ରିଙ୍କି ହତ୍ୟା ମାମଲା : ତ୍ରିକୋଣୀୟ ପ୍ରେମ ନା ଝଗଡା, ଖିଅ ଖୋଜୁଛି ପୋଲିସ, ସୁଇସାଇଡ୍ ନୋଟ୍‌ରୁ ନୂଆ ତଥ୍ୟ

Published By : Prameya-News7 Bureau | July 08, 2021 IST

ଭୁବନେଶ୍ୱର,୮/୦୭: ସ୍ୱାମୀଙ୍କ ସହ ଝଗଡ଼ା ନା ତ୍ରିକୋଣୀୟ ପ୍ରେମ? ଜଗନ୍ନାଥ(ହତ୍ୟାକାରୀ ଜଗା ପ୍ରଧାନ)ର ପାଗାଳାମୀ ପଛର କାରଣ କ’ଣ? କାହିଁକି ସେ ରକ୍ତମୁଖା ହୋଇ ଏତେ ବଡ଼ କାଣ୍ଡ ଭିଆଇଦେଲା? ଭୀମଟାଙ୍ଗୀରେ ରିଙ୍କିଙ୍କ ହତ୍ୟା ମାମଲାର ତଦନ୍ତ ଚଳାଇଥିବା କମିଶନରେଟ୍‌ ପୁଲିସ ହାତରେ ଏମିତି କିଛି ସାଂଘାତିକ ତଥ୍ୟ ଲାଗିଛି । ଯାହାକୁ ନେଇ ପୁଲିସ ତଦନ୍ତର ଦିଗକୁ ବଦଳାଇଛି ।

ସୂଚନା ମୁତାବକ, ସୁଇସାଇଡ୍‌ ନୋଟ୍‌ରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଉକ୍ତ ନୋଟ୍‌ରେ ‘ତାପସ୍‌’ ବୋଲି ଜଣେ ଯୁବକଙ୍କ ନାମ ଉଲ୍ଲେଖ ରହିଛି । ତାଙ୍କୁ ରିଙ୍କିଙ୍କ ସହ ଯୋଡ଼ାଯାଇ କିଛି ଉକ୍ତି ଚିଠିରେ ଲେଖାଯାଇଛି । ପୁଲିସ ଏଥିରୁ ତ୍ରିକୋଣୀୟ ପ୍ରେମ ସମ୍ପର୍କର ଗନ୍ଧ ବାରିଛି । ପୁଲିସ ସନ୍ଦେହ କରୁଛି, ତୃତୀୟ ଯୁବକଜଣକ କଲେଜ ବେଳର କେହି ବନ୍ଧୁ ହୋଇପାରନ୍ତି । କିମ୍ବା ବିବାହ ପରେ ତାଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥାଇପାରେ । ଜଗନ୍ନାଥ ଯାହାକୁ ନେଇ ସବୁବେଳେ ରିଙ୍କିଙ୍କ ସହ ଝଗଡ଼ା କରୁଥିଲା ।

ଏହାବାଦ୍‌ ପୁଲିସ୍‌ ସନ୍ଦେହ କରୁଛି, ମାସେ ତଳେ ସ୍ୱାମୀଙ୍କ ସହ ରିଙ୍କିଙ୍କ ପ୍ରବଳ ଝଗଡ଼ା ହୋଇଥାଇ ପାରେ । ଭୀମଟାଙ୍ଗୀର ବିଲ୍ଡିଂରେ ଝଗଡ଼ା ଚାଲିଥିଲେ ବି ଝଗଡ଼ାରେ ମୁଖ୍ୟ ଚରିତ୍ର ଥିଲା ଯାଜପୁରର ଜଗନ୍ନାଥ । ସ୍ତ୍ରୀ ରିଙ୍କି ପୁଣି ଜଗନ୍ନାଥଙ୍କ ସହ ସମ୍ପର୍କ ବଢ଼ାଉ ଥିବାର ସୁରାକ୍‌ ସ୍ୱାମୀଙ୍କୁ ମିଳିଥିବ ବୋଲି ପୁଲିସ ସନ୍ଦେହ କରୁଛି । ସ୍ୱାମୀଙ୍କ ଏମିତି ଝଗଡ଼ା ଦେଖି ଜଗନ୍ନାଥଙ୍କଠୁ ଦୂରେଇ ଯିବାକୁ ରିଙ୍କି ମନସ୍ଥ କରିଥିବେ । ସେପଟେ ଲକ୍‌ଡାଉନ୍‌ ବେଳେ ଗଢ଼ିଉଠିଥିବା ସମ୍ପର୍କରେ ପୁଣି ତିକ୍ତକ୍ତା ଆସିବାରୁ ଜଗନ୍ନାଥ ବିଚଳିତ ହୋଇଥିବା ମଧ୍ୟ ସ୍ପଷ୍ଟ ହୋଇଛି । ପ୍ରେମରେ ବିଫଳ ହେବା ପରେ ସେ ପ୍ରତିଶୋଧ ପରାୟଣ ହୋଇ ଏମିତି କାଣ୍ଡ ଭିଆଇଥିବା କୁହାଯାଉଛି ।

ମୋବାଇଲ୍ଫୋନ୍ଖୋଲିବ ଗୁମର

ଅପରାଧ ସ୍ଥଳ(କ୍ରାଇମ୍‌ ସିନ୍‌)ରୁ ଜଗନ୍ନାଥ ଓ ରିଙ୍କିଙ୍କ ମୋବାଇଲ୍‌ ଫୋନ୍‌ ଜବତ ହୋଇଛି । ଯାହାକୁ ଯାଞ୍ଚ ପାଇଁ ଫୋରେନ୍ସିକ ଟିମ୍‌ ସାଙ୍ଗରେ ନେଇଛି । ୨ ମୋବାଇଲ୍‌ ଫୋନ୍‌ ହିଁ ଜଗନ୍ନାଥଙ୍କ ପାଗଳାମୀର ପ୍ରକୃତ ରହସ୍ୟ ଖୋଲିବ । ମୋବାଇଲ୍‌ ୨ଟିର ହ୍ୱାଟସ୍‌ ଆପ୍‌, ଫେସ୍‌ବୁକ୍‌, ମେସେଞ୍ଜର, ଇଷ୍ଟାଗ୍ରାମ୍‌ର ଚାର୍ଟ ବକ୍ସ ହିଁ ପୁଲିସ୍‌କୁ ବାଟ ଦେଖାଇବ । କାହିଁକି ନା, ଉଭୟେ ସୋସିଆଲ୍‌ ମିଡିଆ ଯୋଗେ ପରସ୍ପର ସହ ସବୁବେଳେ ଚାର୍ଟ କରୁଥିଲେ । ଏସବୁକୁ ତନ୍ନତନ୍ନ କରି ପଢ଼ିବା ପରେ ପୁଲିସକୁ ଅନେକ ତଥ୍ୟ ମିଳିପାରିବ । ଏହାବାଦ୍‌ ଯଦି ଉଭୟେ କୌଣସି ଚାର୍ଟକୁ ଉଭାନ୍‌ (ଡିଲିଟ୍‌) କରିଥାନ୍ତି, ଏହାକୁ ପୁଣି ପଢ଼ିବା (ରିକଭର) ପାଇଁ ମଧ୍ୟ ଚେଷ୍ଟା କରାଯିବ । ସେପଟେ ଗତକାଲି ଯାଜପୁର ଯାଇଥିବା ପୁଲିସ ଟିମ୍‌ ଜଗନ୍ନାଥଙ୍କ ସାନ ଭାଇର ଫୋନ୍‌କୁ ଜବତ କରି ସାଙ୍ଗରେ ଆଣିଛି । ଜଗନ୍ନାଥ ଏକ ଫ୍ୟାମିଲି ହ୍ୱାଟସ୍‌ଅପ୍‌ ଗ୍ରୁପ୍‌ରେ ଲେଖିଥିବା ନାନା ମେସେଜ୍‌ଗୁଡିକ ଭାଇରାଲ୍‌ ହେବା ପରେ ଏହାର ସତ୍ୟତା ଜାଣିବା ପାଇଁ ପୁଲିସ ଉକ୍ତ ମୋବାଇଲ୍‌କୁ ଯାଞ୍ଚ କରିବ ।

ବିଷ ପିଇଥିବାରୁ ସୁଧୁରୁନି ସ୍ୱାସ୍ଥ୍ୟ

ହତ୍ୟାକାରୀ ଜଗା ପ୍ରଧାନ ଡ୍ରାମା କରିବା ପୂର୍ବରୁ ସାଙ୍ଗରେ ଆଣିଥିବା ଦାନାଦାର(ରସାୟନ) ପିଇ ଦେଇଥିଲା । ଏଥିଯୋଗୁଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି଼ ଯାଇଛି । ଘଟଣାର ୨ ଦିନ ବିତିବା ପରେ ଚେତା ଫେରିଛି ସତ । କିନ୍ତୁ ସେ କଥା କହିବା ସ୍ଥିତିରେ ନାହିଁ । କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କୁହାଯାଇଛି, ଏବେ ଜଗନ୍ନାଥ ଶରୀରରେ ବିଷର ମାତ୍ରା ରହିଛି । ଏଥିପାଇଁ ଔଷଧ ଦିଆଯାଉଛି । କିନ୍ତୁ ତା ଅବସ୍ଥା ପୁରା ସ୍ଥିର ହେବା ପାଇଁ ଆହୁରି ସପ୍ତାହେ ଲାଗିପାରେ ।

ଜେରା ହେବେ ସାଙ୍ଗ, ସମ୍ପର୍କୀୟ

ଉପରୋକ୍ତ ୨ ଦିଗରୁ ପରଦା ହଟାଇବା ପାଇଁ ଫୁଲ୍‌ ଦମ୍‌ ଲଗାଇ ଦେଇଛି ଏୟାରଫିଲ୍ଡ ଥାନା ପୁଲିସ୍‌ । କିନ୍ତୁ ହତ୍ୟାର ପ୍ରକୃତ କାରଣ ଜାଣିଥିବା ଅଭିଯୁକ୍ତ ଜଗନ୍ନାଥ ଏବେ ହସ୍ପିଟାଲ ବେଡ୍‌ରେ । ସେ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ଯାଏଁ କୌଣସି ପରିସ୍ଥିତିରେ ବୟାନ ଦେଇପାରିବନି । ରିଙ୍କି ଓ ଜଗନ୍ନାଥର ସମ୍ପର୍କୀୟ ଓ ସାଙ୍ଗମାନେ ଏବେ ପୁଲିସର ଟାର୍ଗେଟରେ ଅଛନ୍ତି । ଯାଜପୁର କଲେଜରେ ପଢ଼ୁଥିବା ରିଙ୍କି ଓ ଜଗନ୍ନାଥର କିଛି ସାଙ୍ଗଙ୍କୁ ପୁଲିସ ପଚରାଉଚରା କରିବାକୁ ଯୋଜନା କରିଛି । ସେମାନଙ୍କଠାରୁ ଏହି ତୃତୀୟ ବ୍ୟକ୍ତି ସମ୍ପର୍କରେ ପୁଲିସ୍‌ ତଥ୍ୟ ଉଗାଳିବ । ଜଗନ୍ନାଥ ମାନସିକ ସ୍ତରରେ ଭାଙ୍ଗିପଡ଼ିଥିଲା କି ନାହିଁ । କେବେ ରିଙ୍କିଙ୍କ ସହ ସମ୍ପର୍କରେ ତିକ୍ତକ୍ତା ନେଇ ସାଙ୍ଗମାନଙ୍କୁ କିଛି କହିଥିଲା କି? ଏନେଇ ପୁଲିସ ପଚରା ଉଚରା କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.