ଧଳା ଚାଦରରେ ଘୋଡେଇ ହୋଇଛି ପର୍ଯ୍ୟଟନ ନଗରୀ ମନାଲି: ମାଇନସରେ ପହଞ୍ଚିଲା ତାପମାତ୍ରା, ନଦୀ-ନାଳରେ ଜମିଗଲାଣି ବରଫ
20/12/2020 at 4:37 PM

ମନାଲି ୨୦/୧୨ : ହିମାଚଳ ପ୍ରଦେଶର ପର୍ଯ୍ୟଟନ ନଗରୀ ମନାଲି ବରଫ ଚାଦର ତଳେ ଘୋଡେଇ ହୋଇଛି। ମନାଲିରେ ଶୀତର ପ୍ରକୋପ ଜାରି ରହିଛି। ଡିସେମ୍ବର ମାସ ସାରିବାକୁ ବସିଲାଣି। ଶୀତ ଚରମ ସୀମାରେ ଅଛି। ପାହାଡିଆ ଅଞ୍ଚଳରେ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି।

ପର୍ଯ୍ୟଟନ ନଗରୀ ମନାଲିରେ ପାରଦ ମାଇନସ ଡିଗ୍ରୀରେ ପହଞ୍ଚିଛି। ଭୀଷଣ ଥଣ୍ଡା ଓ ତୁଷାରପାତ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଉତ୍ତର ଦିଗର ଶୀତଲହରୀ ଜାରି ରହିଛି। ଫଳରେ ସାରା ଦେଶରେ ଶୀତର ପ୍ରଭାବ ଦେଖିବାକୁ ମିଳିଛି। ଦୁଇ ଦିନ ହେଲା ସାରା ଦେଶରେ ଶୀତର ପ୍ରଭାବ ବୃଦ୍ଧି ପାଇଛି। ମନାଲିରେ ତାପମାତ୍ରା ଜିରୋରୁ ତଳକୁ ଖସିଯାଇଛି। ଯେଉଁଥିପାଇଁ ନଦୀ-ନାଳର ପାଣି ବରଫ ହୋଇଯାଇଛି। ଏଠାରେ ୨୪ ଘଣ୍ଟା ହାଡଭଙ୍ଗା ଥଣ୍ଡା ହେଉଛି।

ମନାଲି ଘାଟିରେ ସକାଳେ ସନ୍ଧ୍ୟାରେ ପାରଦ ମାଇନସ ଡିଗ୍ରୀରେ ରହିଛି। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ଘାଟିରେ ଲଗାତାର ଥଣ୍ଡା ବୃଦ୍ଧି ପାଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକଙ୍କ ଦିନ ବିଳମ୍ବରେ ଆରମ୍ଭ ହେଉଛି। ରାସ୍ତାଘାଟ ଶୂନଶାନ ହୋଇପଡିଛି। ଥଣ୍ଡା ଦାଉରୁ ରକ୍ଷା ପାଇବାକୁ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି। କେବଳ ଜରୁରୀ କାମ ଥିଲେ ଲୋକେ ଘରୁ ବାହାରକୁ ଯାଉଛନ୍ତି। ଘର ଭିତରେ ନିଆଁ ପୁଇଁ ନିଜକୁ ଗରମ ରଖିବାକୁ ଚେଷ୍ଟା କରୁଛନ୍ତି।