ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଧନୀ ନବୀନ ପଟ୍ଟନାୟକ ,ଜାଣନ୍ତୁ ତାଙ୍କ ସମ୍ପତ୍ତି ମୂଲ୍ୟ ଏବଂ ଦ୍ବିତୀୟ ଓ ତୃତୀୟ ସ୍ଥାନରେ କିଏ?

Published By : Prameya-News7 Bureau | April 15, 2019 IST

ଭୁବନେଶ୍ବର ୧୫/୪: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲଢ଼ୁଥିବା ବିଧାନସଭା ପ୍ରାର୍ଥୀମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଧନୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସମ୍ପତ୍ତିର ପରିମାଣ ହେଉଛି ୬୩କୋଟି ୮୭ଲକ୍ଷ ୪୧ହଜାର ୮୧୬ଟଙ୍କା। ନବୀନ ଏଥର ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ସେ ପ୍ରାର୍ଥୀ ହୋଇଥିବାବେଳେ ବରଗଡ଼ ଜିଲ୍ଲା ବିଜେପୁରରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ୬୩କୋଟି ୬୪ଲକ୍ଷ ୧୫ହଜାର ୨୬୧ଟଙ୍କାର ସ୍ଥାବର ସମ୍ପତ୍ତି ଥିବାବେଳେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛି ୨୩ଲକ୍ଷ ୨୬ହଜାର ୫୫୫ଟଙ୍କା। ସମ୍ପତ୍ତି ତାଲିକାରେ ତାଙ୍କ ତଳକୁ ଅଛନ୍ତି ବିଜେପିର ପାଟଣାଗଡ଼ ପ୍ରାର୍ଥୀ କନକବର୍ଦ୍ଧନ ସିଂହଦେଓ। ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ହେଉଛି ୩୭କୋଟି ୯୫ଲକ୍ଷ ୯୦ହଜାର ୮୫୧ଟଙ୍କା। ତାଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୩୨କୋଟି ୫୨ଲକ୍ଷ ୬୮ହଜାର ହୋଇଥିବାବେଳେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୫କୋଟି ୪୩ଲକ୍ଷ ୨୨ହଜାର ୮୫୧ଟଙ୍କା।  ଧନୀ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଝାରସୁଗୁଡ଼ାର ବିଜେପି ପ୍ରାର୍ଥୀ ନବକିଶୋର ଦାସ। ନବ ଦାସଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ହେଉଛି ୩୩କୋଟି ୬୨ଲକ୍ଷ ୭୩ହଜାର ୭୦୭ଟଙ୍କା। ତାଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛି ୪କୋଟି ୭୬ଲକ୍ଷ ୩୫ହଜାର ଟଙ୍କା। ଅସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛି ୨୮କୋଟି ୮୬ଲକ୍ଷ ୩୮ହଜାର ୭୦୭ଟଙ୍କା।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲଢ଼ୁଥିବା ସମୁଦାୟ ପ୍ରାର୍ଥୀଙ୍କ ମଧ୍ୟରୁ ୨୪୧ଜଣଙ୍କ ସମ୍ପତ୍ତି ତାଲିକାକୁ ଯାଞ୍ଚ କଲାପରେ ଏଡିଆର ଏବଂ ଇଲେକ୍ସନ ଓ୍ବାଚ୍ ଏହି ତାଲିକା ପ୍ରକାଶ କରିଛି। ଏହି ୨୪୧ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସମୁଦାୟ ୭୦ଜଣ ଅର୍ଥାତ୍ ୨୯ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି। ଏହି ପ୍ରାର୍ଥୀଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲାର ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ଅନନ୍ତ କହଁର ଏବଂ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ବୀରେନ୍ଦ୍ର କୁମାର ଗୈାଡ଼ଙ୍କର ସମ୍ପତ୍ତିର ମୂଲ୍ୟ ଶୂନ ରହିଛି। ସେହିଭଳି ଅତ୍ୟନ୍ତ କମ୍ ସମ୍ପତ୍ତି ଥିବା ୩ଜଣ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ବରଗଡ଼ ଜିଲ୍ଲା ଭଟଲିର ବିଏସପି ପ୍ରାର୍ଥୀ ନାରାୟଣ ଭେସରା। ତାଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୮୦୪୪ଟଙ୍କା। ସେହିଭଳି ସୁନ୍ଦରଗଡ଼ ଜିଲ୍ଲା ରଘୁନାଥ ପାଲିର ସ୍ବାଧୀନ ପ୍ରାର୍ଥୀ ମହେନ୍ଦ୍ର କୁମ୍ଭାରଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୧୦,୦୦୦ଟଙ୍କା। ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଘା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆମ୍ବେଦକର ପାର୍ଟି ଅଫ ଇଣ୍ଡିଆର ପ୍ରାର୍ଥୀ ଲାଲମନ ନାଗଙ୍କର ସମ୍ପତ୍ତିର ମୂଲ୍ୟ ୧୦,୦୦୦ଟଙ୍କା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.