ଓ୍ବାଙ୍ଖଡେରେ ଗୁରୁ-ଶିଷ୍ୟ ଲଢ଼େଇ: ଅଧିନାୟକ ଇନିଂସ୍‌ର ପ୍ରଥମ ମ୍ୟାଚ୍‌ରେ ଧୋନୀଙ୍କୁ ମାତ୍‌ ଦେବାକୁ ଟାର୍ଗେଟ କରିଛନ୍ତି ଦିଲ୍ଲୀର ନୂଆ ଲିଡର ଋଷଭ

Published By : Prameya-News7 Bureau | April 10, 2021 IST

ମୁମ୍ବାଇ ୧୦/୪:  ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ମ୍ୟାଚ୍‌କୁ ନେଇ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍କଣ୍ଠା ଭରିଯାଇଛି। ଶନିବାର ରାତି ୭.୩୦ରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଦୁଇ ଯୁଗ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି ବୋଲି କୁହାଯାଉଛି। ଗୋଟିଏ ପଟେ କ୍ରିକେଟର ମାଇଲ ଖୁଣ୍ଟ ଏମଏସ୍‌ ଧୋନୀ ଥିବା ବେଳେ ଅନ୍ୟପଟେ କ୍ୟାପ୍ଟେନସିପ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଋଷଭ ପନ୍ତ।  ଜଣଙ୍କ ପାଇଁ ଟ୍ରଫି ଜିଣିବାର ମୂଲ୍ୟ ପ୍ରାୟ କିଛି ନଥିବା ବେଳେ ଜଣଙ୍କ ପାଇଁ ଟ୍ରଫି  ପୂରା ଖେଳ କ୍ୟାରିୟରକୁ ବଦଳାଇ ଦେଇପାରେ। ଆଜି ଆଇପିଏଲ୍‌ ଲଢ଼େଇରେ ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଟକ୍କର ହେବାକୁ ଥିବା ବେଳେ ଆଜିର ଲଢ଼େଇକୁ ଦୁଇ ଅଧିନାୟକଙ୍କ ଲଢ଼େଇ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

କେହି କେହି ଏହାକୁ ଗୁରୁ ଏବଂ ଶିଷ୍ୟଙ୍କ ଲଢ଼େଇ ବୋଲି କହୁଛନ୍ତି। ଗତବର୍ଷ ଆଇପିଏଲ୍‌ରେ ରନର ଅପ୍‌ ହୋଇଥିବା ଦିଲ୍ଲୀ ଏଥର ନୂଆ  ଅଧିନାୟକଙ୍କ ଜରିଆରେ ଟ୍ରଫି ହାତେଇବାକୁ ଚେଷ୍ଟା କରିବ ନିଶ୍ଚିତ । କିନ୍ତୁ ଆଜିର ମ୍ୟାଚ୍‌ ଅଧିନାୟକ ଭାବେ ଡେବ୍ୟୁ କରିଥିବା ଋଷଭ ପନ୍ତଙ୍କ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ରହିବ। ପୂର୍ବତନ ଭାରତୀୟ ଅଧିନାୟକ ତଥା ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ହରାଇବା ଲକ୍ଷରେ ରହିବେ ପନ୍ତ। ସେପଟେ ଚଳିତ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ପାଇଁ ପଡ଼ିଆକୁ ଓହ୍ଲାଇବାକୁ ଯାଉଥିବା ଦିଲ୍ଲୀ ପାଇଁ ମୁଖ୍ୟ କୋଚ୍‌ ରିକି ପଣ୍ଟିଂ ଏବଂ ଅଧିନାୟକ ଋଷଭ ପନ୍ତ କହିଛନ୍ତି, ଆମେ ଏଥର ଭଲ କରିବୁ।

ସେ ଯାହା ବି ହେଉନା କାହିଁକି ଆଇପିଏଲର ୧୪ ତମ ସଂସ୍କରଣର ଦ୍ବିତୀୟ ମ୍ୟାଚ୍‌କୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏପରିକି ଭାରତୀୟ ଦଳର କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ଏନେଇ ଉତ୍ସାହିତ ଥିବା ବେଳେ ସିଏସକେ ଏବଂ ଡିସି ମ୍ୟାଚ୍‌ ଦେଖିବାକୁ ଲୋକଙ୍କୁ ଅପିଲ୍‌ ମଧ୍ୟ କରିଛନ୍ତି।  ମ୍ୟାଚ୍‌ ନିଶ୍ଚିତ ଦେଖିବେ କାରଣ ଆଜି ଗୁରୁ-ଶିଷ୍ୟ ଲଢ଼େଇ ଅଛି ବୋଲି ଶାସ୍ତ୍ରୀ ସୋସିଆଲ ମିଡିଆରେ ଲେଖିଛନ୍ତି। କିନ୍ତୁ ସବୁଠୁ ମଜାଦାର କଥା ହେଉଛି, ନା ପନ୍ତ ଶିଶ୍ୟ ନା ଧୋନୀ ଗୁରୁ କାରଣ ପନ୍ତଙ୍କ ଆଦର୍ଶ ଆଦାମ ଗିଲଖ୍ରିଷ୍ଟ ଯିଏକି ବାମହାତି ବ୍ୟାଟ୍ସମ୍ୟାନ୍‌ ଥିଲେ। ତଥାପି ଆଜିର ମ୍ୟାଚ୍‌କୁ ଭାରତୀୟ କ୍ରିକେଟରରେ ଦୁଇ ଯୁଗର ମିଶ୍ରଣର ଏକ ମୁହୂର୍ତ୍ତ ଭାବେ ଦେଖାଯାଇପା​‌ରେ।

ଏମିତି ଏକ ମ୍ୟାଚ୍‌ ଯେଉଁଥିରେ ଧୋନୀ ଏବଂ ପନ୍ତ ନିଜ ନିଜ ଟିମ୍‌ର ଅଧିନାୟକ, ଓ୍ବିକେଟ କିପର ଏବଂ ଭଲ ବ୍ୟାଟ୍ସମ୍ୟାନ୍‌। ଅନ୍ୟପଟେ ଆଜିର ମ୍ୟାଚ୍‌କୁ ନେଇ ଋଷଭ ପନ୍ତ ମଧ୍ୟ ଉତ୍ସାହିତ ଅଛନ୍ତି। ତାଙ୍କ ପାଇଁ ଏହି ମ୍ୟାଚ୍‌ ସ୍ପେସାଲ କାରଣ ଧୋନୀଙ୍କ ବିପକ୍ଷରେ ସେ ଅଧିନାୟକ ଭାବେ ଡେବ୍ୟୁ କରୁଛନ୍ତି ବୋଲି ପନ୍ତ କହିଛନ୍ତି। ଏହା ସହ ଧୋନୀଙ୍କ ସହ ଟସ୍‌ରେ ଭାଗ ନେବେ ବୋଲି ସେ  ଅଧିକ ଖୁସି ଥିବା କହିଛନ୍ତି। ପ୍ରଥମ ଥର ଗୋଟିଏ ଆଇପିଏଲ୍‌ ଟିମ୍‌ର ନେତୃତ୍ବ ନେଉଛି  ଏବଂ  ପ୍ରଥମ ମ୍ୟାଚ୍‌ ମାହି ଭାଇଙ୍କ ବିପକ୍ଷରେ ଅଛି। ତାଙ୍କ ପାଖରୁ ଅନେକ ଅଭିଜ୍ଞତା ହାସଲ କରିଛି। ଏହାକୁ ମ୍ୟାଚ୍‌ରେ ଲଗାଇପାରିବି ବୋଲି ଆଶା କରୁଛି । ଆମେ କାଲିର ମ୍ୟାଚ୍‌ ଜତିପାରୁ ବୋଲି ମଧ୍ୟ କହିଛନ୍ତି ଋଷଭ ପନ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.