ଏବେ ଜେଲ୍‌ରେ ରହିବେ ରିୟା, ବଢିଲା ବିଚାର ବିଭାଗୀୟ ହାଜତ ଅବଧି, ଜାମିନ ଉପରେ କାଲି ହାଇକୋର୍ଟରେ ଶୁଣାଣି

Published By : Prameya-News7 Bureau | September 22, 2020 IST

ମୁମ୍ବାଇ ୨୨।୦୯: ଡ୍ରଗ୍ସ କେସ୍‌ରେ ଫସିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କ ବିଚାର ବିଭାଗୀୟ ହାଜତ ଅବଧି ଅକ୍ଟୋବର ୬ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ରିୟାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ସେପ୍ଟେମ୍ବର ୮ରେ ଗିରଫ କରିଥିଲା। ଏହା ପରେ ତାଙ୍କୁ ସେପ୍ଟେମ୍ଵର ୨୨ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଏହା ମଧ୍ୟରେ ରିୟା ଓ ସୌଭିକ ଜାମିନ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହା ଉପରେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨୩ରେ ଶୁଣାଣି ହେବ।

ରିୟା ଚକ୍ରବର୍ତ୍ତୀ ଓ ସୌଭିକ ଚକ୍ରବର୍ତ୍ତୀଙ୍କୁ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଡ୍ରଗ୍ସ ଯୋଗାଡ କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ପ୍ରଥମେ ରିୟା ଡ୍ରଗ୍ସ ନେବା ଅଭିଯୋଗକୁ ମନା କରି ଚାଲିଥିଲେ ମାତ୍ର ଏନସିବିର ଜେରା ବେଳେ ରିୟାଙ୍କ ଭାଇ ସୌଭିକ ସ୍ଵୀକାର କରିଥିଲେ ଯେ ରିୟାଙ୍କ ଗୌରବଙ୍କ ସହ କରିଥିବା ଚାଟ୍ ସତ ଏବଂ ସେ ନିଜେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ବନ୍ଦୋବସ୍ତ କରୁଥିଲେ। ଡ୍ରଗ୍ସ ପାଇଁ ଟଙ୍କା ରିୟା ଦେଉଥିଲେ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ଏନସିବି ଜାଲରେ ଅନେକ ଡ୍ରଗ୍ସ ମାଫିଆ ପଡି ସାରିଛନ୍ତି। ଡ୍ରଗ୍ସ ମାମଲାରେ ଅନେକ ବଡ ବଡ ସେଲିବ୍ରିଟିଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଏନସିବି ଏ ପର୍ଯ୍ୟନ୍ତ ଏହି ମାମଲାରେ ମୋଟ୍ ୧୮ ଜଣଙ୍କୁ ଗିରଫ କରି ସାରିଛି।  ଏବେ ସାରା ଅଲି ଖାନ, ଦୀପିକା ପାଦ୍ୟୁକୋନ, ଶ୍ରଦ୍ଧା କପୁର ଓ ରକୁଲ ପ୍ରୀତିଙ୍କ ପରି ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିବା ପରେ ବଲିଉଡ ଜଗତରେ ଚାଞ୍ଚଲ୍ୟ ଖେଳି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.