ଡମ୍ପର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଡମ୍ପର, ଟ୍ରାକ୍ଟର ଓ ଜେସିବି ସହ ମାଲିକଙ୍କ ଘର ଜାଳିଦେଲେ ଲୋକ
29/06/2019 at 8:25 PM

ଭୋଗରାଇ ୨୯।୬: ବାଲେଶ୍ଵର ଜିଲ୍ଲା ଭେଗରାଇ ବ୍କକ ଅନ୍ତର୍ଗତ ଦାହୁଣଦା-ରାଣୀଗୁଡା ମୁଖ୍ୟରାସ୍ତାର ମଶାଣିଛକ ନିକଟରେ ସଡକ ଦୁର୍ଘଟଣାକୁ ନେଇ ଲୋକେ ଲଙ୍କାକାଣ୍ଡ କରିଛନ୍ତି। ସାଇକେଲରେ ଯାଉଥିବା ଜଣେ ସ୍ଥାନୀୟ ଲୋକକୁ ଧକ୍କା ଦେଇଛି ଏକ ଡମ୍ପର । ଫଳରେ ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଥିଲା। ତେବେ ଜାଣିସୁଣି ତାଙ୍କୁ ଡମ୍ପର ଚଢାଇ ମାରି ଦେଇଥିବା ଅଭିଯୋଗ କରି ଲୋକେ ୫ଟି ଡମ୍ପର ଓ ଗୋଟିଏ ଜେସିବି ସମେତ ଡମ୍ପର ମାଲିକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି।

ଶନିବାର ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଥିଲା।ଡମ୍ପର ଧକ୍କାରେ ମୃତ ସାଇକେଲ ଆରୋହୀଙ୍କୁ ଦାହୁଣଦା ଗ୍ରାମର ଶଶିକାନ୍ତ ଦାସଭାବେ ଚିହ୍ନଟ କରାଯାଇଛି। ଦୁର୍ଘଟଣା ଖବର ପାଇ ଗ୍ରାମର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଛି। ଲୋକେ ଜଳାପୋଡା କରୁଥିବା ସୂଚନା ପାଇ କମର୍ଦା ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ କରିବାକୁ ଉଦ୍ୟମ ଚଳାଇଛି।

ସ୍ଥାନୀୟ ଲୋକେ ଏହାକୁ ଦୁର୍ଘଟଣା ସ୍ବୀକାର କରୁନାହାନ୍ତି। ଶଶିକାନ୍ତଙ୍କୁ ଡମ୍ପର ଚଢାଇ ହତ୍ୟା କରାଯାଇଥିବା ଲୋକେ ଅଭିଯୋଗ କରୁଛନ୍ତି । ତେବେ ମୃତକଙ୍କ ପରିବାରବର୍ଗ ଏନେଇ ଏପର୍ଯ୍ୟନ୍ତ ଥାନାରେ ଅଭିଯୋଗ କରିନଥିବା ଜଣାପଡ଼ିଛି ।ମୃତ ଶଶିକାନ୍ତ ଓ ଡମ୍ପର ମାଲିକ ଘନଶ୍ୟାମ ଦାସଙ୍କ ମଧ୍ୟରେ ଏକ ଘରୋଇ ଜମିକୁ ନେଇ ପୂର୍ବରୁ ବିବାଦ ଥିଲା। ତେବେ ଆଜି ସେ ସାଇକେଲରେ ଯାଉଥିବାର ସୁଯୋଗନେଇ ଘନଶ୍ୟାମ ତାଙ୍କୁ ଡମ୍ପର ଚଢାଇ ହତ୍ୟା କରିଥିବା ଶଶିକାନ୍ତଙ୍କ ପରିବାର ଲୋକେ ଅଭିଯୋଗ କରୁଛନ୍ତି। ଶଶିକାନ୍ତ ଓ ଘନଶ୍ୟାମ ସମ୍ପର୍କରେ କାକା ପୁତୁରା । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ଘଟଣା ସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ୩ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।