୪, ୪, ୬, ୪, ୪: ଶେଷ ଓଭରରେ ୨୨ ରନ କଲେ ଋଷଭ ପନ୍ତ, ସିରିଜ୍ ପୂର୍ବରୁ ଅଭ୍ୟାସ୍ ମ୍ୟାଚ୍ରେ ଖେଳିଲେ ବିସ୍ଫୋରକ ଶତକୀୟ ଇନିଂସ, ଦେଖନ୍ତୁ ଭିଡିଓ…
12/12/2020 at 9:33 PM

ସିଡନୀ ୧୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତ ଧୂଆଁଧାର ଶତକ ଅର୍ଜନ କରି ଆଡିଲେଡ୍ରେ ଖେଳାଯିବାକୁ ଥିବା ପିଙ୍କ ବଲ୍ ଟେଷ୍ଟର ଚୂଡାନ୍ତ ଏକାଦଶ ପାଇଁ ନିଜର ଦାବିଦାର ମଜବୁତ କରିଛନ୍ତି। ପନ୍ତ ସିଡନୀରେ ଖେଳାଯାଉଥିବା ତିନି ଦିନିଆ ଦିବାରାତ୍ର ଅଭ୍ୟାସ୍ ମ୍ୟାଚ୍ରେ ଅପରାଜିତ ୧୦୩ ରନ କରିଛନ୍ତି।
ଅଷ୍ଟ୍ରେଲିଆ ଏ ବିପକ୍ଷ ଦ୍ଵିତୀୟ ଅଭ୍ୟାସ୍ ମ୍ୟାଚ୍ର ଦ୍ଵିତୀୟ ଦିନରେ ଭାରତ ୪ ଓ୍ଵିକେଟ୍ ହରାଇ ୩୮୬ରନ କରିଛି। ଏଥି ସହ ୪୭୨ ରନର ଅଗ୍ରଣୀ ହାସଲ କରିଛି। ଉଭୟ ହନୁମା ବିହାରୀ ୧୦୪ ରନ ଓ ଋଷଭ ପନ୍ତ ୧୦୩ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଶୁଭମାନ ଗିଲ୍ ୬୫ ରନ ଓ ମୟଙ୍କ ଅଗ୍ରଓ୍ଵାଲ ୫୧ ରନ କରିଛନ୍ତି। ଭାରତ ପ୍ରଥମ ଇନିଂସରେ ୧୯୪ ରନରେ ଅଲଆଉଟ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଏ ୧୦୮ରେ ସୀମିତ ରହିଥିଲା।

ତିନି ଦିବସୀୟ ଦିବାରାତ୍ର ଅଭ୍ୟାସ୍ ମ୍ୟାଚ୍ର ପ୍ରଥମ ଇନିଂସରେ ଋଷଭ ପନ୍ତ ବିଫଳ ହୋଇଥିଲେ ମାତ୍ର ଦ୍ଵିତୀୟ ଇନିଂସରେ ସେ ବିସ୍ଫୋରକ ବ୍ୟାଟିଂ କରି ୭୩ ବଲରୁ ୧୦୩ ରନ କରିଛନ୍ତି। ଏଥିରେ ୯ ଚୌକା ଓ ୬ ଛକା ସାମିଲ। ଶେଷ ଓଭର ବୋଲିଂ କରିବାକୁ ଆସିଥିବା ଜାକ ଓ୍ଵିଲଡରମଥଙ୍କ ଉକ୍ତ ଓଭରରେ ପନ୍ତ ଧୂଆଁଧାର ବ୍ୟାଟିଂ କରି ୨୨ ରନ ସଂଗ୍ରହ କରିଥିଲେ। ସେ ଶେଷ ଓଭରରେ ୪,୪,୬,୪,୪ ମାରି ନିଜର ଶତକ ପୂରଣ କରିଛନ୍ତି।
ଏହି ଇନିଂସ ଜରିଆରେ ପନ୍ତ ଓ୍ଵିକେଟ୍ କିପର ଭାବେ ଡିସେମ୍ବର ୧୭ରେ ଆଡିଲେଡ୍ରେ ହେବାକୁ ଥିବା ପ୍ରଥମ ଦିବାରାତ୍ର ଟେଷ୍ଟ ପାଇଁ ନିଜର ଦାବିଦାର ମଜବୁତ କରିଛନ୍ତି। ବିରାଟ କୋହଲି ଓ ଭାରତୀୟ ଦଳ ପ୍ରବନ୍ଧକଙ୍କୁ ଓ୍ଵିକେଟ୍ କିପର ଭାବେ ଋଷଭ ପନ୍ତ ଓ ଋଦ୍ଧିମାନ ଶାହାଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାର ଅଛି।
ଅଷ୍ଟ୍ରେଲିଆ ଏ ବିପକ୍ଷରେ ଦ୍ଵିତୀୟ ଅଭ୍ୟାସ୍ ମ୍ୟାଚ୍ରେ ଋଷଭ ପନ୍ତ ୧୪୧.୧୦ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରିଥିଲେ। ପନ୍ତଙ୍କ ବ୍ୟତୀତ ହନୁମା ବିହାରୀ ୧୯୪ ବଲରୁ ୧୩ ଚୌକା ସହ ଅପରାଜିତ ୧୦୪ ରନର ଇନିଂସ ଖେଳିଛନ୍ତି।
ଆଇପିଏଲରେ ଋଷଭ ପନ୍ତଙ୍କ ପ୍ରଦର୍ଶନ ଆଶାନୁରୂପ ରହିନଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ରେ ତାଙ୍କୁ ସୁଯୋଗ ଦିଆଯାଇନଥିଲା। ଏମିତିରେ ପନ୍ତ ଏହି ବିସ୍ଫୋରକ ଇନିଂସ ଖେଳି ପୁଣି ଥରେ ନିଜର ଦାବି ପ୍ରତିପାଦନ କରିଛନ୍ତି।