ନୀତିଶଙ୍କୁ ଆରଜେଡିର ନୂଆ ଅଫର, 'ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କୁର୍ସି ଦିଅ, ଆମେ ତମକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବୁ'

Published By : Prameya-News7 Bureau | December 29, 2020 IST

ପାଟନା,୨୯/୧୨:  ବିହାରରେ ରାଜନୈତିକ ଅସ୍ଥିରତା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆରଜେଡି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏକ ପ୍ରସ୍ତାବ ଦେଇଛି । ଆରଜେଡିର ବରିଷ୍ଠ ନେତା ତଥା ବିଧାନସଭାର ପୂର୍ବତନ ବାଚସ୍ପତି ଉଦୟ ନାରାୟଣ ଚୌଧରୀ ନୀତିଶଙ୍କୁ ଏକ ବଡ ପ୍ରସ୍ତାବ ଦେଇଛନ୍ତି । ଏହାସହ ସେ ନୀତିଶଙ୍କୁ ସସର୍ତ୍ତ ପ୍ରଧାନମନ୍ତ୍ରୀ ପଦର ଲୋଭ ଦେଖାଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଉଦୟ ନାରାୟଣ କହିଛନ୍ତି ଯେ, ଯଦି ନୀତିଶ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିଦିଅନ୍ତି ତେବେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସମର୍ଥନ କରିବେ ।

ଉଦୟଙ୍କ ଏହି ବୟାନ ପରେ ବିହାର ରାଜନୀତି ସରଗରମ ହୋଇ ଉଠିଛି । ୩ ଦିନ ପୂର୍ବରୁ ବିହାର ରାଜନୀତିରେ ଏକ ବଡ ଅଦଳବଦଳ ହୋଇଥିଲା । ନୀତିଶ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ଆରସିପି ସିଂ ଦଳର ଭାର ନେଇଥିଲେ । ଏପରିକି ବିହାରରେ ଥିବା ଏନଡିଏ ସରକାରରେ ସବୁ କିଛି ଠିକ୍ ନଥିବା ଶୁଣିବାକୁ ମିଳୁଛି । ଅନେକ ପ୍ରସଙ୍ଗରେ ବିଜେପି ଓ ଜେଡିୟୁ ମଧ୍ୟରେ ମତଭେଦ ରହିଛି ।

ତେବେ ଉଦୟଙ୍କ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ସେ କହିଛନ୍ତି ଯେ, ଉଦୟଙ୍କର ଏହା ବ୍ୟକ୍ତିଗତ ମତ । ନୀତିଶ କଣ କରିବେ ତାହା ତାଙ୍କର ବ୍ୟକ୍ତିଗତ ଅଧିକାର । ଏହାସହ ସେ ବିଜେପି କିମ୍ବା ଜେଡିୟୁ ମଧ୍ୟରେ  କେବେ ମେଣ୍ଟ ନଥିବା ବରଂ ଏହା ବୁଝାମଣା ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.