ବୃଦ୍ଧି ପାଉଛି ବାଲିମେଳା ଜଳଭଣ୍ଡାରର ଜଳସ୍ତର ; ଗୁରୁପ୍ରିୟା ସେତୁ ପାଇଁ ବିପଦ

Published By : Prameya-News7 Bureau | September 23, 2018 IST

ମାଲକାନଗରି ୨୩|୯: ମାଲକାନଗରି ଜିଲ୍ଲା ବାଲିମେଳା ଜଳଭଣ୍ଡାରରେ କ୍ରମଶଃ ବଢିବାରେ ଲାଗିଛି ଜଳସ୍ତର । ଫଳରେ ବିପଦରେ ରହିଛି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଲାଇଫ୍ ଲାଇନ୍ ଗୁରୁପ୍ରିୟା ସେତୁ । ସେତୁର ସୁରକ୍ଷା ଲାଗି ବାଲିମେଳା ଜଳଭଣ୍ଡାରର ୪ ଟି ଗେଟ୍ ଖୋଲା ଯାଇଛି । ପ୍ରତି ସେକେଣ୍ଡରେ ଏବେ ୨୦ ହଜାର କ୍ୟୁସେକ୍ ଜଳ ସିଲେରୁ ନଦୀରେ ନିଷ୍କାସିତ ହେଉଛି । ତଳିଆ ଅଞ୍ଚଳରେ ଥିବା ଗୁଣ୍ଢାବେଡା, ଗୋରାଗୁଡା ଓ ଚିତ୍ରକୋଣ୍ଡା ପଞ୍ଚାୟତର ପ୍ରାୟ ୧୦ ହଜାର ଲୋକଙ୍କୁ ସତର୍କ ରହିବା ଲାଗି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ମାଲକାନଗିରି ସହର ନିକଟରେ ଥିବା ସତିଗୁଡା ଜଳଭଣ୍ଡାରରେ ମଧ୍ୟ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ଫଳରେ ସତିଗୁଡା ଜଳଭଣ୍ଡାରର ପାଣି ଏବେ ଏମଭି- ୧୧ ନଦୀ ଦେଇ ନିଷ୍କାସିତ ହେଉଛି । ଯାହା ଫଳରେ ଏମଭି-୧୧ ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚତାରେ ପାଣି ଚାଲିଛି । ମାଲକାନଗିରି ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ସେପଟେ ବନ୍ୟା ପୀଡିତଙ୍କ ପାଖରେ ପହଞ୍ଚିଛନ୍ତି ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା । ବିଧାୟକ ନିଜେ ଘର ଘର ବୁଲି ବିପନ୍ନଙ୍କ କ୍ଷୟକ୍ଷତି ସଂପର୍କରେ ଆକଳନ କରୁଥିବା ବେଳେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.