ଜାମିନରେ ୨୮ ଦିନ ପରେ ଜେଲ୍‌ରୁ ମୁକୁଳିଲେ ରିୟା ଚକ୍ରବର୍ତ୍ତୀ, ସାମ୍ନାକୁ ଆସିଲା ଭିଡିଓ

Published By : Prameya-News7 Bureau | October 07, 2020 IST

ମୁମ୍ବାଇ ୦୭।୧୦: ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଦ୍ଵାରା ଗିରଫ ହୋଇ ଜେଲ୍‌ରେ ପ୍ରାୟ ଏକ ମାସ ରହିବା ପରେ ଆଜି ଦିବଗନ୍ତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଜାମିନରେ ଜେଲ୍‌ରୁ ମୁକୁଳିଛନ୍ତି। ଏନସିବି ତାଙ୍କୁ ସେପ୍ଟେମ୍ବର ୮ରେ ବେଆଇନ ନିଶା ସେବନ ଏବଂ କାରବାର ଅଭିଯୋଗରେ ଗିରଫ କରିଥିଲା। ଆଜି ସକାଳେ ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଗୋଟିଏ ମାସ ଜେଲ୍‌ରେ ବନ୍ଦୀ ରିୟା ତଳ କୋର୍ଟରେ ଜାମିନ ଆବେଦନ ଖାରଜ ପରେ ହାଇକୋର୍ଟରେ ଆବେଦନ କରିଥିଲେ। ଜାମିନ ମିଳିବା ପରେ ବୁଧବାର ସନ୍ଧ୍ୟାରେ ରିୟା ଚକ୍ରବର୍ତ୍ତୀ ଭାୟଖଲା ଜେଲ୍‌ରୁ ୨୮ ଦିନ ପରେ ବାହାରିଛନ୍ତି।

ହାଇକୋର୍ଟ ରିୟା ଚକ୍ରବର୍ତ୍ତୀଙ୍କୁ ଲକ୍ଷେ ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ସର୍ତ୍ତ ସହିତ ଜାମିନ ପ୍ରଦାନ  କରିଛନ୍ତି। ରିୟାଙ୍କୁ ନିଜର ପାସପୋର୍ଟ ଏନସିବିଠାରେ ହସ୍ତାନ୍ତର କରିବାକୁ କୁହାଯାଇଛି। ଏନଡିପିଏସ ଅଦାଲତର ଅନୁମତି ବିନା ଦେଶ ବାହାରକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନସିବିର ବିନା ଅନୁମତିରେ ମୁମ୍ବାଇ ବାହାରକୁ ନଯିବାକୁ ଆଦେଶ ଦିଆଯାଇଛି। ପ୍ରତି ୧୦ ଦିନରେ ଥରେ ମୁମ୍ବଇ ପୋଲିସରେ ଉପସ୍ଥିତ ହେବା ସହିତ ସହର ବାହାରକୁ ଯିବା ପାଇଁ ହେଲେ ମୁମ୍ବାଇ ପୋଲିସର ଅନୁମତି ଜରୁରୀ ବୋଲି କୁହାଯାଇଛି।

wp:html /wp:html

ରିୟାଙ୍କୁ ଜାମିନ ମିଳିଥିଲେ ମଧ୍ୟ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ଅବଦୁଲ ବାସିତ ପରିହାର,  ଦୀପେଶ ସାଓ୍ଵନ୍ତ ଓ ସାମୁଏଲ ମିରାଣ୍ଡାଙ୍କ ଜାମିନ  ହାଇକୋର୍ଟ ଖାରଜ କରିଛନ୍ତି। ଅନ୍ୟପଟେ ଜେଲ୍‌ରୁ ଗୋଟିଏ ମାସ ପରେ ଜେଲ୍‌ରୁ ମୁକୁଳିଥିବା ରିୟାଙ୍କ ଭିଡିଓ ସାମ୍ନାକୁ ଆସିଛି। ରିୟା ଜେଲ୍‌ ବାହାରି ସିଧାସଳଖ ଗାଡିରେ ନିଜ ଘର ଅଭିମୁଖେ ଯାଇଛନ୍ତି।

ସୂଚନାଯୋଗ୍ୟ, ରିୟାଙ୍କ ଉପରେ ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣିବା ଅଭିଯୋଗ ହୋଇଥିଲା। ରିୟା ଏବଂ ତାଙ୍କ ଭାଇ ଡ୍ରଗ୍ସ ମାଫିଆଙ୍କ ସହ ହୋଇଥିବା କଥାବାର୍ତ୍ତାର ହ୍ଵାଟ୍ସଆପ୍ ଚାଟ୍‌ ମଧ୍ୟ ସାମ୍ନାକୁ ଆସିଥିଲା। ଆରମ୍ଭରୁ ସେ ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ମଧ୍ୟ ପରେ ହ୍ଵାଟ୍ସଆପ୍ ଚାଟ୍ ସମ୍ନାକୁ ଆସିବା ପରେ ସ୍ଵୀକାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.