ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଆମେରିକାରେ ବ୍ୟାପକ ହିଂସା ଆଶଙ୍କା, ଟ୍ୱିଟରରୁ ମିଳିଛି ସୂଚନା

Published By : Prameya-News7 Bureau | November 03, 2020 IST

ୱାସିଂଟନ ୩।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ସାରା ଦେଶରେ ମଙ୍ଗଳବାର ଭୋଟଗ୍ରହଣ ହେଉଛି। ତେବେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଦେଶରେ ବ୍ୟାପକ ହିଂସା ହୋଇପାରେ ବୋଲି ଏବେ ଆଶଙ୍କା କରାଗଲାଣି। ଏଥିଲାଗି ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତିରେ ଥିବା ଜଣାପଡୁଛି। ସୋମବାର ଟେକ୍ସାସ୍‌ରେ ବିଡେନଙ୍କ ସମର୍ଥକଙ୍କ ବାହନକୁ ଟ୍ରମ୍ପ ସମର୍ଥକଙ୍କ ବସ୍‌ ଧକ୍କା ଦେବା ଘଟଣା ପରେ ଏଭଳି ଆଶଙ୍କା ଅଧିକ ଦୃଢିଭୂତ ହୋଇଛି।

ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ଏଫବିଆଇ) ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏପରି ଆକ୍ରମଣ କରିଥିବା ଲୋକଙ୍କୁ ଟ୍ରମ୍ପ ଦେଶଭକ୍ତ କହିବା ସହ ସେମାନଙ୍କୁ ପ୍ରଶଂସା କରିବା ନିର୍ବାଚନ ପରବର୍ତ୍ତି ହିଂସା ଆଶଙ୍କାକୁ ବଢାଇ ଦେଇଛି। ଏଥିରେ ଆଣ୍ଟିଫା (ଆଣ୍ଟି ଫାସିଷ୍ଟ) ଗୋଷ୍ଠୀଙ୍କ ଟ୍ୱିଟ୍‌ରେ ହେଉଥିବା ଚର୍ଚ୍ଚା ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି। ଆଣ୍ଟିଫା ଗୋଷ୍ଠୀ ଯଦି ହିଂସାଭଳି ପରିସ୍ଥିତି ଉପୁଜେ ଏଥିରେ କଣ କରାଯିବ ସେ ନେଇ କାର୍ଯ୍ୟକର୍ତାଙ୍କୁ ଟ୍ୱିଟ୍‌ରେ ପରାମର୍ଶ ଦେଉଛନ୍ତି।

ଟ୍ୱିଟ୍‌ ହ୍ୟାଣ୍ଡଲରେ ହେଉଥିବ ଚର୍ଚ୍ଚାରେ ପ୍ରଦର୍ଶନକାରୀ ସାଧାରଣ ଆହତ ହେଲେ କିପରି ପ୍ରାଥମିକ ଚିକିତ୍ସା କରାଯିବ ଓ ଯଦି ଗୁଳିଲାଗେ ତା ପାଇଁ କଣ ପଦକ୍ଷେପ ନେବାକୁ ପଡିବ ଏପରି ଅନେକ ପରାମର୍ଶ ପୋଷ୍ଟିଂ କରୁଛନ୍ତି। ଏଥିରେ ଏକ ଅନୁଧ୍ୟାନକାରୀ ଷ୍ଟଡି ଗ୍ରୁପ ‘ଆର୍ମଡ କନଫ୍ଲିକ୍ଟ ଲୋକେସନ ଏଣ୍ଡ ଇଭେଣ୍ଟ ଡାଟା ପ୍ରୋଜେକ୍ଟ’ (ଏସିଏଲଇଡି) ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଏବେ ଚିନ୍ତାକୁ ବହୁଗୁଣିତ କରିଛି। 

ହିଂସାକାଣ୍ଡ ଯଦି ହୁଏ ତାହା କେବଳ ଭୋଟ ଗଣତି ଲାଗି ହିଁ ହେବ। ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋଟ ଗଣତି ହେଲେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ହୁଏତ ପୁଣିଥରେ ନିଜକୁ ରାଷ୍ଟ୍ରପତି ଘୋଷଣା କରିଦେଇପାରନ୍ତି। ଯଦି ସେ ଏପରି କିଛି କରନ୍ତି ତେବେ ହିଂସା ନିଶ୍ଚିତ ବୋଲି ଏବେ ଆଶଙ୍କା କରାଯାଉଛି। ୱେବ୍‌ସାଇଟ୍ ହଫିଙ୍ଗଟନ ପୋଷ୍ଟ କରିଥିବା ସମୀକ୍ଷା ଅନୁସାରେ ଚଳିତ ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣନା ସ୍ୱାଭାବିକ ଠାରୁ ଅଧିକ ସମୟ ଧରି ଚାଲିବ। କାରଣ ସାଢେ ୯ କୋଟି ମତଦାତା ଡାକରେ ସେମାନଙ୍କ ଭୋଟ ପଠାଇସାରିଲେଣି। ଅର୍ଥାତ ୪ ବର୍ଷ ପୂର୍ବେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଯେତିକି ଲୋକେ ଡାକ ଭୋଟ ଦେଇଥିଲେ ଚଳିତଥର ଦୁଇ ତୃତୀୟାଂସରୁ ଅଧିକ ଲୋକେ ଡୋକ ଭୋଟ ଦେଇଛନ୍ତି। ଏହି ସବୁ ଭୋଟ  ଗଣନା ଲାଗି ଅଧିକ ସମୟ ନିଶ୍ଚିତ  ଲାଗିବ।

ସେପଟେ ରାଜନୈତିକ ସମୀକ୍ଷକଙ୍କ ଅନୁସାରେ ଡାକରେ ଭୋଟ ଦେଉଥିବା ଲୋକେ ଡେମୋକ୍ରାଟିକ ପାର୍ଟିର ସମର୍ଥକ। ଅଧିକାଂଶ ରିପବ୍ଲିକାନ ସମର୍ଥକ ଭୋଟ ବୁଥ୍‌କୁ ଯାଇ ମତଦାନ କରୁଛନ୍ତି। ଏଥିରୁ ପ୍ରାରମ୍ଭିକ ଭୋଟ ଗଣନାରେ ଟ୍ରମ୍ପ ଆଗେଇ ଯାଇପାରନ୍ତି ଓ ଏହି ଫଳାଫଳ ଆଧାରରେ ସେ ନିଜକୁ ବିଜେତା ଘୋଷଣା ମଧ୍ୟ କରିଦେଇପାରନ୍ତି। କିନ୍ତୁ ବାସ୍ତବିକ ଫଳାଫଳ ହୁଏତ ଟ୍ରମ୍ପଙ୍କ ସପକ୍ଷରେ ଯାଇ ନପାରେ ବୋଲି ସମୀକ୍ଷକମାନେ ଆଶଙ୍କା କରିଛନ୍ତି।

ନିର୍ବାଚନ ପରବର୍ତ୍ତି ହିଂସା ଆଶଙ୍କାକୁ ହୋମଲ୍ୟାଣ୍ଡ ସିକ୍ୟୁରିଟି ଓ ଏଫବିଆଇ ମଧ୍ୟ ସ୍ୱୀକାର କରୁଛନ୍ତି। ଦକ୍ଷିଣପନ୍ଥୀ ଓ ଜାତିବାଦୀ ଲୋକେ ହିଂସା ଭିଆଇ ପାରନ୍ତି ବୋଲି ସେମାନେ ଆଶଙ୍କା କରୁଛନ୍ତି। ଏଣୁ ଭୋଟ ଗ୍ରହଣ ପରେ ଲୋକଙ୍କୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଉଛି। ହିଂସା ଆଶଙ୍କାରେ ଆମେରିକାରେ ବ୍ୟବସାୟୀ ମାନେ ଏବେଠୁ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଦେଲେଣି। ସେମାନଙ୍କ ବାଣିଜ୍ୟିକ ପ୍ରତିଷ୍ଠାନ ବାହାରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରୁଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ରାଜନୀତିରେ କେବେ ଏପରି ପରିସ୍ଥିତି ଉପୁଜିଥିବାର ନଜିର ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.