିରେ ହାତୀପଲ ଗାଁରେ ପଶି ପାଞ୍ଚୋଟି ଘର ଭାଙ୍ଗି ଦେଇଛନ୍ତି । ଏପରିକି ହାତୀପଲ ଅନେଜ ଲୋକଙ୍କ ବାଡ଼ି ବଗିଚାରେ ପଶି ପରିବ ଚାଷକୁ ଦଳି ଚକଟି ନଷ୍ଟ କରିଦେଇଛନ୍ତି । ଅଞ୍ଚଳରେ ହାତୀପଲ ବାରମ୍ବାର ଏପରି ପଦ୍ରବ ସତ୍ତ୍ୱେ ବନବିଭାଗ ସୁରକ୍ଷା ଦେବାରେ ବିଫଳ ହୋଇଛି ।
ଯାହାକୁ ନେଇ ଗ୍ରାମବାସୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ବାଙ୍ଗୁରିସିଂହା ଠାରେ ୫୫ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ଦୁଇଘଣ୍ଟା ଧରି ଅବରୋଧ କରିଥିଲେ । ସୁରକ୍ଷା ଓ କ୍ଷତିପୂରଣ ଦାବି କରିଥିଲେ ଗ୍ରାମବାସୀ । ଯାହାଫଳରେ ରାଜପଥରେ ସାଧାରଣ ଗାଡି ଚଳାଚଳ ବାଧାପ୍ରାପ୍ତ ଯୋଗୁଁ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ମୋଟଙ୍ଗା ପୁଲିସ ପହଂଚି ବୁଝାସୁଝା କରିବାପରେ ରାସ୍ତା ଅବରୋଧରୁ ହଟିଛନ୍ତି ଗ୍ରାମବାସୀ ।