ଗଛ କାଟି ମାଓବାଦୀଙ୍କ ରାସ୍ତା ଅବରୋଧ, ସ୍ଥାନେ ସ୍ଥାନେ ମରାଯାଇଛି ପୋଷ୍ଟର
28/12/2020 at 9:40 AM

ବାଲିଗୁଡ଼ା ୨୮।୧୨: କିଛି ଦିନର ବ୍ୟବଧାନ ପରେ ପୁଣି ମାଓବାଦୀ ସଂଗଠନ ସକ୍ରିୟ l ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି l ନକ୍ସଲମାନଙ୍କ ଉପରେ ପୋଲିସର ଆକ୍ରମଣକୁ ପ୍ରତିବାଦରେ ନକ୍ସଲ ସଂଗଠନ ତରଫରୁ ଆଜି ବନ୍ଦ ଡାକରା ଦିଆଯାଇଛି । କନ୍ଧମାଳ ସୀମାନ୍ତ କୋଟଗଡ ଥାନା ଅନ୍ତର୍ଗତ ବଣ୍ଡା ପିପିଲି ଗାଁ ନିକଟରେ ନକ୍ସଲ ମାନେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି। ରାୟଗଡା -କନ୍ଧମାଳ ଜିଲ୍ଲା ରାସ୍ତାର ଯାତୟତ ବାଧାପ୍ରାପ୍ତ ହୋଇଛି ।

ଡିସେମ୍ବର ୨୮ରେ ଓଡିଶା ଓ ପୂର୍ବ ଛତିଶଗଡ଼ ବନ୍ଦ ଡାକରା ଦେଇଥିଲା ଏହି ମାଓ ସଂଗଠନ। ଏନେଇ ଏକ ଅଡିଓ ଟେପ୍ ଜାରି କରାଯାଇଥିଲା । ସିପିଆଇ ମାଓବାଦୀ ପକ୍ଷରୁ ଜାରି ହୋଇଥିବା ଅଡିଓ ଟେପରେ , ଡିସେମ୍ବର ୨୮ରେ ଅର୍ଥାତ ଆଜି ଓଡିଶା ସମେତ ପୂର୍ବ ଛତିଶଗଡ଼ ବନ୍ଦ ପାଳନ କରିବା ପାଇଁ ଆହ୍ବାନ ଦିଆଯାଇଥିଲା । ଏପିରିକି ଅଡିଓ ଟେପ୍ ରେ ନକ୍ସଲ ସାଥୀଙ୍କ ମୃତ୍ଯୁର ଜବାବ ରକ୍ତରେ ଦେବା ପାଇଁ କୁହାଯାଇଛି ।

ବିଭିନ୍ନ ସ୍ଥାନରେ ଏସଓଜି ଓ ଡିଭିଏଫ୍ ଯବାନ ମାନେ ଯେପରି ନକ୍ସଲମାନଙ୍କୁ ହତ୍ଯା କରୁଛନ୍ତି ତାର ଉଚିତ୍ ଜବାବ ଦିଆଯିବ ବୋଲି ଅଡିଓ ଟେପ୍ କୁହାଯାଇଥିଲା । ଜଳ, ଜଙ୍ଗଲ ଓ ଜମିର ହକ୍ ପାଇଁ ଲଢେ଼ଇ ଜାରି ରଖିବାକୁ ମାଓସଂଗଠନର ଆହ୍ବାନ କରିଛି । ତେବେ ଆଜି ଏହାର ପ୍ରଭାବ ରାୟଗଡା ଜିଲ୍ଲାର ଏବଂ କନ୍ଧମାଳ ସୀମାନ୍ତରେ ଦେଖିବାକୁ ମିଳିଛି । ଗଛ କାଟି ରାସ୍ତା ଅବରୋଧ କରାଯାଇଛି । ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ଲଗାଯାଇଛି । ଗତକାଲି ମାଓବାଦୀ ମାନେ ମଧ୍ୟ ତୁମୁଡିବନ୍ଧର କୁର୍ତ୍ତମଗଡ଼ରେ ପୋଷ୍ଟର ଲଗାଇଥିଲେ l