ଫେଲ ମାରିଛି ଗଙ୍ଗା ସ୍ୱଚ୍ଛ କାମ ; ରିପୋର୍ଟ ଅନୁଯାୟୀ ଗଙ୍ଗାନଦୀ ବିଶ୍ୱର ସବୁଠୁ ପ୍ରଦୂଷିତ ନଦୀ

Published By : Prameya-News7 Bureau | September 03, 2018 IST

ଦିଲ୍ଲୀ ୩/୯ (ବ୍ୟୁରୋ) : ଦିନେ ସେ ଥିଲା ପବିତ୍ର । ଏବେ କିନ୍ତୁ ସେ ବିଶ୍ବର ସବୁଠାରୁ ଅଧିକ ପ୍ରଦୂଷିତ । ଗଙ୍ଗା ନଦୀ ଏବେ ବିଶ୍ବର ସବୁଠାରୁ ପ୍ରଦୂଷିତ ଓ ସଙ୍କଟଗ୍ରସ୍ତ । ଡବ୍ଲୁ ଡବ୍ଲୁ ଏଫ୍ ରିପୋର୍ଟରେ ଏମିତି ପ୍ରକାଶ ପାଇଛି । ଯାହା ମୋଦି ସରକାର ପାଇଁ ଚ୍ୟାଲେଞ୍ଜ । କାରଣ ୨୦୧୪ରେ କ୍ଷମତାକୁ ଆସିବା ପରେ ନମାମୀ ଗଙ୍ଗା ଯୋଜନା ହାତକୁ ନେଇଥିଲେ । କିନ୍ତୁ WWF ରିପୋର୍ଟ, ସରକାରଙ୍କ ଯୋଜନା ଉପରେ ଉଠାଇଛି ପ୍ରଶ୍ନବାଚୀ । ଗଙ୍ଗା ଆଉ ଗଙ୍ଗା ହୋଇ ନାହିଁ । ଗଙ୍ଗା ଏବେ ବିଶ୍ବର ସବୁଠାରୁ ପ୍ରଦୂଷିତ ନଦୀ । ବିଶ୍ବ ପରିବେଶ ଉପରେ କାମ କରୁଥିବା WWF ରିପୋର୍ଟରେ ଏମିତି ପ୍ରକାଶ ପାଇଛି । ଗଙ୍ଗା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି । ୨୨ ହଜାର ୨୩୮ କୋଟି ଟଙ୍କାରେ ନମାମୀ ଗଙ୍ଗା ଯୋଜନା ମାଧ୍ୟମରେ ୨୨୧ଟି ପ୍ରକଳ୍ପ ଚାଲୁ କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ WWF ରିପୋର୍ଟକୁ ଯଦି ସତ ହୋଇଥାଏ, ତେବେ ସରକାରଙ୍କ ଯୋଜନା କେବଳ ଘୋଷଣା ମାତ୍ର ବୋଲି କହିଲେ ଭୁଲ୍ ହେବନି । ବିଶ୍ବରେ ଯେତେ ନଦୀ ଅଛନ୍ତି, ଗଙ୍ଗା ନଦୀ କୂଳରେ ହିଁ ସବୁଠାରୁ ଅଧିକ ଜନବସତି ଗଢ଼ି ଉଠିଛି । ପାଖାପାଖି ୪୫୦ ନିୟୂତ ଲୋକଙ୍କ ଜୀବନ ଧାରା ହେଉଛି ଗଙ୍ଗା । ସେହି ହିସାବରେ ଦେଖିବାକୁ ଗଲେ ଗଙଅଗା ନଦୀ କୂଳରେ ପ୍ରତି ବର୍ଗ କିଲୋମିଟରରେ ୫୫୦ ଜଣ ଲୋକ ରହୁଛନ୍ତି । ଗଙ୍ଗା ନଦୀ ଅବବାହିକାରେ ୩୦ଟି ବଡ଼ ସହର, ୭୦ଟି ମଧ୍ୟମ ଧରଣର ସହର ଏବଂ ହଜାର ହଜାର ଗାଁ ରହିଛି । ଏସବୁ ଜନବସତିରୁ ଦୈନିକ ପ୍ରାୟ ୧.୩ ବିଲିଅନ୍ ଲିଟର୍ ବର୍ଜ୍ୟ ବସ୍ତୁ ଗଙ୍ଗାରେ ମିଶୁଛି । ପୁଣି ହଜାର ହଜାର ପଶୁ ପକ୍ଷୀଙ୍କ ମୃତଦେହ ଗଙ୍ଗା ନଦୀରେ ଫିଙ୍ଗି ଦିଆଯାଉଛି । କଳ କାରଖାନାରୁ ମଧ୍ୟ ଦୈନିକ ୨୬୦ ନିୟୂତ ଲିଟର ବର୍ଜ୍ୟ ଜଳ ଗଙ୍ଗାରେ ମିଶୁଛି । ଯାହା ଗଙ୍ଗାକୁ ସବୁଠାରୁ ଅଧିକ ପ୍ରଦୂଷିତ କରି ଦେଇଛି । ହିନ୍ଦୁ ଧର୍ମରେ ଗଙ୍ଗା ହିଁ ସବୁଠାରୁ ପବିତ୍ର ନଦୀ । ଗଙ୍ଗାରେ ଅସ୍ଥି କିମ୍ବା ପାଉଁଶ ବିସର୍ଜନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ଏଭଳି ବିଶ୍ବସ ନେଇ ଦୈନିକ ଶହ ଶହ ଲୋକ ମଧ୍ୟ ଗଙ୍ଗାରେ ଅସ୍ଥି କିମ୍ବା ପାଉଁଶ ବିସର୍ଜନ କରୁଛନ୍ତି । ଯାହା ଗଙ୍ଗାକୁ ଅଧିକରୁ ଅଧିକ ପ୍ରଦୂଷିତ କରୁଛି । ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ସେଭେନ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.