Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରେଓ୍ବାରୀ ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତ ପଙ୍କଜକୁ ପରିତ୍ୟାଗ କଲେ ପତ୍ନୀ

23/09/2018 at 11:33 AM

ରେଓ୍ବାରୀ ୨୩|୯: ରେଓ୍ବାରୀ ଗଣଦୁଷ୍କର୍ମ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ପଙ୍କଜର ସ୍ତ୍ରୀ ସ୍ବାମୀର କୁକର୍ମ କାରଣରୁ ସ୍ବାମୀକୁ ପରିତ୍ୟାଗ କରିବାକୁ ନିଷ୍ପତ୍ତି ନେଇ ଘର ଛାଡି ଚାଲିଯାଇଛି । ଜଣେ ଦୁଷ୍କର୍ମକାରୀକୁ ସ୍ବାମୀ ବୋଲି ଗ୍ରହଣ କରିବା ଅପେକ୍ଷା ଏକେଲା ଜୀବନ ବିତାଇବା ଭଲ ବୋଲି ଅଭିଯୁକ୍ତ ପଙ୍କଜର ସ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ରେଓ୍ବାରୀ ଗଣଦୁଷ୍କର୍ମ ଘଟଣାର ତିନି ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ପଙ୍କଜ ଜଣେ ସାମରିକ କର୍ମଚାରୀ ଏବଂ ବିବାହିତ । ଗତ ୧୨ତାରିଖ ଦିନ ହରିଆଣା ମହେନ୍ଦ୍ରଗଡ ଜିଲ୍ଲାର କନୈନରେ ଜଣେ ମେଧାବୀ ଛାତ୍ରୀ କୋଚିଂ କ୍ଲାସକୁ ଯିବାପାଇଁ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ତିନି ଜଣ ଯୁବକ ନିଶୁ ଫୋଗଟ, ମନୀଷ ଏବଂ ପଙ୍କଜ ଗାଡିରେ ଆସି ଛାତ୍ରୀଙ୍କୁ ଉଠେଇ ନେଇ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ପୋଲିସ ନିଶୁ ଫୋଗଟକୁ ଗିରଫ କରିସାରିଥିବାବେଳେ ମନୀଷ ଏବଂ ପଙ୍କଜ ଏବେ ମଧ୍ୟ ଫେରାର ଅଛନ୍ତି । ପଙ୍କଜ ରାଜସ୍ଥାନର କୋଟାଠାରେ ସାମରିକ ବାହିନୀରେ କାମ କରେ ।
ଏହି ଘଟଣା ପରେ ପଙ୍କଜର ପତ୍ନୀକୁ ପୋଲିସ ବାରମ୍ବାର ଜେରା କରି ଆସୁଥିଲା । ପଙ୍କଜର ଗତିବିଧି ଜାଣିବା ପାଇଁ ପଙ୍କଜର ପତ୍ନୀକୁ ପୋଲିସ ଏକପ୍ରକାର ନଜରବନ୍ଦୀ କରି ରଖିଥିଲା । ଏଥିରେ ପଙ୍କଜର ପତ୍ନୀ ଅତିଷ୍ଠ ହୋଇଯାଇଥିଲେ । ତାଛଡା ନିଜ ସ୍ବାମୀଙ୍କର କୁକର୍ମ ନେଇ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ । ଫଳରେ ସେ ପଙ୍କଜର ଘର ଛାଡି ନିଜ ବାପଘରକୁ ଚାଲିଯାଇଛନ୍ତି ଏବଂ ପଙ୍କଜଙ୍କୁ ସବୁଦିନ ପାଇଁ ପରିତ୍ୟାଗ କଲେ ବୋଲି ଘୋଷଣା କରିଛନ୍ତି ।
ଗଣଦୁଷ୍କର୍ମର ଶୀକାର ହୋଇଥିବା ଛାତ୍ରୀ ଜଣେ ମେଧାବୀ । ସେ ଦ୍ବାଦଶ ଶ୍ରେଣୀ ସିବିଏସସି ପରୀକ୍ଷାରେ ସ୍କୁଲ ଟପ୍ପର ହୋଇଥିଲେ ।

   Related Posts