ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୧ମନ୍ତ୍ରୀ କୋଟିପତି: ସବୁଠାରୁ ଧନୀ ହରସିମରତ୍ କୌର, ୨୧୭ କୋଟି ଟଙ୍କାର ମାଲିକ, ସବୁଠୁ ଗରିବ ପ୍ରତାପ ଷଡଙ୍ଗୀ

Published By : Prameya-News7 Bureau | June 01, 2019 IST

ନୂଆଦିଲ୍ଲୀ ୧/୬ : ପ୍ରଧାନମନ୍ତ୍ରୀ ମୋଦି ନବଗଠିତ ସରକାରରେ ୫୧ ମନ୍ତ୍ରୀ କୋଟିପତି । ଏମାନଙ୍କ ମଧ୍ୟରୁ ସବୁଠାରୁ ଧନୀ ହରସିମରତ୍ କୌର ବାଦଲ । ହରସିମରତ୍ କୌରଙ୍କ ସମ୍ପତ୍ତି ୨୧୭ କୋଟି । ନ୍ୟାସନାଲ ଇଲେକ୍ସନ ୱାଚ ଏବଂ ଅଡିଆର ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି । ହରସିମରତଙ୍କ ପରେ ଅଛନ୍ତି ମହାରାଷ୍ଟ୍ରର ରାଜ୍ୟସଭା ସାଂସଦ ପିୟୁଷ ଗୋୟଲ । ପିୟୁଷ ଗୋୟଲଙ୍କ ସମ୍ପତ୍ତି ୯୫ କୋଟି । ତୃତୀୟରେ ଅଛନ୍ତି ଗୁରୁଗ୍ରାମରୁ ନିର୍ବାଚିତ ରାଓ ଇନ୍ଦ୍ରଜିତ ସିଂ । ସେ ୪୨ କୋଟି ସମ୍ପତ୍ତିର ମାଲିକ ।

ଚତୁର୍ଥ ସ୍ଥାନରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ତାଙ୍କ ପାଖରେ ୪୦ କୋଟି ଟଙ୍କାର ସମ୍ପତ୍ତି ଅଛି । ଏହି ତାଲିକାରେ ୪୬ ନମ୍ବରରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ୨ କୋଟି ଟଙ୍କାର ସମ୍ପତ୍ତି ଅଛି । ପାଖାପାଖି ୧୦ ଜଣ ମନ୍ତ୍ରୀଙ୍କ ପାଖରେ ମୋଦିଙ୍କ ଠାରୁ କମ ସମ୍ପତ୍ତି ରହିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ବିକାନେର ସାଂସଦ ଅର୍ଜୁନ ରାମ ମେଘୱାଲ, ମଧ୍ୟ ପ୍ରଦେଶ ମୋରନିଆ ସାଂସଦ ନରେନ୍ଦ୍ର ସିଂହ ତୋମର । ସେ ୨ କୋଟି ଟଙ୍କା ସମ୍ପତ୍ତି ଘୋଷଣା କରିଛନ୍ତି ।

ଓଡିଶାରୁ ମନ୍ତ୍ରୀ ହୋଇଥିବା ପ୍ରତାପ ଚନ୍ଦ୍ର ସରଙ୍ଗୀ ଏହି ତାଲିକାରେ ସବୁଠାରୁ ଶେଷରେ ଅଛନ୍ତି । ଯେଉଁ ମନ୍ତ୍ରୀମାନେ କୋଟିପତି ନୁହନ୍ତି ସେମାନେ ହେଲେ ରାୟଗଞ୍ଜ ସାଂସଦ ଦେବଶ୍ରୀ ଚୌଧୁରୀ (୬୧ ଲକ୍ଷ), ଆସାମ ଦେବୃଗଡ ସାଂସଦ ରାମେଶ୍ୱର ତେଲୀ (୪୩ ଲକ୍ଷ), କେରଳ ସାଂସଦ ଭି. ମୁରଲିଧରଣ (୨୭ ଲକ୍ଷ), ରାଜସ୍ଥାନ ବାଡମେର ସାଂସଦ କୈଳାଶ ଚୌଧୁରୀ (୨୪ ଲକ୍ଷ), ଓଡିଶା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ (୧୩ ଲକ୍ଷ) ।

୨୨ ଜଣ ମନ୍ତ୍ରୀଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ୧୬ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ, ସାମ୍ପ୍ରଦାୟିକ ଦଙ୍ଗା ଏବଂ ନିର୍ବାଚନ ଉଲଂଘନ ଭଳି ମାମଲା ରହିଛି ।

ମୋଦିଙ୍କ କ୍ୟାବିନାଟରେ ୪୭ ଜଣ ମନ୍ତ୍ରୀ ସ୍ନାତକ କରିଛନ୍ତି । ୮ ଜଣ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମରୁ ଦ୍ୱାଦଶ ମଧ୍ୟରେ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.