ଜାଆଁଳା ଫାଣ୍ଡି ପରିସରରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା : ମହିଳାଙ୍କ ପରିଚୟ ଦେଲେ ମିଳିବ ପୁରସ୍କାର

Published By : Prameya-News7 Bureau | April 06, 2021 IST

ଭୁବନେଶ୍ବର ୬।୪: ଜାଆଁଳା ଫାଣ୍ଡି ପରିସରରେ ଥିବା କାର୍ ରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାର ତଦନ୍ତରେ ଆଉ ପାଦେ ଆଗକୁ ବଢିଛି କମିସନରେଟ୍ ପୋଲିସ । କଙ୍କାଳ ମିଳିଥିବା ମହିଳାଙ୍କ ପରିଚୟ ଦେଲେ ମିଳିବ ପୁରସ୍କାର । ଏଭଳି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ନିକଟବର୍ତ୍ତୀ ଜାଆଁଳା ଫାଣ୍ଡି ପରିସରରେ ଥିବା ଏକ କାର୍ ରୁ ଜଣେ ମହିଳାଙ୍କ କଙ୍କାଳ ଉଦ୍ଧାର ହୋଇଥିଲା । ଏହାପରେ କମିଶନରେଟ୍‌ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । କଙ୍କାଳ କାହାର ଏବଂ ଏଠାକୁ କିପରି ଆସିଲା, ସେ ନେଇ ଖୋଳତାଡ ଜାରି ରଖିଛି କମିଶନରେଟ୍‌ ପୋଲିସ । ଇତିମଧ୍ୟରେ କମିଶନରେଟ୍‌ ପୋଲିସ ଏକ ସ୍କେଚ୍‌ ଜାରି କରିଛି । ଯାହାକୁ ବିଭିନ୍ନ ସ୍ଥାନରେ ପୋଷ୍ଟର ରୂପରେ ମରାଯାଇଛି । ସେପଟେ ଏହି ପୋଷ୍ଟରକୁ ରାଜ୍ୟ ବାହାରକୁ ପଠାଇଛି କମିଶନରେଟ୍ ପୋଲିସ । ୪ଟି ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼କୁ ସ୍କେଚ୍ ର ପୋଷ୍ଟର ପଠାଇଛି କମିଶନରେଟ୍ ପୋଲିସ । ଏହାସହ ଏସବୁ ରାଜ୍ୟର ଏଡିଜିଙ୍କ ସହ କଥା ହୋଇଛି କମିଶନରେଟ୍ ପୋଲିସ । ତେବେ କଙ୍କାଳ ମିଳିଥିବା ମହିଳାଙ୍କ ପୋଷ୍ଟର ଲଗାଇବା ପରେ ବହୁ ସ୍ଥାନରୁ ଫୋନ୍ କଲ୍ ଆସୁଛି । ଏବେ ସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରିନାହିଁ ।

ନିକଟରେ ବାରଙ୍ଗ ନିକଟବର୍ତ୍ତୀ ଅଞ୍ଚଳରୁ ମିଳିଥିବା କଟା ମୁଣ୍ଡର ପୋଷ୍ଟର ଲାଗିବା ପରେ ମହିଳାଙ୍କ ପରିଚୟ ମିଳିଥିଲା । ତେବେ ଏହି ଘଟଣାରେ ମଧ୍ୟ ମହିଳାଙ୍କ ପରିଚୟ ମିଳିପାରିବ ବୋଲି ଆଶା ରଖିଛି କମିଶନରେଟ୍ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.