ବଦଳୁଛି ସ୍କୁଲର ରୂପରେଖ, ଚାଲିଥିବା କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

Published By : Prameya-News7 Bureau | October 30, 2021 IST

ଚଣ୍ଡିଖୋଲ ୩୦/୧୦ : ୫ଟି ଓ ମୋ ସ୍କୁଲ ଯୋଜନାର ଅଧୀନରେ ବଦଳୁଛି ସରକାରୀ ବିଦ୍ୟାଳୟର ଚିତ୍ର। ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟ ଗୁଡିକର ଉନ୍ନତିକରଣ କାର୍ଯ୍ୟ ଚାଲୁ ରହିଛି। ଯାହାର ସମୀକ୍ଷା କରିଛନ୍ତି ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ।

ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ପ୍ରଥମ ପର୍ଯ୍ୟାୟରେ ୭ଟି ବିଦ୍ୟାଳୟର ଉନ୍ନତିକରଣ କାମ ଚାଲିଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୨୮ଟି ବିଦ୍ୟାଳୟକୁ ସାମିଲ କରିବାର ଯୋଜନା ରହିଛି। ଏ ନେଇ ଚଣ୍ଡିଖୋଲରେ ଥିବା ନୂଆ ସୁଂଗୁଡ଼ା ଜନ କଲ୍ୟାଣ ଉଚ୍ଚ ବିଦ୍ୟାଳୟରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ବଡ଼ଚଣା ବିଡିଓ ବ୍ଲକ ଶିକ୍ଷାଧିକାରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି କାମର ଅଗ୍ରଗତି ବିଷୟରେ ସ୍ଥିତି ସମୀକ୍ଷା କରିଛନ୍ତି। ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରି ବିଦ୍ୟାଳୟର ଘର ଗୁଡିକର ସ୍ଥିତି ତଦାରଖ କରିଥିଲେ। ସ୍କୁଲ ଉନ୍ନତିକରଣ ମାଧ୍ୟମରେ ସ୍ମାର୍ଟ ଶ୍ରେଣୀ ଗୃହ, ଇ- ପାଠାଗାର , ଅତ୍ୟାଧୁନିକ ପରୀକ୍ଷାଗାର, ଖେଳ ପଡିଆର ବିକାଶ ସହ ବିଦ୍ୟାଳୟର ପୁରା ରୂପ ରେଖ ବଦଳିବ, ଯାହାକି ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ିବାରେ ବେଶ ସହାୟକ ହେବ।

ତେବେ ପ୍ରଥମ ପର୍ଯ୍ୟାୟରେ ୭ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ଦ୍ୱିତୀୟ ପର୍ଯ୍ୟାୟରେ ଥିବା ୨୮ଟି ସ୍କୁଲର  କାମ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିନଵ ପ୍ରୟାସ ମାଧ୍ୟମରେ ସ୍କୁଲର ଗୁଣାତ୍ମକ ଶିକ୍ଷାର ବିକାଶ  ହେବା ସହ ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ିବ ବୋଲି ବିଧାୟକ ଅମର ପ୍ରସାଦ ଶତପଥି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.