ରୀତା ସାହୁ ହେଲେ ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ

Published By : Prameya-News7 Bureau | September 28, 2019 IST

ଭୁବନେଶ୍ବର ୨୮।୯: ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଏନେଇ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବିଜେପୁରର ପୂର୍ବତନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ହେଉଛନ୍ତି ରୀତା ସାହୁ । ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁର ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ ରୀତା ସାହୁ ବିଜେଡିରେ ଯୋଗଦେବା ସହ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ତେବେ ୨୦୧୯ ସାଧାରଣ ନିର୍ବାଚନ ବେଳେ ଏହି ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବାରୁ ରୀତା ସାହୁଙ୍କୁ ଟିକେଟ୍ ମିଳିନଥିଲା । ମୁଖ୍ୟମନ୍ତ୍ରୀ ଏହି ଆସନରୁ ବିଜୟୀ ହେବା ପରେ ଏଠାରୁ ଇସ୍ତଫା ଦେଇ ହିଞ୍ଜିଳି ଆସନକୁ ନିଜ ପାଖରେ ରଖିଥିଲେ । ଫଳରେ ବିଜେପୁର ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି ।

ସୂଚନାଯୋଗ୍ୟ ଯେ, ବିଜେପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ପାଇଁ ଦଳର ବହୁ ନେତା ଆଶାୟୀ ଥିଲେ । ଏପରିକି ପୂର୍ବତନ ସାଂସଦ ପ୍ରଭାସ ସିଂ ଖୋଲାଖୋଲି ଆଗ୍ରହ ପ୍ରକାଶ କରିଥିଲେ । ସେହିଭଳି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଏହି ଆସନରୁ ପ୍ରାର୍ଥୀ ହେବା ପାଇଁ ଇଚ୍ଛୁକ ଥିବା ଆଲୋଚନା ହେଉଥିଲା । ତେବେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ମୁଖ୍ୟମନ୍ତ୍ରୀ ଆଜି ରୀତା ସାହୁଙ୍କ ନାଁ ଘୋଷଣା କରିଛନ୍ତି ।

ପୂର୍ବରୁ କଂଗ୍ରେସ ଏହି ଆସନରୁ ଦିଲ୍ଲୀପ ପଣ୍ଡାଙ୍କ ନାଁ ଘୋଷଣା କରିସାରିଛି । ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ବରିଷ୍ଠ କଂଗ୍ରେସ ନେତା ତଥା ଏହି ଆସନରୁ ଆଶାୟୀ ଥିବା ରିପୁନାଥ ସେଠ୍ ଅସନ୍ତୁଷ୍ଟ ହେବା ସହ ଏଠାରେ କଂଗ୍ରେସ ପାଇଁ ପ୍ରଚାର କରିବେ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ।

ଦୁଇ ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେପି ଏବେ ଯାଏଁ ତାର ପ୍ରାର୍ଥୀ ଘୋଷଣା କରିନାହିଁ । ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସନତ ଗଡତିଆଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି । ତାଛଡା ଏଠାରୁ ବିଜେପି ପ୍ରାର୍ଥୀ ହେବା ପାଇଁ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ଆଗ୍ରହ ପ୍ରକାଶ କରିଥିବାରୁ ଦଳ ପ୍ରାର୍ଥୀ ଚୟନ ନେଇ ଅଡୁଆରେ ରହିଥିବା କୁହାଯାଉଛି ।

ବିଜେପୁରକୁ କଂଗ୍ରେସର ଗଡ ବୋଲି କୁହାଯାଉଥିଲା । ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ସୁବଳ ସାହୁ ୩ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ତାଙ୍କ ଦେହାନ୍ତ ପରେ ବିଜେଡି ବିଜେପୁର ଆସନକୁ ନିଜ କବଜାକୁ ନେଇଛି । ଗତ ଦୁଇଟି ନିର୍ବାଚନରେ ବିଜେଡି ବିଜୟୀ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ସ୍ଥିତି ନଗଣ୍ୟ ହୋଇପଡିଛି ।

ବିଜେପୁର ଉପ ନିର୍ବାଚନ ପାଇଁ ବିଜେଡି ଇତି ମଧ୍ୟରେ ଗୋଟିଏ କମିଟି ଗଠନ କରିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସଞ୍ଜୟ ଦାସବର୍ମା, କଳିକେଶ ନାରାୟଣ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ସୁଶାନ୍ତ ସିଂ ପ୍ରମୁଖ ନେତାମାନେ ରହିଛନ୍ତି । ଅନ୍ୟ ପକ୍ଷରେ ନିର୍ବାଚନ ବେଳେ କେଉଁ ମନ୍ତ୍ରୀ ଓ ବିଧାୟକ କେଉଁ ପଞ୍ଚାୟତର ଦାୟିତ୍ବରେ ରହିବେ ତାକୁ ନେଇ ମଧ୍ୟ ଗତ ତିନି ଦିନ ହେଲା ନବୀନ ନିବାସରେ ଘମାଘୋଟ କସରତ ଚାଲିଛି ।

୩୦ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ହୋଇଥିବାରୁ ଏହି ଦିନ କଂଗ୍ରେସ ଏବଂ ବିଜେଡି ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିବେ । ବିଜେପି ପ୍ରାର୍ଥୀ ମଧ୍ୟ ଏହି ଦିନ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଆଶା କରାଯାଉଛି । ଅକ୍ଟୋବର ୨୧ତାରିଖରେ ବିଜେପୁର ଉପ ନିର୍ବାଚନର ଭୋଟ୍ ଗ୍ରହଣ ହେବ । ଅକ୍ଟୋବର ୨୪ରେ ଫଳାଫଳ ପ୍ରକାଶ ପାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.