ପ୍ରତି ସିରିଜ୍ ପରେ ପନ୍ତ ଦାନ କରି ଦିଅନ୍ତି ନିଜର କିଟ୍ ବ୍ୟାଗ୍, ଜାଣନ୍ତୁ ଏହା ପଛର କାରଣ

Published By : Prameya-News7 Bureau | January 26, 2021 IST

ନୂଆଦିଲ୍ଲୀ ୨୬।୦୧: ଭାରତୀୟ ଓ୍ଵିକେଟ୍ କିପର-ବ୍ୟାଟସମ୍ୟାନ ଋଷଭ ପନ୍ତ ଅଷ୍ଟ୍ରେଲିଆ ଗସ୍ତରେ ସାବ୍ୟସ୍ତ କରିଛନ୍ତି ଯେ, କିଛି ମ୍ୟାଚ୍‌ ଖରାପ ହେଲେ ଖେଳାଳିଙ୍କ କ୍ୟାରିୟର ସମାପ୍ତ ହୁଏ ନାହିଁ। ପନ୍ତଙ୍କ ପାଇଁ ଗତ ବର୍ଷ କିଛି ଖାସ୍ ନଥିଲା। ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଭାବେ ତାଙ୍କ ସ୍ଥାନରେ କେଏଲ ରାହୁଲ ସଭିଙ୍କ ପ୍ରଥମ ପସନ୍ଦ ଥିଲେ। ମାତ୍ର ଏଥର ଅଷ୍ଟ୍ରେଲିଆ ଗସ୍ତରେ ସେ ଯେମିତି ପ୍ରଦର୍ଶନ କଲେ, ସେଥିରେ ପ୍ରମାଣିତ କରି ଦେଇଛନ୍ତି ଯେ, ଦଳ ସନ୍ତୁଳନ ପାଇଁ ସେ କେତେ ମହତ୍ଵପୂର୍ଣ୍ଣ। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳା ଯାଇଥିବା ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ପନ୍ତ ତିନୋଟି ମ୍ୟାଚ୍‌ର ୫ଟି ଇନିଂସରୁ ମୋଟ୍ ୨୭୫ ରନ କରିଥିଲେ।

ଏହି ଗସ୍ତରେ ତାଙ୍କର ସର୍ବଶ୍ରେଷ୍ଠ ଇନିଂସ ୯୭ ରନ ରହିଛି। ଏଥିରେ ୨ ଅର୍ଦ୍ଧଶତକ ସାମିଲ। ପନ୍ତ ୮୯ ରନ ଚମତ୍କାର ଇନିଂସ ଖେଳି ଗାବା ଟେଷ୍ଟରେ ଭାରତକୁ ବିଜୟୀ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ସେ ଉକ୍ତ ଇନିଂସରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ପନ୍ତ ଏତେ ଭାବୁକ ଯେ, ପ୍ରତିଟି ସିରିଜ୍‌ ପରେ ନିଜର କିଟ୍ ବ୍ୟାଗ୍ ଜୁନିୟର କ୍ରିକେଟ୍‌ ଖେଳାଳିଙ୍କୁ ଦେଇ ଦିଅନ୍ତି। କାରଣ ପୂର୍ବେ ମଧ୍ୟ ତାଙ୍କୁ ଏମିତି ସାହାଯ୍ୟ ମିଳୁଥିଲା।

ପନ୍ତ ଏହାର ଖୁଲାସା କରି କହିଛନ୍ତି, ବିସିସିଆଇର କଣ୍ଟ୍ରାକ୍ଟ ମିଳିବା ପରଠୁ ସେ ଏମିତି କରୁଛନ୍ତି।  ସେ କହିଛନ୍ତି ତାରକ ସାର ବ୍ୟାଟିଂ, କିପିଂ ସହ ଜଡିତ ଉପକରଣ ତାଙ୍କୁ ଦେଉଥିଲେ। ଜୋତା ଓ ବ୍ୟାଟ୍ ମଧ୍ୟ ଦେଉଥିଲେ। ଆଶିଷ ନେହେରା ମଧ୍ୟ କ୍ଲବରେ ବହୁତ ସାମାନ ଦେଉଥିଲେ। ଏଥିରୁ ତାଙ୍କୁ ବହୁତ ସାହାଯ୍ୟ ମିଳିଛି। ଯେବେ ସେ ଛୋଟ ଥିଲେ, ତାଙ୍କୁ ବହୁତ ଲୋକ ସାମାନ ଦେଉଥିଲେ। ଏବେ ସେ ସେହି ସ୍ଥିତିରେ ଅଛନ୍ତି, ତେଣୁ ସେ ଅନ୍ୟକୁ ସାହାଯ୍ୟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.