ରାଜ୍ୟ ପାଇଁ ଆଶ୍ବସ୍ତି ଖବର : ବଢ଼ିଲା RMRCର ଟେଷ୍ଟିଂ କ୍ଷମତା, ସହଯୋଗର ହାତ ବଢ଼ାଇଲା ନାଇଜର୍‌

Published By : Prameya-News7 Bureau | April 16, 2020 IST

ଭୁବନେଶ୍ୱର ୧୬।୦୪: ରାଜ୍ୟରେ ବଢ଼ିଲା କରୋନା ପରୀକ୍ଷଣ କ୍ଷମତା । ସ୍ଥାନୀୟ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆରଏମଆରସି)ରେ କୋଭିଡ୍‌-୧୯ର ସ୍ୱାବ୍‌ ଟେଷ୍ଟ କ୍ଷମତା ବୃଦ୍ଧି ପାଇଛି । ତେବେ ଏ ଦିଗରେ ସହଯୋଗର ହାତ ବଢ଼ାଇଛି ଜଟଣୀ ସ୍ଥିତ ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ନାଇଜର୍‌) । କୋଭିଡ୍‌-୧୯ ପରୀକ୍ଷା ପାଇଁ ୟୁ ଭି ଲାଇଟ୍‌ ତଥା ବିଏସଏଲ୍‌ ସୁବିଧାର ଆବଶ୍ୟକତା ରହିଥାଏ । ରାଜ୍ୟରେ କୋଭିଡ୍‌-୧୯ ପରୀକ୍ଷା କରିବା ପାଇଁ ବର୍ଦ୍ଧିତ ଆବଶ୍ୟକତାକୁ ଦେଖି ଗୋଟିଏ ଆପ୍ଲାଏଡ୍‌ ବାୟୋସିଷ୍ଟମ୍‌ ଆରଟି – ପିସିଆର୍‌ ୭୫୦୦ ମେସିନ୍‌ ନାଇଜର୍‌ ପକ୍ଷରୁ ଆର୍‌ଏମ୍‌ଆରସିକୁ ଦିଆଯାଇଛି । ଫଳରେ ପୂର୍ବାପେକ୍ଷା ଆରଏମଆରସିରେ ଦୈନିକ ଅଧିକ ସ୍ୱାବ୍‌ ଟେଷ୍ଟ୍‌ କରାଯାଇପାରିବ ।

ଅପରପକ୍ଷେ ଆଗାମୀ ଦିନରେ ନାଇଜର୍‌ କିଭଳି ଏ ଦିଗରେ ଅଧିକ ସହଯୋଗ କରିପାରିବ ସେ ବାବଦରେ ବୁଧବାର ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଆଲୋଚନା ଆରମ୍ଭ କରିଛନ୍ତି । ତେବେ ଆରଟି -ପିସିଆର୍‌ ୭୫୦୦ ମେସିନ୍‌ ପାଇବା ପରେ ଆରଏମଆରସି ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି ନାଇଜରକୁ ଧନ୍ୟବାଦ ଜଣାଇଛନ୍ତି ।

ନାଇଜର୍‌ର ନିର୍ଦ୍ଦେଶକ ପ୍ରଫେସର ସୁଧାକରଣ ପଣ୍ଡା, ବରିଷ୍ଠ ବୈଜ୍ଞାନିକ ପ୍ରଫେସର ବେଦାଙ୍ଗଦାସ ମହାନ୍ତି ଓ ଡ. ପ୍ରଣୟ ସ୍ୱାଇଁ ପ୍ରମୁଖ ଏ ଦିଗରେ ବିଶେଷ ଭୂମିକା ଗ୍ରହଣ କରିଛନ୍ତି । ନାଇଜରରେ ଆହୁରି ଆରଟି -ପିସିଆର୍‌ ମେସିନ୍‌ ଥିବାରୁ ରାଜ୍ୟରେ କିଭଳି ସ୍ୱାବ୍‌ ଟେଷ୍ଟ କ୍ଷମତା ବଢ଼ିପାରିବ, ସେ ଦିଗରେ ସରକାରଙ୍କ ବରିଷ୍ଠ ଅଧିକାରୀଗଣ ନାଇଜରର ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.