ଦିଲ୍ଲୀ ପରାଜୟର କାରଣ ପାଲଟିଲେ ଋଷଭ ପନ୍ତ, ଅଧିନାୟକତ୍ଵ ଉପରେ ପ୍ରଶ୍ନ ଉଠାଇଲେ କୋଚ୍ ରିକି ପଣ୍ଟିଂ

Published By : Prameya-News7 Bureau | April 16, 2021 IST

ନୂଆଦିଲ୍ଲୀ ୧୬।୦୪: ଆଇପିଏଲ୍‌ର ସବୁଠୁ ଦାମୀ ଖେଳାଳି କ୍ରିସ୍ ମୋରିସଙ୍କ ବିସ୍ଫୋରକ ବ୍ୟାଟିଂ ଜରିଆରେ ରାଜସ୍ଥାନ ରୟାଲ୍ସ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏହି ପରାଜୟକୁ ସ୍ଵୀକାର କରି ଦଳର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ କହିଛନ୍ତି ଯେ, ଅଫସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ତାଙ୍କର ପୂରା ଓଭର କୋଟା ପୂରଣ କରିବାକୁ ନଦେବା ସମ୍ଭବତଃ ବଡ ଭୁଲ ଥିଲା। ଅଶ୍ଵିନ ୩ ଓଭରରେ ମାତ୍ର ୧୪ ରନ ଦେଇଥିଲେ ଏବଂ ତାଙ୍କ ବଲ୍‌ରେ ଗୋଟିଏ ହେଲେ ବାଉଣ୍ଡରୀ ହୋଇନଥିଲା। କ୍ରିଜରେ ରାଜସ୍ଥାନର ଦୁଇ ବାମହାତୀ ବ୍ୟାଟମସ୍ୟାନ ଡେଭିଡ୍ ମିଲର(୬୨) ଓ ରାହୁଲ ତେଓତିଆ(୧୯) ଥିବା ସତ୍ତ୍ଵେ ବି ନୂତନ ଅଧିନାୟକ ଋଷଭ ପନ୍ତ ଅଶ୍ଵିନଙ୍କୁ ବୋଲିଂ ଦେବା ପରିବର୍ତ୍ତେ ମାର୍କସ ଷ୍ଟୋଇନିସ୍‌ଙ୍କୁ ବୋଲିଂ କରିବାକୁ ଦେଇଥିଲେ।

ଷ୍ଟୋଇନିସ୍ ନିଜର ପ୍ରଥମ ଓଭରରେ ୩ ଚୌକା ସହ ୧୫ ରନ ଦେଇଥିଲେ। ଫଳରେ ରୟାଲ୍ସର ସ୍କୋର ୫୮ ରନରୁ ୭୩ରେ ପହଞ୍ଚି ଯାଇଥିଲା। ଦଳ ଲୟକୁ ଫେରିବାରେ ସଫଳ  ହୋଇଥିଲା। ପଣ୍ଟିଂ କହିଛନ୍ତି ଯେ, ମୁଁ ଯେବେ ଦଳ ସହିତ ବସି ଆଲୋଚନା କରିବି ନିଶ୍ଚିତ ରୂପେ ଏହି ପ୍ରସଙ୍ଗ ଉଠାଇବି। ଅଶ୍ଵିନ ଭଲ ବୋଲିଂ କରି ୩ ଓଭରରେ ମାତ୍ର ୧୪ ରନ ଦେଇଥିଲେ। ତାଙ୍କ ବିରୋଧରେ ଗୋଟିଏ ହେଲେ ବାଉଣ୍ଡରୀ ଲାଗିନଥିଲା। ଏହା ପରେ ମଧ୍ୟ ତାଙ୍କୁ ବୋଲିଂ କରିବାକୁ ଦିଆଯାଇନଥିଲା।

ପୂର୍ବତନ ଭାରତୀୟ କ୍ରିକେଟ୍‌ର ଆଶିଷ ନେହେରା ମଧ୍ୟ ଅଧିନାୟକ ଋଷଭ ପନ୍ତଙ୍କ ଅଧିନାୟକ ଶୈଳୀକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଅଶ୍ଵିନଙ୍କୁ ଚାରି ଓଭର କୋଟା ପୂରଣ କରିବାକୁ ଦିଆଗଲା ନାହିଁ। ତାଙ୍କ ଜାଗାରେ ମାର୍କସ ଷ୍ଟୋଇନିସଙ୍କୁ ବୋଲିଂ କରିବାକୁ ଦିଆଗଲା। ମ୍ୟାଚ୍ ପରେ ନେହେରା କହିଛନ୍ତି ଯେ, ଅଶ୍ଵିନଙ୍କୁ ଚାରି ଓଭର ବୋଲିଂ କରିବାକୁ ନଦେବା ବ୍ୟତୀତ ଦିଲ୍ଲୀ ମ୍ୟାଚ୍‌  ହାରିବାରେ ଅନେକ କାରଣ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.