ଦ୍ବାଦଶ ଶ୍ରେଣୀ ଟପ୍ପର ଗଣଦୁଷ୍କର୍ମ ଘଟଣା : ଜଣେ ଗିରଫ, ଅପହରଣରେ ବ୍ୟବହୃତ ଗାଡି ଜବତ

Published By : Prameya-News7 Bureau | September 16, 2018 IST

ମହେନ୍ଦ୍ରଗଡ ୧୬|୯: ହରିଆଣା ମହେନ୍ଦ୍ରଗଡ ଜିଲ୍ଲାର ରାଓ୍ବାରୀ ଅନ୍ତର୍ଗତ କନୈନଠାରେ ହୋଇଥିବା ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ତେବେ ମୁଖ୍ୟ ଅଭିଯୁକ୍ତମାନେ ଏବେବି ଫେରାର ଅଛନ୍ତି । ଗିରଫ ବ୍ୟକ୍ତି ହେଲେ ଦୀନ ଦୟାଲ । ସେ ଏକ ଟ୍ୟୁବ୍ଓ୍ବେଲ ସଂସ୍ଥାର ମାଲିକ । ଏହି ଟ୍ୟୁବ୍ଓ୍ବେଲ ସେଣ୍ଟରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ସେଥିପାଇଁ ଦୀନ ଦୟାଲଙ୍କୁ ଅପରାଧିକ ଷଡଯନ୍ତ୍ରକାରୀ ଭାବେ ଗିରଫ କରାଯାଇଛି । ସୂଚନାଯୋଗ୍ୟ ଯେ, ଏହି ଘଟଣାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ୧୦ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ୩ଜଣ ମୁଖ୍ୟ ଅଭିଯୁକ୍ତଙ୍କ ଫଟୋ ପୋଲିସ ଜାରି କରିଛି । ଅଭିଯୁକ୍ତଙ୍କୁ ଧରାଇଦେବାରେ ସହାୟତା କଲେ ଲକ୍ଷେ ଟଙ୍କା ପୁରସ୍କାର ଦିଆଯିବ ବୋଲି ମଧ୍ୟ ପୋଲିସ ଘୋଷଣା କରିଛି । ୩ଜଣ ଅଭିଯୁକ୍ତ ହେଲେ ପଙ୍କଜ, ମନୀଷ ଏବଂ ନିଶୁ । ଏମାନଙ୍କ ମଧ୍ୟରୁ ପଙ୍କଜ ଜଣେ ସାମରିକ କର୍ମଚାରୀ ଓ ସେ କୋଟାରେ ଅବସ୍ଥାପିତ ବୋଲି ପୋଲିସ ସ୍ପଷ୍ଟ କରିଛି । ଏହି ଗଣ ଦୁଷ୍କର୍ମ ଘଟଣାରେ ସାମରିକ କର୍ମଚାରୀ ସମ୍ପୃକ୍ତ ବୋଲି ଜଣାପଡିବା ପରେ ଜୟପୁରଠାରେ ଅବସ୍ଥାପିତ ଦକ୍ଷିଣ-ପଶ୍ଚିମ କମାଣ୍ଡର ମୁଖ୍ୟ ଲେଫନାଣ୍ଟ ଜେନେରାଲ ଚେରିସ୍ ମାଥସନ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ଧରିବାରେ ସାମରିକବାହିନୀ ପୋଲିସକୁ ସହଯୋଗ କରିବ । ଏଥିସହ ସାମରିକ ନିୟମ ଅନୁଷ୍ଠାନରେ ସଂପୃକ୍ତ ସାମରିକ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ଛାତ୍ରୀଙ୍କୁ ଅପହରଣ କରିବା ପରେ ବ୍ୟବହାର ହୋଇଥିବା କାରକୁ ପୋଲିସ ଜବତ କରିଛି । ପୀଡିତାଙ୍କ ଡାକ୍ତରୀ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗରେ ଦୀନ୍ ଦୟାଲ ହସ୍ପିଟାଲର ଡାକ୍ତରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଏହି ଦୁଷ୍କର୍ମ ଘଟଣା ପାଇଁ ପିଡୀତାଙ୍କ ପରିବାରକୁ ଦିଆଯାଇଥିବା କ୍ଷତିପୂରଣ ଚେକକୁ ପିଡୀତାଙ୍କ ମା ଆଜି ଫେରାଇ ଦେଇଛନ୍ତି । ସେ କହିଛନ୍ତି ଯେ, ନ୍ୟାୟ ଦରକାର, ପଇସା ନୁହେଁ । ଘଟଣାକୁ ୫ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ ଅଭିଯୁକ୍ତମାନଙ୍କୁ ପୋଲିସ ଧରିନପାରିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ଦ୍ବାଦଶ ଶ୍ରେଣୀରେ ଟପ୍ପର ହୋଇ ସରକାରଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିବା ଛାତ୍ରୀ କନୈନ ବସଷ୍ଟପରେ ଠିଆ ହୋଇଥିବାବେଳେ ତାଙ୍କୁ ଅପହରଣ କରିନେଇଥିଲେ ୩ ଦୁର୍ବୃତ୍ତ । ଏମାନେ ଛାତ୍ରୀଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରିଥିଲେ । ପରେ ପୁଣି କନୈନ ବସଷ୍ଟପରେ ଛାଡିଦେଇ ଚାଲିଯାଇଥିଲେ । ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ ହରିଆଣା ରାଜନୀତି ମଧ୍ୟ ସରଗରମ ହୋଇଉଠିଛି । ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.