ବନ୍ଧୁତା ରକ୍ଷା କଲେ ବିଧାୟକ: ସାଙ୍ଗ ବାହାଘରରେ ନିଜେ ହେଲେ ବରର ଡ୍ରାଇଭର

Published By : Prameya-News7 Bureau | December 06, 2020 IST

ଗୟା ୦୬/୧୨ : କଥାରେ ଅଛି ବନ୍ଧୁତା ସବୁ ସମ୍ପର୍କ ଆଗରେ। ଯିଏ ବିପଦରେ ସାଥ ଦିଏ ସେ ପ୍ରକୃତ ବନ୍ଧୁ। ବିହାର ଗୟାରେ ବନ୍ଧୁତ୍ୱର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ବିଧାୟକ ହେବାପରେ ମଧ୍ୟ ଯୁବକ ଜଣକ ନିଜ ବନ୍ଧୁକୁ କରିଥିବା ପ୍ରତିଶୃତି ରକ୍ଷା କରିଛନ୍ତି। ପ୍ରତିଶୃତି ରକ୍ଷା କରି ବନ୍ଧୁ ବାହାଘରରେ ସେ ଡ୍ରାଇଭରର ଭୂମିକା ନିର୍ବାହ କରିଛନ୍ତି। ମଖଦୁମପୁର ରାଷ୍ଟ୍ରୀୟ ଜନତା ଦଳ ବିଧାୟକ ସତୀଶ କୁମାର ଦାସ ନିଜ ସାଙ୍ଗ ବାହାଘରରେ ବରର ଡ୍ରାଇଭର ହୋଇ ଯାଇଥିଲେ। ସେ ନିଜେ ବର ଗାଡି ଚଲାଇ କନ୍ୟା ଘର ଯାଏଁ ନେଇଯାଇଥିଲେ।

ଜଣେ ବିଧାୟକ ହୋଇ ବରର ଡ୍ରାଇଭର ହୋଇଥିବେ ଦେଖି ଲୋକେ ଚକିତ ହୋଇଗଲେ। ସତୀଶ କହିଛନ୍ତି, ସାଙ୍ଗ ବାହାଘର ନିମନ୍ତ୍ରଣ ପାଇବା ପରେ ସେ ବାହାଘର ସମାରୋହରେ ସାମିଲ ହେବାକୁ ପହଞ୍ଚିଲେ। ତାଙ୍କ ସାଙ୍ଗ ଶ୍ୟାମଶାବାଦର ମିଥିଲେସଙ୍କ ବାହାଘର କର୍ମମୁନି ଗାଁରେ ହୋଇଛି। ସତୀଶ ମିଥିଲେସଙ୍କ ଘନିଷ୍ଠ ବନ୍ଧୁ। ସେଥିପାଇଁ ସେ ତାଙ୍କୁ ମଧ୍ୟ ବାହାଘରରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ। 

ମିଥିଲେସ ଓ ସତୀଶ ବହୁତ ଘନିଷ୍ଠ ବନ୍ଧୁ। ସ୍କୁଲ ସମୟରେ ଉଭୟ ଗୟା ଭୀମ ଛାତ୍ରାବାସରେ ରହୁଥିଲେ। ସେ ମିଥିଲେସଙ୍କ ବାହାଘର ନିମନ୍ତ୍ରଣ ପାଇବା ପରେ ବିବାହ ସମାରୋହରେ ସାମିଲ ହୋଇଥିଲେ ଏବଂ ବର ଗାଡି ନିଜେ ଚଲାଇବେ ବୋଲି କହିଥିଲେ। ବର ଗାଡି ନିଜେ ଚଲାଇ କନ୍ୟା ଘର ଯାଏଁ ନେଇଗଲେ। ସାଙ୍ଗର ଏହି ସ୍ନେହ ଓ ଭଲପାଇବା ଦେଖି ମିଥିଲେସ ଖୁସିରେ କୁଣ୍ଢେମୋଟ ହୋଇଗଲେ। ବର ସହ ଲୋକଙ୍କ ନଜର ବିଧାୟକଙ୍କ ଉପରେ ମଧ୍ୟ ପଡିଥିଲା। କନ୍ୟା ପକ୍ଷ ଖୁବ ଆନନ୍ଦର ସହ ଉଭୟଙ୍କୁ ସ୍ୱାଗତ କରିଥିଲେ।

ସତୀଶ ବନ୍ଧୁତ୍ୱର ସମ୍ପର୍କ ରକ୍ଷା କରି ମିଥିଲେସଙ୍କୁ ନିଜର ପିଏ ଭାବେ ନିଯୁକ୍ତ କରିଛନ୍ତି ବୋଲି ମଧ୍ୟ ଜଣାପଡିଛି। ଏହିଭଳି ମାମଲା ବହୁତ କମ ଦେଖିବାକୁ ମିଳେ, ଯେତେବେଳେ ଜଣେ ବଡ ପଦବୀ ପାଇବା ପରେ ମଧ୍ୟ ନିଜ ବନ୍ଧୁତ୍ୱକୁ ନ ଭୁଲି ତାକୁ ପୂର୍ବ ଭଳି ସମ୍ମାନ ଦେଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.