Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାମ ମନ୍ଦିର ଉତ୍ସବକୁ ନେଇ ଆସାମ ସୋନିତପୁରରେ ଭୟଙ୍କର ସଙ୍ଘର୍ଷ : ୨ ସଂପ୍ରଦାୟ ଭିତରେ ମାଡପିଟ୍ ପରେ କର୍ଫ୍ୟୁ, ସେନାର ଫ୍ଲାଗମାର୍ଚ୍ଚ

6/08/2020 at 5:20 PM

ଦିସପୁର, ୦୬|୦୮: ଆସାମର ସୋନିତପୁରରେ ରାମ ଜନ୍ମଭୂମି ମନ୍ଦିରର ଭୂମି ପୂଜନ ଉତ୍ସବ ସମୟରେ ଦୁଇଟି ସମ୍ପ୍ରଦାୟ ମୁହାଁମୁହିଁ ହୋଇଛନ୍ତି । ଫଳରେ ସୋନିତପୁରର ଦୁଇଟି ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଛି । ଏହି ସବୁ ଅଞ୍ଚଳରେ ଗୁରୁବାର ସେନା ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି ।

ସୋନିତପୁରର ପ୍ରଶାସନିକ ଅଧିକାରୀଙ୍କ କହିବାନୁସାରେ, ବୁଧବାର ରାମ ମନ୍ଦିର ପାଇଁ ଅଯୋଧ୍ୟାରେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ସୋନିତପୁରରେ ବଜରଙ୍ଗ ଦଳର କିଛି କାର୍ଯ୍ୟକର୍ତ୍ତା ଏକ ବାଇକ ରାଲି କରିଥିଲେ । ଏହି ସମୟରେ ଆଉ ଏକ ସମ୍ପ୍ରଦାୟ ଏହାକୁ ବିରୋଧ କରିଥିଲା । ଫଳରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ଏଥିରେ ୧୦ଜଣ ଆହତ ହୋଇଛନ୍ତି । ଏହାପରେ ଉତ୍ତେଜନାକୁ ନଜରରେ ରଖି କର୍ଫ୍ୟୁ ଲାଗୁ କରାଯାଇଛି । ବଜରଙ୍ଗ ଦଳର କହିବାନୁସାରେ, ତାଙ୍କର ୧୨ ଜଣ କର୍ମୀ ଆହତ ହୋଇଛନ୍ତି ।

ସୋନିତପୁର ଏସଡିପିଓଙ୍କ ନୁମଲ ମହାତାଙ୍କ କହିବାନୁସାରେ, ଥେଲାମାରା ଓ ଢିକିୟାଜୁଲୀ ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି । ସେନାର ଯବାନମାନେ ଫ୍ଲାଗମାର୍ଚ୍ଚ କରିଛନ୍ତି । ଏହି ମାମଲାରେ ୨ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

ସୋନିତପୁର ଏସପି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ତେବେ ଏକ ମନ୍ଦିରରେ ଅଧିକ ଶବ୍ଦରେ ସଙ୍ଗୀତ ବଜାଇବା ପରେ ଏପରି ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିବା ସୂଚନା ମିଳିଛି ।

   Related Posts